Home Judiciary କେବେ ସଫଳ ହେବ ରାଜ୍ୟ ମାମଲା ନୀତି ?

କେବେ ସଫଳ ହେବ ରାଜ୍ୟ ମାମଲା ନୀତି ?

ଭୁବନେଶ୍ୱର : ମାମଲା ସଂଖ୍ୟା ହ୍ରାସ ସହ ସୀମିତ ସମୟ ମଧ୍ୟରେ ପୁରୁଣା ମାମଲାଗୁଡିକର ତ୍ୱରିତ ଫଏସଲା ଲାଗି ରାଜ୍ୟ ସରକାରଙ୍କ ମାମଲା ନୀତିରେ ଧାର୍ଯ୍ୟ କରାଯାଇଥିବା ଲକ୍ଷ୍ୟ ସଫଳ ହେଉନାହିଁ । ମାମଲା ସଂଖ୍ୟା କମିବା ପରିବର୍ତ୍ତେ ବଢ଼ି ବଢ଼ି ଚାଲୁଥିବା ବେଳେ ଅପରାଧିକ ମାମଲାର ଦଣ୍ଡବିଧାନ ହାର ରାଜ୍ୟରେ ନଗଣ୍ୟ ରହୁଥିବା ବେଳେ ୫ ବର୍ଷରୁ ପୁରୁଣା ମାମଲା ସଂଖ୍ୟା ପ୍ରାୟ ୬ ଲକ୍ଷରେ ପହଞ୍ଚିଲାଣି ।

ମାମଲା ସଂଖ୍ୟା ହ୍ରାସ ପାଇଁ ତ୍ରୟୋଦଶ ଅର୍ଥ କମିଶନଙ୍କ ସୁପାରିସ ମୁତାବକ ୨୦୧୧ ମସିହାରେ ରାଜ୍ୟ ମାମଲା ନୀତି ପ୍ରଣୟନ କରାଯାଇଥିଲା । ସେ ବର୍ଷ ମଇ ମାସ ୩୧ ତାରିଖରେ ରାଜ୍ୟ ମାମଲା ନୀତି ଓଡ଼ିଶା ଗେଜେଟରେ ପ୍ରକାଶ ପାଇଥିଲା । ଏହି ନୀତି ଅନୁଯାୟୀ ସୀମିତ ସମୟ ମଧ୍ୟରେ ୫ ବର୍ଷରୁ ପୁରୁଣା ସମସ୍ତ ମାମଲାର ଫଏସଲା ସହିତ ନୂଆ ମାମଲାଗୁଡିକର ତ୍ୱରିତ ବିଚାର ଦିଗରେ ସ୍ୱତନ୍ତ୍ର ପଦକ୍ଷେପ ନେବାକୁ କୁହାଯାଇଥିଲା ।

୨୦୧୧ରେ ଓଡ଼ିଶା ସରକାର ରାଜ୍ୟ ମାମଲା ନୀତି ଲାଗୁ କରିବା ବେଳକୁ ପ୍ରାୟ ୧୦ ଲକ୍ଷ ମାମଲା ବିଭିନ୍ନ ଆଇନ ଅଦାଲତରେ ପଡି ରହିଥିଲା । ୨୦୧୫ ସେପ୍ଟେମ୍ବର ଶେଷ ସୁଦ୍ଧା ରାଜ୍ୟର ନିମ୍ନ ଅଦାଲତ ଓ ଉଚ୍ଚ ନ୍ୟାୟାଳୟରେ ପ୍ରାୟ ୧୨ଲକ୍ଷ ମାମଲା ବିଚାର ପ୍ରତୀକ୍ଷାରେ ଥିବାବେଳେ ଏବେ ଏହି ସଂଖ୍ୟା ୧୫ଲକ୍ଷ ୫୬ହଜାର ୧୨୨ରେ ପହଞ୍ଚିଥିବା ଜାତୀୟ ବିଚାର ବିଭାଗୀୟ ଡାଟା ଗ୍ରୀଡର ତଥ୍ୟ କହୁଥିବା ବେଳେ ବିଧାନସଭାରେ ଆଇନ ମନ୍ତ୍ରୀ ଦେଇଥିବା ସୂଚନା ମୁତାବକ ରାଜ୍ୟରେ ପଡିଥିବା ମାମଲା ସଂଖ୍ୟା ପ୍ରାୟ ୧୭ଲକ୍ଷ । ଡାଟା ଗ୍ରୀଡ୍‍ର ତଥ୍ୟ ମୁତାବକ ବକେୟା ମାମଲାଗୁଡିକ ମଧ୍ୟରୁ ୫,୯୧,୩୫୧ଟି ୫ରୁ ୩୦ବର୍ଷ କିମ୍ବା ତଦୁର୍ଦ୍ଧ୍ୱ ସମୟ ଧରି ବିଚାର ପ୍ରତୀକ୍ଷାରେ ରହିଛି । ଏଥିମଧ୍ୟରୁ ୪,୭୫,୮୧୧ଟି ହେଉଛି ଅପରାଧିକ ମାମଲା ।

ବକେୟା ମାମଲାଗୁଡିକର ତ୍ୱରିତ ଫଏସଲା ଓ ୫ବର୍ଷରୁ ପୁରୁଣା ମାମଲାଗୁଡିକୁ ଅଗ୍ରାଧିକାର ଭିତ୍ତିରେ ସଫେଇ କରିବା ପାଇଁ ମାମଲା ନୀତିରେ ଥିବା ବ୍ୟବସ୍ଥା ମୁତାବକ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ରାଜ୍ୟସ୍ତରୀୟ ଉଚ୍ଚ କ୍ଷମତା ସଂପନ୍ନ କମିଟି ଗଠନ କରାଯାଇଥିଲା । ଏହି କମିଟିର ବୈଠକ ନିୟମିତ ବ୍ୟବଧାନରେ ହେବାକୁ ଥିବାବେଳେ ମାମଲା ନୀତି ପ୍ରଣୟନର ୧୧ବର୍ଷ ଭିତରେ ଏହି କମିଟି ୪/୫ ଥର ମଧ୍ୟ ବସିପାରି ନାହିଁ । ସେହିପରି ଜିଲ୍ଲାସ୍ତରରେ ମଧ୍ୟ ଜିଲ୍ଲାପାଳମାନଙ୍କ ଅଧ୍ୟକ୍ଷତାରେ କ୍ଷମତା ସଂପନ୍ନ କମିଟି ରହିଛି । ତେବେ ସଂଖ୍ୟାଧିକ ଜିଲ୍ଲାରେ ଏହି କମିଟିର ବୈଠକ ବର୍ଷକରେ ଥରେ ବି ହେଉନାହିଁ ।

ସାଧାରଣ ଲୋକଙ୍କ ଆପତ୍ତି ଅଭିଯୋଗ ଗୁଡିକର ପ୍ରଶାସନିକ ଓ ସାମାଜିକ ସ୍ତରରେ ତ୍ୱରିତ ଫଏସଲା କରାଯାଇ ପାରିଲେ ମାମଲା ସଂଖ୍ୟା ବଢ଼ିବ ନାହିଁ । କିନ୍ତୁ ଅମଲାତାନ୍ତ୍ରିକ ବ୍ୟବସ୍ଥାରେ ଅଭିଯୋଗ ଶୁଣାଣି ବ୍ୟବସ୍ଥା ସକାରାତ୍ମକ ହେଉନଥିବାରୁ ଅଧିକାଂଶ ସ୍ଥଳରେ ଏଥିରୁ ସୁଫଳ ନ ପାଇ ଲୋକେ ବାଧ୍ୟ ହୋଇ ଆଇନ ଅଦାଲତର ଦ୍ୱାରସ୍ଥ ହେଉଛନ୍ତି । ମାମଲାର ଚାପ ବୃଦ୍ଧିକୁ ଆଖିଆଗରେ ରଖି ସରକାର ମଧ୍ୟ ବିଚାରପତି ପଦବୀ ବୃଦ୍ଧି ସହିତ ନୂଆ ନୂଆ କୋର୍ଟ କଚେରୀ ଖୋଲୁଛନ୍ତି । ଏହାସତ୍ତ୍ୱେ ବି ମାମଲା ସଂଖ୍ୟା କମିବା ପରିବର୍ତ୍ତେ ବଢ଼ିବାରେ ଲାଗିଛି ।

ଆଇନ ବିଶାରଦ ଓ ସାମାଜିକ କାର୍ଯ୍ୟକର୍ତ୍ତାମାନେ କହୁଛନ୍ତି ଯେ ପାରିବାରିକ କଳହଠାରୁ ଆରମ୍ଭ କରି ଜମିବାଡି ବିବାଦ ଓ ଅନ୍ୟାନ୍ୟ ସମସ୍ୟା ଗାଁ ସ୍ତରରେ ତୁଟିପାରୁ ନଥିବା ଓ ନିଶାର ପ୍ରସାର ଯୋଗୁଁ ସମସ୍ୟା ବଢ଼ୁଛି । ଏହାଛଡା ତହସିଲଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କ ଦପ୍ତର ପର୍ଯ୍ୟନ୍ତ ଲୋକଙ୍କ ଅଭିଯୋଗ ସବୁ ଗଦା ହୋଇ ପର୍ବତ ପ୍ରମାଣେ ଉଚ୍ଚା ହେଉଥିବା ବେଳେ ତାହାର ତ୍ୱରିତ ସମାଧାନ ହେଉନଥିବାରୁ ମାମଲା ସଂଖ୍ୟା ଉଦବେଗଜନକ ଭାବେ ବୃଦ୍ଧି ପାଉଛି ଏବଂ ବିଳମ୍ବିତ ବିଚାର ଯୋଗୁଁ ତଥ୍ୟ ପ୍ରମାଣ ନଷ୍ଟ ହେଉଥିବା ଫଳରେ ସଂଖ୍ୟାଧିକ କ୍ଷେତ୍ରରେ ଅଭିଯୁକ୍ତ ଦୋଷମୁକ୍ତ ହେବା ଆଇନ ଶୃଙ୍ଖଳା ବ୍ୟବସ୍ଥା ପ୍ରତି ସମସ୍ୟା ସୃଷ୍ଟି କରୁଛି । (ତଥ୍ୟ)