ଭୁବନେଶ୍ୱର : ଓଡିଶା ପୋଲିସ ଉପରେ ଅନାସ୍ଥା ପ୍ରକଟ କରି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ତାଙ୍କର ବ୍ୟକ୍ତିଗତ ସୁରକ୍ଷା ଅଧିକାରୀ (ପିଏସ୍ଓ) ଫେରାଇ ଦେବାକୁ ଘୋଷଣା କରିଥିବାବେଳେ ତାଙ୍କ ଦଳର ଅନ୍ୟ ବିଧାୟକମାନେ କିନ୍ତୁ ରାଜ୍ୟ ପୁଲିସ ଯୋଗାଇଥିବା ସୁରକ୍ଷା ଅଧିକାରୀଙ୍କ ବଳୟ ମଧ୍ୟରେ ଆତଯାତ ହେଉଛନ୍ତି ।
ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟାପରେ ଶ୍ରୀ ମିଶ୍ର ଲଗାତାର ଭାବେ ହତ୍ୟାକାଣ୍ଡ ପଛରେ ଷଡଯନ୍ତ୍ର ଥିବା କଥା ଉଠାଇବା ସଙ୍ଗେ ସଙ୍ଗେ ଜଣେ ପୋଲିସ କର୍ମଚାରୀ ନିଜ ସର୍ଭିସ୍ ରିଭଲଭରରେ ଗୁଳିମାରି ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ହତ୍ୟା କରିଥିବା ପରିପ୍ରେକ୍ଷୀରେ ତାଙ୍କ ନିରାପତ୍ତା ପାଇଁ ପୋଲିସ ଯୋଗାଇ ଥିବା ପିଏସ୍ଓଙ୍କୁ ଫେରାଇ ଦେବାକୁ ଘୋଷଣା କରିଥିଲେ । ଏଥିଘେନି ବିଭିନ୍ନ ପୋଲିସ ସଂଘ ପକ୍ଷରୁ ପ୍ରତିବାଦ କରାଯିବା ସଙ୍ଗେ ସଙ୍ଗେ ବିରୋଧୀଦଳ ନେତାଙ୍କ ଏଭଳି ମନ୍ତବ୍ୟ ପ୍ରତ୍ୟାହାର କରିନେବାକୁ ମଧ୍ୟ ଦାବି ଉଠିଥିଲା ।
ବିରୋଧୀଦଳ ନେତା ପିଏସ୍ଓ ଫେରାଇଦେବା ପାଇଁ ଗଣମାଧ୍ୟମରେ ଘୋଷଣା କରିବା ପରେ ପରେ ତାଙ୍କ ଦଳର ଅନ୍ୟ ବିଧାୟକମାନେ ପିଏସ୍ଓ ଫେରାଇ ପାରନ୍ତି ବୋଲି କଳ୍ପନା ଜଳ୍ପନା ହେଉଥିଲେ ମଧ୍ୟ ଅନ୍ୟକେହି ପିଏସ୍ଓ ଫେରାଇ ନାହାନ୍ତି । ନବ ଦାସଙ୍କ ହତ୍ୟା ପରେ କର୍ତ୍ତୃପକ୍ଷ ମନ୍ତ୍ରୀ, ବିଧାୟକଙ୍କ ଆଦିଙ୍କ ସୁରକ୍ଷା ସଂକ୍ରାନ୍ତରେ ସମୀକ୍ଷା କରି ସେମାନଙ୍କ ନିରାପତ୍ତା ବ୍ୟବସ୍ଥାକୁ ସୁଦୃଢ କରିବା ଲାଗି ଇତିମଧ୍ୟରେ ଅଧିକ ପିଏସ୍ଓ ବ୍ୟବସ୍ଥା କରିଛନ୍ତି । ଦଳମତ ନିର୍ବିଶେଷରେ ସମସ୍ତ ମନ୍ତ୍ରୀ ଓ ବିଧାୟକଙ୍କ ପାଇଁ ଏଭଳି ବ୍ୟବସ୍ଥା ଗ୍ରହଣ କରାଯାଇଛି ଏବଂ ବିରୋଧୀ ଦଳରେ ଥିବା ବିଜେପି, କଂଗ୍ରେସ ଆଦି ଦଳର ବିଧାୟକମାନେ ମଧ୍ୟ ବର୍ଦ୍ଧିତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଛନ୍ତି ।
ସମ୍ବଲପୁରରେ ଧନୁପାଲି ଥାନାର ମହିଳା ଭାରପ୍ରାପ୍ତ ଅଧିକାରିଣୀଙ୍କ ସହ ବିରୋଧୀଦଳ ନେତାଙ୍କର ଗଣ୍ଡଗୋଳ ପ୍ରସଙ୍ଗ ପରେ ଉଭୟ ରାଜନୈତିକ ଓ ସାମାଜିକ ସ୍ତରରେ ବିଭିନ୍ନ ସଙ୍ଗଠନ ପକ୍ଷରୁ ବିରୋଧୀଦଳ ନେତାଙ୍କୁ ବିରୋଧ କରାଯାଇ ତାଙ୍କ ଘର ଆଗରେ ବାରମ୍ବାର ବିକ୍ଷୋଭ ପ୍ରଦର୍ଶନ କରାଯାଉଥିବା ପରିପ୍ରେକ୍ଷୀରେ ଇତିମଧ୍ୟରେ ସରକାର ବିରୋଧୀଦଳ ନେତାଙ୍କ ନିରାପତ୍ତା ବ୍ୟବସ୍ଥାକୁ ବଢାଇବା ସହ ତାଙ୍କ ବାସଭବନ ନିକଟରେ ୨୪ ଘଣ୍ଟିଆ ପୁଲିସ ପଇଁତରା ବ୍ୟବସ୍ଥା କରିଛନ୍ତି ।
କେବଳ ଜୟନାରାୟଣ କିମ୍ବା ତାଙ୍କ ଦଳର ବିଧାୟକ ନୁହଁନ୍ତି, ଅନ୍ୟ ବିଜେପି ସାଂସଦମାନଙ୍କ ପାଇଁ ମଧ୍ୟ ବ୍ୟବସ୍ଥା ମୁତାବକ ନିରାପତ୍ତା ରାଜ୍ୟ ପୋଲିସ ଯୋଗାଉଛି । ଏହାଛଡା ଓଡିଶା ଗସ୍ତରେ ଆସୁଥିବା ବିଜେପି ଦଳର କେନ୍ଦ୍ରମନ୍ତ୍ରୀମାନଙ୍କ ପାଇଁ କେନ୍ଦ୍ରୀୟ ବ୍ୟବସ୍ଥା ଆଧାରରେ ରାଜ୍ୟ ପୋଲିସ ମଧ୍ୟ ଭିନ୍ନଭିନ୍ନ କାଟାଗୋରୀର ନିରାପତ୍ତା ଯୋଗାଇବା ଲାଗି ପୁଲିସ ମୁତୟନ କରୁଛି ।
ରାଜନୈତିକ ବିଶ୍ଳେଷକମାନେ କହୁଛନ୍ତି ଯେ, ପିଏସ୍ଓ ଫେରାଇବା ଘେନି ବିରୋଧୀଦଳ ନେତା କରିଥିବା ଘୋଷଣା ତାଙ୍କ ଦଳର ଅନ୍ୟ ବିଧାୟକ, ସାଂସଦ ଓ କେନ୍ଦ୍ରମନ୍ତ୍ରୀମାନେ ପସନ୍ଦ କରୁନଥିବାରୁ ପିଏସ୍ଓ ରଖୁଛନ୍ତି । ବସ୍ତୁତଃ ଏପ୍ରସଙ୍ଗରେ ତାଙ୍କ ସହ ଅନ୍ୟ ବିଧାୟକମାନେ ଏକମତ ହୋଇ ନପାରିବାର ଏହା ହେଉଛି ନିଚ୍ଛକ ପ୍ରମାଣ ।
ଏଠାରେ ଉଲ୍ଲେଖନୀୟ ଯେ, ବ୍ରଜରାଜନଗରର ଗାନ୍ଧୀଛକ ନିକଟରେ ସମସ୍ତଙ୍କ ସମ୍ମୁଖରେ ଖୁବ୍ ନିକଟରୁ ଜଣେ ପୋଲିସ ଏଏସ୍ଆଇ ନବ ଦାସଙ୍କୁ ଗୁଳିମାରି ହତ୍ୟା କରିଥିବା ଅଭିଯୋଗ ହୋଇଛି ଏବଂ ଘଟଣାସ୍ଥଳରୁ ସମ୍ପୃକ୍ତ ଏଏସ୍ଆଇଙ୍କୁ ଗିରଫ କରାଯାଇ ଝାରସୁଗୁଡାରୁ ଗୁଜୁରାଟ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ପରୀକ୍ଷା ନିରୀକ୍ଷା ସହ ପଚରାଉଚରା କରାଯାଇଛି । ଜଣେ ଅବସରପ୍ରାପ୍ତ ହାଇକୋର୍ଟ ଜଜ୍ଙ୍କ ତତ୍ତ୍ୱାବଧାନରେ ରାଜ୍ୟ କ୍ରାଇମ୍ବ୍ରାଞ୍ଚ ପୋଲିସ ନବ ଦାସ ହତ୍ୟାକାଣ୍ଡର ତଦନ୍ତ କରୁଥିବାବେଳେ ବିଜେପି ଏହି ଘଟଣାର ତଦନ୍ତ ସିବିଆଇ ଦ୍ୱାରା କରାଇବା ଏବଂ କଂଗ୍ରେସ ହାଇକୋର୍ଟର ଜଣେ କାର୍ଯ୍ୟରତ ବିଚାରପତିଙ୍କ ତତ୍ତ୍ୱାବଧାନରେ ସ୍ୱତନ୍ତ୍ର ଅନୁଧ୍ୟାନକାରୀ ଦଳ ମାଧ୍ୟମରେ ଏହାର ତଦନ୍ତ ଦାବି କରିଆସୁଛି । (ତଥ୍ୟ)