Home General କେନ୍ଦ୍ର ପାଇନି ବିଧାନ ପରିଷଦ ପ୍ରସ୍ତାବ

କେନ୍ଦ୍ର ପାଇନି ବିଧାନ ପରିଷଦ ପ୍ରସ୍ତାବ

ଭୁବନେଶ୍ୱର : ଓଡ଼ିଶାରେ ବିଧାନ ପରିଷଦ ଗଠନ ପାଇଁ ରାଜ୍ୟ ବିଧାନସଭା ଗ୍ରହଣ କରିଥିବା ପ୍ରସ୍ତାବ ଏଯାବତ କେନ୍ଦ୍ର ସରକାର ପାଇନାହାନ୍ତି । ଆଇନ ଓ ନ୍ୟାୟ ବିଭାଗ କେନ୍ଦ୍ରମନ୍ତ୍ରୀ କିରଣ ରିଜିଜୁ ସଂସଦରେ ଏହି ସୂଚନା ଦେଇଛନ୍ତି ।

ଏଠାରେ ଉଲ୍ଲେଖନୀୟ ଯେ ୨୦୧୮ ସେପ୍ଟେମ୍ବର ୬ ତାରିଖରେ ରାଜ୍ୟ ବିଧାନସଭାରେ ବିଧାନ ପରିଷଦ ଗଠନ ଘେନି ବିଧିବଦ୍ଧ ସଂକଳ୍ପ ପାରିତ ହୋଇଥିଲା । ୧୪୭ ସଦସ୍ୟ ବିଶିଷ୍ଟ ରାଜ୍ୟ ବିଧାନସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ୧୦୪ ଜଣ ସଦସ୍ୟ ଏହି ପ୍ରସ୍ତାବ ସପକ୍ଷରେ ଭୋଟ ଦେଇଥିଲେ । ତେବେ କଂଗ୍ରେସ ଓ ବିଜେପି ଭଳି ବିରୋଧୀ ଦଳର ସଦସ୍ୟମାନେ ମତଦାନରୁ ବିରତ ରହିଥିଲେ ।

ପ୍ରାୟ ୫ବର୍ଷ ଧରି ବିଧାନ ପରିଷଦ ପ୍ରସଙ୍ଗ ଓଡ଼ିଶାରେ ଚର୍ଚ୍ଚା ହେଉଛି । ଗଣମାଧ୍ୟମରେ ବି ଏ ସଂକ୍ରାନ୍ତରେ ବାରମ୍ବାର ଖବର ପ୍ରକାଶ ପାଉଛି । ଅଥଚ କେନ୍ଦ୍ର ସରକାରଙ୍କ ନିକଟରେ କିନ୍ତୁ ଏଥିଘେନି କୌଣସି ତଥ୍ୟ ନଥିବା କେନ୍ଦ୍ରମନ୍ତ୍ରୀ ଦର୍ଶାଇଛନ୍ତି । ଆନ୍ଧ୍ରପ୍ରଦେଶ, ବିହାର, କର୍ଣ୍ଣାଟକ, ମହାରାଷ୍ଟ୍ର, ତେଲେଙ୍ଗାନା ଓ ଉତ୍ତର ପ୍ରଦେଶ ଭଳି ୬ଟି ରାଜ୍ୟରେ ବିଧାନ ପରିଷଦ ଥିବାବେଳେ ଆସାମ, ରାଜସ୍ଥାନ ଓ ପଶ୍ଚିମବଙ୍ଗ ବିଧାନସଭାରେ ସଂପୃକ୍ତ ତିନୋଟି ରାଜ୍ୟରେ ବିଧାନ ପରିଷଦ ଗଠନ ପାଇଁ ସଂକଳ୍ପ ଆଣିଥିବା କଥା କେନ୍ଦ୍ରମନ୍ତ୍ରୀ ସ୍ୱୀକାର କରିଥିବା ବେଳେ ଓଡ଼ିଶା ବିଧାନସଭାରେ ଏ ସଂକ୍ରାନ୍ତୀୟ ସଂକଳ୍ପ ପାରିତ ହୋଇଥିଲେ ମଧ୍ୟ କେନ୍ଦ୍ର ସରକାରଙ୍କ ନଜରକୁ ତାହା ଏପର୍ଯ୍ୟନ୍ତ କିଭଳି ଆସିନାହିଁ ସେ ସଂକ୍ରାନ୍ତରେ ଏବେ ବିଭିନ୍ନ ମହଲରେ ଚର୍ଚ୍ଚା ଜୋରଦାର ।

ବିଜେଡିର ରାଜ୍ୟସଭା ସଦସ୍ୟ ପ୍ରସନ୍ନ ଆଚାର୍ଯ୍ୟ ଓଡ଼ିଶାରେ ବିଧାନ ପରିଷଦ ଗଠନ ସଂକ୍ରାନ୍ତରେ ରାଜ୍ୟ ବିଧାନସଭା ପାରିତ କରିଥିବା ସର୍ବସମ୍ମତ ସଂକଳ୍ପ ସଂକ୍ରାନ୍ତରେ ପ୍ରଶ୍ନ ଉଠାଇ ସମ୍ବିଧାନର ୧୬୯ ଧାରା ଅନୁଯାୟୀ ଏ ସଂକ୍ରାନ୍ତରେ କେନ୍ଦ୍ର ସରକାର ପଦକ୍ଷେପ କେବେ ସୁଦ୍ଧା ନେବେ ବୋଲି ସ୍ପଷ୍ଟ ଭାବେ ଜାଣିବାକୁ ଚାହିଁଥିଲେ । ଏହି ପ୍ରଶ୍ନର ଉତ୍ତରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ରିଜିଜୁ ଏଭଳି ତଥ୍ୟ ରଖିଛନ୍ତି ।

ଯୋଜନା ମୁତାବକ ରାଜ୍ୟ ବିଧାନସଭା ଆସନ ସଂଖ୍ୟାର ଏକ ତୃତୀୟାଂଶ ଅର୍ଥାତ୍‍ ୪୯ ଜଣ ସଦସ୍ୟଙ୍କୁ ନେଇ ଓଡ଼ିଶା ରାଜ୍ୟ ବିଧାନ ପରିଷଦ ଗଠନ କରାଯିବା କଥା । ଏଥିମଧ୍ୟରୁ ୧୬ଜଣ ସଦସ୍ୟଙ୍କୁ ବିଧାୟକମାନେ ନିର୍ବାଚିତ କରିବେ । ଜିଲ୍ଲା ପରିଷଦ, ପଞ୍ଚାୟତ ସମିତି ଓ ପୌର ସଂସ୍ଥାଗୁଡିକ ମଧ୍ୟ ଅନୁରୂପ ସଂଖ୍ୟକ ସଦସ୍ୟ ବାଛିବେ । ଏହାଛଡା ଶିକ୍ଷକ ଓ ଗ୍ରାଜୁଏଟମାନଙ୍କୁ ନେଇ ହେବାକୁ ଥିବା ନିର୍ବାଚନ ମଣ୍ଡଳୀରୁ ବି ୪ଜଣ କରି ବିଧାନ ପରିଷଦ ସଦସ୍ୟ ନିର୍ବାଚିତ ହେବେ । ଏହାବାଦ ରାଜ୍ୟପାଳ ଆଉ ୯ଜଣ ସଦସ୍ୟଙ୍କୁ ମନୋନୀତ କରିବେ ।

ସର୍ଦ୍ଦାର ପଟେଲ ହଲ୍‍ରେ ଥିବା ପୁରୁଣା ବିଧାନସଭା ସୌଧରେ ବିଧାନ ପରିଷଦ କାର୍ଯ୍ୟ କରିବାକୁ ପ୍ରସ୍ତାବ ରହିଛି । ରାଜ୍ୟସଭାର ସଦସ୍ୟଙ୍କ ପାଇଁ ଯେଭଳି ଜାତୀୟ ଲିଙ୍ଗଭିତ୍ତିକ ଆସନ ସଂରକ୍ଷଣ ନାହିଁ, ସେହିଭଳି ରାଜ୍ୟ ବିଧାନସଭା ଲାଗି ମଧ୍ୟ କୌଣସି ବର୍ଗଙ୍କ ପାଇଁ ଜାତୀୟ ଲିଙ୍ଗଭିତ୍ତିକ ଆସନ ସଂରକ୍ଷିତ ରହିବ ନାହିଁ । ବିଧାନ ପରିଷଦ ସଦସ୍ୟଙ୍କ ଲାଗି ସର୍ବନିମ୍ନ ବୟସ ୩୦ବର୍ଷ ରଖାଯିବାକୁ ଥିବାବେଳେ ଏମାନଙ୍କ କାର୍ଯ୍ୟକାଳ ୬ବର୍ଷ ପାଇଁ ରହିବ ଏବଂ ପରିଷଦର ସଦସ୍ୟମାନେ ବିଧାୟକମାନଙ୍କ ସମକକ୍ଷ ବେତନ, ଭତ୍ତା ଆଦି ପାଇବାର ବ୍ୟବସ୍ଥା ରହିଛି ।

ତେବେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ନଥି ଅନୁଯାୟୀ କେନ୍ଦ୍ର ସରକାର ଏଯାବତ୍‍ ଓଡ଼ିଶା ବିଧାନ ପରିଷଦ ଗଠନ ପ୍ରସଙ୍ଗରେ କୌଣସି ପ୍ରସ୍ତାବ ପାଇନଥିଲେ ମଧ୍ୟ ଏ ସଂକ୍ରାନ୍ତୀୟ ତଥ୍ୟ ଓଡ଼ିଶା ସରକାରଙ୍କଠାରୁ ସଂଗ୍ରହ କରାଯାଉଛି । (ତଥ୍ୟ)