ଭୁବନେଶ୍ୱର : ଓଡିଶାରୁ ୧୫୪ ନିୟୁତ ମେଟ୍ରିକ ଟନ୍ କୋଇଲା ଗତ ଆର୍ଥିକ ବର୍ଷରେ ଉତ୍ପାଦିତ ହୋଇ ଦେଶରେ ଏହା ଦ୍ୱିତୀୟ ସ୍ଥାନ ହାସଲ କରିଛି । ଛତିଶଗଡ ଏ କ୍ଷେତ୍ରରେ ପ୍ରଥମ ସ୍ଥାନରେ ଅଛି ।
ଛତିଶଗଡରୁ ସର୍ବାଧିକ ୧୫୮.୧୯୦ ନିୟୁତ ମେଟ୍ରିକ ଟନ୍ କୋଇଲା ଉତ୍ପାଦନ ହୋଇଥିବାବେଳେ ମଧ୍ୟପ୍ରଦେଶରୁ ୧୩୨.୩୫୦, ଝାଡଖଣ୍ଡରୁ ୭୪.୯୦୯, ତେଲେଙ୍ଗାନାରୁ ୫୨.୬୦୩, ମହାରାଷ୍ଟ୍ରରୁ ୪୭.୪୩୫, ପଶ୍ଚିମବଙ୍ଗ ଓ ଉତ୍ତରପ୍ରଦେଶରୁ ୧୭.୦୧୬ ନିୟୁତ ଟନ୍ କରି, ଆସାମରୁ ୦.୦୩୬ ଏବଂ ଜାମ୍ମୁ-କାଶ୍ମୀରରୁ ୦.୦୧୨ ନିୟୁତ ମେଟ୍ରିକ ଟନ୍ କୋଇଲା ଉତ୍ପାଦିତ ହୋଇଛି । କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ପ୍ରହଲାଦ ଯୋଶୀ ରାଜ୍ୟସଭାରେ ଲିଖିତ ଭାବେ ଏହି ସୂଚନା ଦେଇଛନ୍ତି ।
ଭୂତତ୍ୱ ସର୍ବେକ୍ଷଣରୁ ଜଣାଯାଇଛି ଯେ ଗତବର୍ଷ ଏପ୍ରିଲ ପହିଲା ସୁଦ୍ଧା ଦେଶରେ ୩,୪୪,୦୨୦ ନିୟୁତ ଟନ୍ କୋଇଲା ମହଜୁଦ ରହିଛି । ଏଥିରୁ ଓଡିଶାରେ ମହଜୁଦ ଥିବା କୋଇଲା ପରିମାଣ ହେଉଛି ୮୪,୬୫୨.୦୬ ନିୟୁତ ଟନ୍, ଯାହାକି ଦେଶରେ ଦ୍ୱିତୀୟ ସର୍ବାଧିକ । ୮୫,୬୦୨.୧୦ ନିୟୁତ ଟନ୍ କୋଇଲା ମହଜୁଦ ସହିତ ଝାଡଖଣ୍ଡ ଏ କ୍ଷେତ୍ରରେ ପ୍ରଥମ ସ୍ଥାନରେ ରହିଛି । ଓଡିଶାରେ ମହଜୁଦ ଥିବା କୋଇଲା ମଧ୍ୟରୁ ୩୬,୦୬୭.୧୭ ନିୟୁତ ଟନ୍ର ମାପଚୁପ ହୋଇଥିବାବେଳେ ୭୭୧୩.୧୨ ନିୟୁତ ଟନ୍ କେବଳ ଆକଳନରେ ରହିଛି ।
କୋଇଲା ଉତ୍ପାଦନ ବୃଦ୍ଧି ପାଇଁ କୋଇଲା ମନ୍ତ୍ରାଳୟ ଦେଶର ୫ଟି ରାଜ୍ୟ ଝାଡଖଣ୍ଡ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଓଡିଶା ଓ ଛତିଶଗଡରେ ବ୍ୟବସାୟିକ ନିଲାମ ଓ ରାଜସ୍ୱ ବଣ୍ଟନ ବ୍ୟବସ୍ଥା ଆରମ୍ଭ କରିଥିବାବେଳେ ଗତବର୍ଷ ଜୁନ୍ ମାସରେ ୨୦ଟି କୋଇଲା ଖଣିର ସଫଳ ନିଲାମ ହୋଇପାରିଛି । ଚଳିତବର୍ଷ ମାର୍ଚ୍ଚ ୨୫ ତାରିଖରେ ୬୭ଟି କୋଇଲା ଖଣିର ଦ୍ୱିତୀୟ ପର୍ଯ୍ୟାୟ ନିଲାମ ପ୍ରକ୍ରିୟା ଆରମ୍ଭ ହୋଇଛି । କେନ୍ଦ୍ର କୋଇଲା ମନ୍ତ୍ରୀ କହିଛନ୍ତି ଯେ କୋଇଲା ଖଣି ମଞ୍ଜୁର ସହିତ ଏହିସବୁ ଖଣିରୁ କିଭଳି ଶୀଘ୍ର କୋଇଲା ଉତ୍ପାଦନ ହେବ ସେଥିପାଇଁ ପ୍ରକଳ୍ପ ପ୍ରବନ୍ଧନ କେନ୍ଦ୍ର (ପିଏମୟୁ) ପ୍ରତିଷ୍ଠା କରାଯାଇଛି । ଏଥି ସହିତ କେନ୍ଦ୍ର ସରକାର ମଧ୍ୟ କୋଇଲା ଉତ୍ତୋଳନକୁ ତ୍ୱରାନ୍ୱିତ ଲାଗି ଏକକ ବାତାୟନ ଅନୁମୋଦନ ପୋର୍ଟାଲ କାର୍ଯ୍ୟକାରୀ କରୁଛନ୍ତି ।
କୋଲ ଇଣ୍ଡିଆ ଲିମିଟେଡ ପକ୍ଷରୁ ୨୦୨୩-୨୪ ସୁଦ୍ଧା ନିଜସ୍ୱ ଖଣିରୁ ଏକ ହଜାର ନିୟୁତ ଟନ୍ କୋଇଲା ଉତ୍ପାଦନ ପାଇଁ ଲକ୍ଷ୍ୟ ରଖିଛି । ଏହାଦ୍ୱାରା ବିଦେଶରୁ କୋଇଲା ଆମଦାନୀ ହ୍ରାସ ପାଇବ । କୋଇଲା ଆମଦାନୀ ହ୍ରାସ ଲାଗି କୋଇଲା ମନ୍ତ୍ରାଳୟ ପକ୍ଷରୁ ଆନ୍ତଃ ମନ୍ତ୍ରୀସ୍ତରୀୟ କମିଟି ଗଠନ ହୋଇଛି । ଏଥିରେ ଶକ୍ତି, ରେଳବାଇ, ଜାହାଜ ଚଳାଚଳ, ବାଣିଜ୍ୟ, ଇସ୍ପାତ, ଏମ୍ଏସ୍ଏମଇ, ଶିଳ୍ପ ପ୍ରୋତ୍ସାହନ ଓ ଆନ୍ତଃ ବାଣିଜ୍ୟ, କେନ୍ଦ୍ରୀୟ ବିଦ୍ୟୁତ୍ ପ୍ରାଧିକରଣ, କୋଇଲା କମ୍ପାନୀ ଏବଂ ବିଭିନ୍ନ ବନ୍ଦରର ପ୍ରତିନିଧିମାନେ ସଦସ୍ୟମାନେ ସ୍ଥାନ ପାଇଛନ୍ତି ।
ଏହି କମିଟି କୋଇଲା ଆମଦାନୀ ହ୍ରାସ ସହିତ ନିଜ ନିଜ ମନ୍ତ୍ରାଳୟ ଅଧିନରେ କିଭଳି ଅଧିକ ପରିମାଣରେ ଦେଶରୁ ଉତ୍ପାଦିତ କୋଇଲା ବ୍ୟବହୃତ ହେବ ତାହା ଉପରେ ଗୁରୁତ୍ୱ ଦେବେ । ଏଥି ସହିତ କୋଇଲା ଆମଦାନୀ ଉପରେ ନଜର ରଖିବେ । ତାପଜ ବିଦ୍ୟୁତ୍ କେନ୍ଦ୍ରଗୁଡିକରେ ଯେଭଳି ଘରୋଇ କ୍ଷେତ୍ରରୁ ଉତ୍ପାଦିତ କୋଇଲା ବ୍ୟବହାର ହେବ ତାହା ଉପରେ ଗୁରୁତ୍ୱ ଦିଆଯିବ । ଏଥି ସହିତ ବ୍ୟାଙ୍କ୍ରୁ ଋଣ ଯୋଗାଣ, ସ୍ୱତନ୍ତ୍ର ଭାବେ ତତ୍କାଳ ନିଲାମ ଯୋଜନା ଆଦି କାର୍ଯ୍ୟକାରୀ କରାଯାଇ ବିଦେଶରୁ କୋଇଲା ଆମଦାନୀ ହ୍ରାସ ନିମନ୍ତେ ଯୋଜନା ହୋଇଛି । (ତଥ୍ୟ)