ଭୁବନେଶ୍ୱର : ଓଡ଼ିଶାର ସୀମାନ୍ତବର୍ତ୍ତୀ ଯେଉଁ ଗାଁଗୁଡିକରେ ଆନ୍ଧ୍ରପ୍ରଦେଶ ପଞ୍ଚାୟତ ନିର୍ବାଚନ କରିଛି ସେସବୁ ଗାଁରେ ଓଡ଼ିଶା ମଧ୍ୟ ତ୍ରିସ୍ତରୀୟ ପଞ୍ଚାୟତିରାଜ ନିର୍ବାଚନ ପାଇଁ ପ୍ରସ୍ତୁତି ପର୍ବ ଚଳାଇଛି । ଏବେ ନିର୍ବାଚନ ଲାଗି କେଉଁ ଆସନ କେଉଁ ବର୍ଗଙ୍କ ଲାଗି ସଂରକ୍ଷିତ ରହିବ ସେ ସଂକ୍ରାନ୍ତରେ ଜିଲ୍ଲା ଓ ରାଜ୍ୟସ୍ତରରେ ଯେଉଁ ଚିଠା ପ୍ରସ୍ତାବ ପ୍ରକାଶ ପାଇଛି ସେଥିରେ ବି ଏହି ଗାଁ ସହିତ ସଂପୃକ୍ତ ପଞ୍ଚାୟତ ଏବଂ ଜିଲ୍ଲା ପରିଷଦ ଜୋନ୍ ରହିଛି ।
ଏଠାରେ ଉଲ୍ଲେଖନୀୟ ଯେ ଗତ ଫେବୃୟାରୀ ମାସରେ ଆନ୍ଧ୍ର ସରକାର କୋରାପୁଟର ପଟାଙ୍ଗୀ ବ୍ଳକ୍ ଅନ୍ତର୍ଗତ ପାଟୁସିନାରୀ ସମେତ କେତେକ ଗାଁରେ ଆନ୍ଧ୍ର ସରକାର ପଞ୍ଚାୟତ ନିର୍ବାଚନ କରାଇଥିଲେ । ଏ ପ୍ରସଙ୍ଗରେ ଓଡ଼ିଶା ସରକାର ସୁପ୍ରିମକୋର୍ଟରେ ରୁଜୁ କରିଥିବା ଅଦାଲତ ଅବମାନନା ମାମଲା ବିଚାରାଧୀନ ଥିଲେ ବି ସେଥିପ୍ରତି ଆନ୍ଧ୍ର ଭ୍ରୁକ୍ଷେପ କରିନଥିଲା । ଓଲଟା ଓଡ଼ିଶା ସରକାର ଯେଉଁ ଅଭିଯୋଗ ଆରମ୍ଭ କରିଥିଲେ ଆନ୍ଧ୍ର ତାହାର ଜବାବ ଦେବା ପରେ ଓଡ଼ିଶା ମଧ୍ୟ ପ୍ରତିଜବାବ ଦାଖଲ କରିଥିଲା ।
ସ୍ଥିତି ଏଭଳି ଅବସ୍ଥାରେ ଥିବାବେଳେ ଅପ୍ରତ୍ୟାଶିତ ଭାବେ ଆନ୍ଧ୍ର ନିର୍ବାଚନୀ ଫଳାଫଳ ଘୋଷଣା କରିଥିଲା । କେବଳ ସେତିକି ନୁହେଁ, ଆନ୍ଧ୍ରର ଅଧିକାରୀ, ନିର୍ବାଚିତ ପ୍ରତିନିଧି ଏମିତିକି ଆନ୍ଧ୍ରର ମନ୍ତ୍ରୀ ବି ଓଡ଼ିଶାର ସୀମାନ୍ତବର୍ତ୍ତୀ ଗାଁରେ ବାରମ୍ବାର ଅନୁପ୍ରବେଶ କରି ଲୋକଙ୍କୁ ବିଭ୍ରାନ୍ତ କରିବା ସହ ନିଜ ଆଡକୁ ଟାଣିବା ପାଇଁ ଅନେକ ଲୋଭନୀୟ କାର୍ଯ୍ୟକ୍ରମ କରୁଛନ୍ତି । ବେଳେ ବେଳେ ଓଡ଼ିଶା ପକ୍ଷରୁ ଏହାର ବିରୋଧ ବେଳେ ସୀମାନ୍ତବର୍ତ୍ତୀ ଗାଁରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହେଉଛି ।
କୋରାପୁଟ ସମେତ ଗଞ୍ଜାମ ଓ ଗଜପତିରେ କେତେକ ଗାଁ ଉପରେ ମଧ୍ୟ ଆନ୍ଧ୍ର ତାହାର ଲୋଲୁପ ଦୃଷ୍ଟି ପକାଇଛି । କୋରାପୁଟ ଜିଲ୍ଲାର ପଟାଙ୍ଗୀ ଅନ୍ତର୍ଗତ ୨୨ଟି ଗାଁ ଓ ୧୨ଟି ପଡାଗାଁକୁ ନେଇ ଆନ୍ଧ୍ର ବାରମ୍ବାର ବିବାଦ ସୃଷ୍ଟି କରୁଛି । ସୁପ୍ରିମକୋର୍ଟରେ ୧୯୬୮ ମସିହାରେ ଓଡ଼ିଶା ପକ୍ଷରୁ ରୁଜୁ ହୋଇଥିବା ସୀମା ବିବାଦ ସଂକ୍ରାନ୍ତୀୟ ଦୁଇଟି ମାମଲା ଫଇସଲା ହୋଇଛି । ଉପଯୁକ୍ତ କର୍ତ୍ତୃପକ୍ଷଙ୍କ ଦ୍ୱାରା ସମାଧାନ ନ ହେବା ପର୍ଯ୍ୟନ୍ତ ସ୍ଥିତାବସ୍ଥା ବଜାୟ ରଖିବାକୁ ସୁପ୍ରିମକୋର୍ଟ ସ୍ପଷ୍ଟ ନିର୍ଦ୍ଦେଶ ଦେଇଥିବା ସତ୍ତ୍ୱେ ଆନ୍ଧ୍ର ଏହି ସ୍ଥିତାବସ୍ଥାର ଉଲ୍ଳଂଘନ କରୁଛି ।
ଗଞ୍ଜାମ ଜିଲ୍ଲାର ଅନ୍ୟୂନ ୨୦ଟି ଗାଁ ଓ ତୁମ୍ବା ସଂରକ୍ଷିତ ଜଙ୍ଗଲକୁ ନେଇ ଆନ୍ଧ୍ର ସୀମା ବିବାଦ ଲଗାଇ ରଖିଛି । ଗଜପତି ଜିଲ୍ଲାର ୧୫ଟି ଗାଁ ସମେତ କିଞ୍ôଚଲିଙ୍କି ସଂରକ୍ଷିତ ଜଙ୍ଗଲକୁ ନେଇ ବି ବାରମ୍ବାର ଆନ୍ଧ୍ର ସୀମା ବିବାଦ ଉଠାଉଛି । ରାୟଗଡା ଜିଲ୍ଲାର ୫ଟି ଗାଁରେ ବି ଆନ୍ଧ୍ର ଅନୁପ୍ରବେଶ କରୁଛି ।
୨୦୦୬ ମସିହାରୁ ସୁପ୍ରିମକୋର୍ଟ ସ୍ଥିତାବସ୍ଥା ବଜାୟ ରଖିବା ସହିତ ଉପଯୁକ୍ତ କର୍ତ୍ତୃପକ୍ଷଙ୍କ ଦ୍ୱାରା ସମାଧାନ କରିବା ପାଇଁ କହିଥିଲେ ବି ଦୁଇ ରାଜ୍ୟକୁ ଡକାଇ କେନ୍ଦ୍ର ସରକାରଙ୍କ ଉପଯୁକ୍ତ କର୍ତ୍ତୃପକ୍ଷ ଏହାର ସମାଧାନ କରୁନାହାନ୍ତି । ଫଳରେ ସୀମାନ୍ତବର୍ତ୍ତୀ ଅନେକ ଗାଁର ଲୋକେ ଦ୍ୱ÷ତ ଶାସନ ମଧ୍ୟରେ ରହୁଛନ୍ତି । ଆନ୍ଧ୍ରର ଦାଦାଗିରିକୁ ଯେଉଁ ଲୋକେ ବିରୋଧ କରୁଛନ୍ତି ସେମାନଙ୍କ ବିରୋଧରେ ଆନ୍ଧ୍ର ପୋଲିସ ନିଜ ଥାନାରେ ଫୌଜଦାରୀ ମାମଲା ରୁଜୁ କରାଇ ହଇରାଣ ହରକତ କରୁଛନ୍ତି ।
ଏବେ କିଛିଦିନ ଧରି ଗଜପତି ଓ କୋରାପୁଟ ଜିଲ୍ଳାର ସୀମାନ୍ତବର୍ତ୍ତୀ କେତେକ ଗାଁରେ ଆନ୍ଧ୍ର ସଭାସମିତି, ବୈଠକ ଆଦି କରାଇବା ସହ ରାସନ କାର୍ଡ, ଋଣ ଓ ଅନ୍ୟାନ୍ୟ ଆର୍ଥିକ ସହାୟତା ବାଣ୍ଟି ନିରୀହ ଲୋକଙ୍କୁ ନିଜ ପକ୍ଷକୁ ନେବା ପାଇଁ ଷଡଯନ୍ତ୍ର କରୁଛି । ଏହାଛଡା ଆନ୍ଧ୍ରରେ ଥିବା ଓଡ଼ିଆ ମାଧ୍ୟମ ବିଦ୍ୟାଳୟଗୁଡିକୁ ବି ଅଣଦେଖା କରାଯାଉଛି । (ତଥ୍ୟ)