Home Energy ଅଭିଯୋଗ ପାଇଁ ଅଧିକାରୀଙ୍କ ନମ୍ବର ମିଳୁନି

ଅଭିଯୋଗ ପାଇଁ ଅଧିକାରୀଙ୍କ ନମ୍ବର ମିଳୁନି

ଭୁବନେଶ୍ୱର : ରାଜ୍ୟର ବିଦ୍ୟୁତ୍‍ ଉପଭୋକ୍ତାମାନେ ଅଭିଯୋଗ ଜଣାଇବାପାଇଁ ବିଦ୍ୟୁତ୍‍ ବଣ୍ଟନ ଦାୟିତ୍ୱରେ ଥିବା କମ୍ପାନୀ କର୍ତ୍ତୃପକ୍ଷଙ୍କ ପତ୍ତା ପାଉ ନାହାନ୍ତି । ଗ୍ରାହକସେବା କେନ୍ଦ୍ର ଦାୟିତ୍ୱରେ ଥିବା କର୍ମଚାରୀମାନେ ଉପରିସ୍ଥ ଅଧିକାରୀଙ୍କ ଫୋନ୍‍ ନମ୍ବର କାହାରିକୁ ଦେବା ପାଇଁ ଅନୁମତି ନଥିବା କହୁଛନ୍ତି । ଫଳରେ ଘଣ୍ଟା ଘଣ୍ଟା ବିଜୁଳି କାଟ୍‍ ହେଉଥିଲେ ମଧ୍ୟ ଉପରିସ୍ଥ ଅଧିକାରୀଙ୍କୁ ଜଣାଇବା ସମ୍ଭବପର ହୋଇପାରୁ ନାହିିଁ ।

ସେସୁ ହାତରୁ ବିଦ୍ୟୁତ୍‍ ବଣ୍ଟନ ଦାୟିତ୍ୱ ଟାଟା ପାୱାର ନେବାପରେ ଏଭଳି ଅବସ୍ଥା ଉପୁଜିଛି । ପୂର୍ବରୁ ବିଦ୍ୟୁତ୍‍ ବିଲ୍‍ରେ ତ୍ରୁଟି ହେଉ କିମ୍ବା ଦୀର୍ଘ ସମୟ ବିଜୁଳି କାଟ୍‍, ଗ୍ରାହକ ଜଣେ ଚାହିଁଲେ ସେସୁର ବରିଷ୍ଠ ଅଧିକାରୀଙ୍କ ସହିତ ସିଧାସଳଖ କଥା ହୋଇପାରୁଥିଲା । ବିଦ୍ୟୁତ୍‍ ବିଲ୍‍ ପଛପଟେ ମଧ୍ୟ ବରିଷ୍ଠ ଅଧିକାରୀଙ୍କ ଫୋନ୍‍ ନମ୍ବର ରହୁଥିଲା । ହେଲେ ତାହା ବଦଳରେ ଏବେ ବିଜୁଳି ବିଲ୍‍ରେ କେବଳ ଗ୍ରାହକସେବା କେନ୍ଦ୍ରର ନମ୍ବର ରହୁଛି ।

ତେବେ ଗ୍ରାହକସେବା କେନ୍ଦ୍ରରୁ ବି ଆଉ ପୂର୍ବଭଳି ସେବା ମିଳୁନାହିଁ । ବିଶେଷକରି ସେସୁ ସମୟରେ ଯେଭଳି ଥରେ ଅଭିଯୋଗ ଦରଜ କଲେ ଗ୍ରାହକସେବା କେନ୍ଦ୍ରରୁ ବାରମ୍ବାର ଗ୍ରାହକଙ୍କୁ ଏହାର ସ୍ଥିତି ସଂକ୍ରାନ୍ତରେ ଅବଗତ କରାଯାଉଥିଲା ତାହା ହେଉନାହିଁ । ବରଂ ଗ୍ରାହଟିଏ ପଇସା ଖର୍ଚ୍ଚକରି ବାରମ୍ବାର ଟେଲିଫୋନ୍‍ କରିବାକୁ ବାଧ୍ୟ ହେଉଛି । ତେବେ ସବୁଠାରୁ ବଡ କଥା ହେଉଛି ଯଦି କୌଣସି ଠାରେ ଗ୍ରାହକସେବା କେନ୍ଦ୍ରରେ ଅଭିଯୋଗ କରି ସମସ୍ୟାର ସମାଧାନ ନହେଲା ତେବେ ଉପରିସ୍ଥ ଅଧିକାରୀଙ୍କ ଫୋନ୍‍ ନମ୍ବର ମାଗିଲେ ଏହା ଦେବାକୁ ଆମେ ‘ଅଥରାଇଜ୍‍ଡ’ ନୁହେଁ ବୋଲି ଗ୍ରାହକସେବା କେନ୍ଦ୍ରର କର୍ମଚାରୀମାନେ ସଫା ସଫା ଶୁଣାଇ ଦେଉଛନ୍ତି ।

ଫଳରେ ବିଲ୍‍ ଆଦାୟ ପାଇଁ ଟାଟା ପାୱାର କର୍ତ୍ତୃପକ୍ଷ ଯେତେ ତତ୍ପରତା ଦେଖାଉଛନ୍ତି ଗ୍ରାହକଙ୍କ ଅଭିଯୋଗ ସମାଧାନ ପାଇଁ ସେତିକି ଆଗ୍ରହ ଦେଖାଉନଥିବା ଅଭିଯୋଗ ହେଉଛି । ଯଦି କୌଣସି ଗ୍ରାହକ ଉପରିସ୍ଥ ଅଧିକାରୀଙ୍କ ନମ୍ବର ପାଇଁ ଜିଦ୍‍ ଧରୁଛନ୍ତି ତେବେ ତାଙ୍କୁ ସ୍ଥାନୀୟ ବିଦ୍ୟୁତ୍‍ ବିଭାଗ ଦପ୍ତରରେ ଥିବା ଲ୍ୟାଣ୍ଡ୍‍ଲାଇନ୍‍ ଟେଲିଫୋନ୍‍ ନମ୍ବର ଧରାଇ ଦିଆଯାଉଛି, ଯାହା ଅଧିକାଂଶ ସମୟରେ ବ୍ୟସ୍ତ କିମ୍ବା ଅଚଳ ରହିଥାଏ ।

ବର୍ତ୍ତମାନ ଲଘୁଚାପ ଜନିତ ବର୍ଷାକୁ ଆଳ କରି ଟିପିସିଓଡିଏଲ୍‍ କର୍ତ୍ତୃପକ୍ଷ ଗାଁ ଗହଳରେ ଘଣ୍ଟା ବିଜୁଳି କାଟ୍‍ କରୁଥିବାବେଳେ ଲୋକେ ଗ୍ରାହକ ସେବା କେନ୍ଦ୍ରକୁ ଅଭିଯୋଗ କରି ହାଲିଆ ହେଲେଣି । ଯଦି ସ୍ଥାନୀୟ ଯନ୍ତ୍ରୀ କିମ୍ବା ଅନ୍ୟ କୌଣସି ଅଧିକାରୀଙ୍କ ଟେଲିଫୋନ୍‍ ନମ୍ବର ଟାଟାପାୱାର କର୍ତ୍ତୃପକ୍ଷ ଜାରି କରନ୍ତେ ତେବେ ଲୋକେ ସିଧାସଳଖ ତାଙ୍କୁ ସମସ୍ୟା ସଂକ୍ରାନ୍ତରେ ଅବଗତ କରନ୍ତେ ।

ହେଲେ କୌଣସି କାରଣରୁ ଟିପିସିଓଡିଏଲ୍‍ ପକ୍ଷରୁ ସ୍ଥାନୀୟ ଯନ୍ତ୍ରୀ କିମ୍ବା କୌଣସି ଅଧିକାରୀଙ୍କ ଟେଲିଫୋନ୍‍ ନମ୍ବର ଉପଭୋକ୍ତାଙ୍କ ଅବଗତି ନିମନ୍ତେ ଜାରି କରାଯାଉନାହିଁ । ଫଳରେ ଠିକଣା ସମୟରେ ବିଲ୍‍ ପଇଠ କରୁଥିବା ଗାଁ ଗହଳର ଲୋକେ ନିଜ ନିଜର ସମସ୍ୟା ସମାଧାନରେ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିବାବେଳେ ଏହାକୁ ନେଇ ଏବେ ସେମାନଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି । (ତଥ୍ୟ)