ଭୁବନେଶ୍ୱର : ଜଙ୍ଗଲ ଜମି ଅଧିକାର ଆଇନ୍ ଆଧାରରେ କୋରାପୁଟ ଜିଲ୍ଲାର କୋଟିଆ ଅଞ୍ଚଳର ୪୦୬୨ ଏକର ଜମି ପଟ୍ଟା ସ୍ଥାନୀୟ ଅଧିବାସୀଙ୍କୁ ମାଗଣାରେ ପ୍ରଦାନ କରାଗଲାଣି ।
ସରକାରୀ ତଥ୍ୟ ମୁତାବକ କୋଟିଆ ଗ୍ରାମପଞ୍ଚାୟତର ୩୩ଟି ଗାଁରୁ ଜମି ପଟ୍ଟା ପାଇଁ ୨୧୭୦ ଆବେଦନ ଗତ ମାର୍ଚ୍ଚସୁଦ୍ଧା ଆସିଥିଲା । ଏଗୁଡିକୁ ତନଖି କରି ସବୁ ଆବେଦନକାରୀଙ୍କୁ ଯୋଗ୍ୟ ବିବେଚିତ କରାଯାଇ ମୋଟ୍ ୪୦୬୨ ଏକର ୧୬ ଡିସିମିଲି ଜମିର ପଟ୍ଟା ସେମାନଙ୍କୁ ପ୍ରଦାନ କରାଯାଇଛି ।
ଏହି ପଞ୍ଚାୟତର ଗଞ୍ଜେଇପଦର ଗାଁରୁ ଜମି ପଟ୍ଟା ପାଇଁ ୧୯୨ ଜଣ ଆବେଦନ କରିଥିବାବେଳେ କୋଟିଆ ଗାଁରୁ ୨୧୭, ଫାଗୁସିନାରିରୁ ୧୨୫, ତଳଗଞ୍ଜେଇପଦରରୁ ୧୩୯ ଟି ଆବେଦନ ଆସିଥିଲା । ତେବେ ଏହି ଆବେଦନ ଆଧାରରେ ତଳ ଗଞ୍ଜେଇପଦର ବାସିନ୍ଦାଙ୍କୁ ୨୪୦ଏକର ଜଙ୍ଗଲ ଜମିର ପଟ୍ଟା ଦିଆଯାଇଥିବାବେଳେ କୋଟିଆ ଗାଁର ଲୋକଙ୍କୁ ଓଡିଶା ସରକାର ୪୧୮ଏକର ଜମି ଦେଇଛନ୍ତି । ମଠଲମ୍ବା ଗାଁରେ ୨୧୮ଏକର, ଠୁରିଆରେ ୨୩୩ଏକର, ତାଉପଦରରେ ୨୦୦ଏକର, ଗଞ୍ଜେଇପଦରରେ ୧୬୦ଏକର, ଡାଳିଆମ୍ବୋରେ ୧୭୫ଏକର, ଧୂଳିପଦରରେ ୧୫୩ଏକର, କରଞ୍ଜଗୁଡାରେ ୧୬୯ଏକର, ଫାଗୁସିନାରୀରେ ୧୮୮, ଫାଟୁସିନାରୀରେ ୧୬୦ଏକର ଜମିର ପଟା ଲୋକଙ୍କୁ ଦିଆଯାଇଛି ।
ଏଠାରେ ଉଲ୍ଲେଖନୀୟ ଯେ ଜଙ୍ଗଲ ଅଞ୍ଚଳରେ ପୁରୁଷାନୁକ୍ରମେ ବସବାସ କରିଆସୁଥିବା ଲୋକଙ୍କୁ ଜଙ୍ଗଲ ଜମି ଅଧିକାର ଆଇନ୍ ଆଧାରରେ ଜମି ପଟ୍ଟା ଦେବାପାଇଁ ବ୍ୟବସ୍ଥା ହୋଇଛି । ୨୦୦୬ ମସିହାରେ ଏହି ଆଇନ୍ ପ୍ରଣୟନ କରାଯାଇଥିଲା । ଓଡିଶା ସରକାର ସୀମାନ୍ତବର୍ତ୍ତୀ କୋଟିଆ ପଞ୍ଚାୟତରେ ଲୋକଙ୍କୁ ମାଗଣାରେ ଜମି ସହ ଅନ୍ୟାନ୍ୟ ସୁବିଧା ସୁଯୋଗ ଦେଉଥିବାବେଳେ ପଡୋଶୀ ଆନ୍ଧ୍ରପ୍ରଦେଶ ମଧ୍ୟ ବିଭିନ୍ନ ପ୍ରକାରର ପ୍ରଲୋଭନ ଦେଖାଇ ଲୋକଙ୍କ ପାଇଁ ଅନେକ ସୁବିଧା ସୁଯୋଗ ଜୁଟାଉଛି । ଫଳରେ ସେ ଅଞ୍ଚଳର ଲୋକେ ଉଭୟ ରାଜ୍ୟରୁ ସୁବିଧା ସୁଯୋଗ ପାଉଛନ୍ତି ଏବଂ ଦୁଇ ରାଜ୍ୟର ଭୋଟର ତାଲିକାରେ ମଧ୍ୟ ଏଠାକାର ଅନେକ ଲୋକଙ୍କର ନାଁ ରହିଛି ।
ସ୍ଥାନୀୟ ଲୋକେ କହୁଛନ୍ତି ଯେ କୋଟିଆ ଓ ତାହାର ଆଖପାଖ ଅଞ୍ଚଳରେ ଥିବା ପାହାଡ ପର୍ବତରେ ବିପୁଳ ପରିମାଣର ଖଣିଜ ସମ୍ପଦ ଭରି ରହିଥିବାରୁ ହଜାର ହଜାର କୋଟି ଟଙ୍କା ମୂଲ୍ୟର ଖଣି ଗୁଡିକୁ ହାତେଇବା ପାଇଁ ଆନ୍ଧ୍ର ସରକାର କୋଟିଆ ଉପରେ ମାଲିକାନା ଜାହିର କରିବା ସହ ବିବାଦ ସୃଷ୍ଟି କରୁଛନ୍ତି ।
ପୂର୍ବରୁ ଆନ୍ଧ୍ରର ଅଧିକାରୀମାନେ ଆସି ଏ ଅଞ୍ଚଳରେ ଦାଦାଗିରି କରୁଥିବାବେଳେ ଏବେ ରାଜନେତାମାନେ ଏହି ବିବାଦରେ ସାମିଲ ହେଉଛନ୍ତି । କେବଳ କୋରାପୁଟ ନୁହେଁ, ଗଜପତି ସୀମାନ୍ତରେ ମଧ୍ୟ ଆନ୍ଧ୍ର ଓଡିଶାର ଅନେକ ଗାଁକୁ ନିଜର ବୋଲି ଦାବି କରି ଅଯଥାରେ ବିବାଦ ବଢାଉଛନ୍ତି । ଭାରତର ସଂଘୀୟ ବ୍ୟବସ୍ଥା ମଧ୍ୟରେ ରାଜ୍ୟଗୁଡିକର ପ୍ରଶାସନ ଚାଲୁଥିବାବେଳେ ସୀମା ବିବାଦକୁ ନେଇ ରାଜ୍ୟ ରାଜ୍ୟ ମଧ୍ୟରେ ତିକ୍ତତା ବୃଦ୍ଧି ପାଉଛି ।
ଏହି ପ୍ରସଙ୍ଗରେ କିଛିଦିନ ତଳେ ଆସାମ ଓ ମିଜୋରାମ ସୀମାନ୍ତରେ ଗୁଳି ଫୁଟି କିଛି ସାଧାରଣ ଲୋକଙ୍କ ସମେତ ସୁରକ୍ଷାକର୍ମୀ ମୃତାହତ ହୋଇଛନ୍ତି । ଏବେ କୋଟିଆ ପ୍ରସଙ୍ଗରେ ଆନ୍ଧ୍ରର ମନ୍ତ୍ରୀମାନେ ଉତ୍ତେଜନାମୂଳକ ବିବୃତ୍ତି ଜାରି କରୁଥିବାରୁ ପରିସ୍ଥିତି ଦିନକୁ ଦିନ ଗମ୍ଭୀର ହେବାରେ ଲାଗିଛି । (ତଥ୍ୟ)