Home Industry କେନ୍ଦ୍ରାପଡ଼ାରେ ଇସ୍ପାତ କାରଖାନା ପାଇଁ ବୁଝାମଣା

କେନ୍ଦ୍ରାପଡ଼ାରେ ଇସ୍ପାତ କାରଖାନା ପାଇଁ ବୁଝାମଣା

ଭୁବନେଶ୍ୱର : ଆଜି ଓଡ଼ିଶା ସରକାର ଏବଂ ଆର୍ସେଲର ମିତ୍ତଲ ନିପ୍ପନ‌ ଲିଃ ମଧ୍ୟରେ କେନ୍ଦ୍ରାପଡ଼ା ଜିଲ୍ଲାରେ ଏକ ସମନ୍ୱିତ ଇସ୍ପାତ୍‌ କାରଖାନା ନିର୍ମାଣ ନିମନ୍ତେ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି । ଏହି ପ୍ରକଳ୍ପରେ ପ୍ରାୟ ୫୦ ହଜାର କୋଟି ଟଙ୍କା ବିନିଯୋଗ ହେବ ।

ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲ୍‌ ବିଶ୍ୱର ଅନ୍ୟତମ ବୃହତ୍ତମ ଇସ୍ପାତ ନିର୍ମାଣକାରୀ ସଂସ୍ଥା ଏବଂ ଏଲ୍‌ ଏନ୍‌ ମିତ୍ତଲ ଗ୍ରୁପ୍‌ର ଆର୍ଥିକ ଦୃଢ଼ତା ଓ ଜାପାନ କମ୍ପାନୀ ନିªନ ଷ୍ଟିଲର ଉଚ୍ଚ ବୈଷୟିକ ଶକ୍ତି ଦ୍ୱାରା ଇସ୍ପାତ ନିର୍ମାଣ କ୍ଷେତ୍ରରେ ପାରଦର୍ଶିତା ପାଇଁ ସାରା ବିଶ୍ୱରେ ତା’ର ଉପସ୍ଥିତି ଜାହିର କରିପାରିଛି ।

ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ମିତ୍ତ ଲ ଗ୍ରୁପ୍‌ର ଅଧ୍ୟକ୍ଷ ଏଲ‌.ଏନ୍‌. ମିତ୍ତ ଲ , ଇସ୍ପାତ ଓ ଖଣି ଏବଂ ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ, ମହାକାଳପଡ଼ା ବିଧାୟକ ଅତନୁ ସବ୍ୟସାଚୀ ନାୟକଙ୍କ ଉପସ୍ଥିତିରେ ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ କେନ୍ଦ୍ରାପଡ଼ା ଜିଲ୍ଲା ବିଜୁବାବୁଙ୍କର କର୍ମଭୂମି ଥିଲା ଏବଂ ସେ ଏହି ଜାଗା ଏବଂ ଏଠାକାର ଜନସାଧାରଣଙ୍କୁ ହୃଦୟରୁ ଭଲ ପାଉଥିଲେ । ସେ କହିଛନ୍ତି ଯେ କେନ୍ଦ୍ରାପଡ଼ାରେ ସମନ୍ୱିତ ଷ୍ଟିଲ୍‌ କମ୍ପ୍ଲେକ୍ସ ପାଇଁ ପର୍ଯ୍ୟାପ୍ତ ସୁଯୋଗ ରହିଛି ଏବଂ ରାଜ୍ୟ ସରକାର ଏହି ବୃହତ୍‌ ପ୍ରକଳ୍ପର ପ୍ରତିଷ୍ଠା ପାଇଁ ସମସ୍ତ ଆବଶ୍ୟକୀୟ ସହାୟତା ଓ ସୁବିଧା ଯୋଗାଇଦେବେ ।

ସେ ମଧ୍ୟ କହିଛନ୍ତି ଯେ ଦୂରଦୃଷ୍ଟିସଂପନ୍ନ ଶିଳ୍ପନୀତି, ସହଜ ପ୍ରକ୍ରିୟା ଏବଂ ସୁଦୃଢ଼ ଭିତ୍ତିଭୂମିକ ବିକାଶ ଯୋଗୁ ଓଡ଼ିଶା ଆଜି ଦେଶରେ ଶ୍ରେଷ୍ଠ ଆକର୍ଷଣୀୟ ପୁଂଜିନିବେଶ ଲକ୍ଷ୍ୟସ୍ଥଳ ଭାବେ ସଫଳତାର ସହ ଉଭା ହୋଇଛି ।

ଓଡ଼ିଶା ସରକାରଙ୍କ ସହଯୋଗରେ କେନ୍ଦ୍ରାପଡ଼ାଠାରେ ଏକ ସମନ୍ୱିତ ଷ୍ଟିଲ କମ୍ପ୍ଲେକ୍ସ ପ୍ରତିଷ୍ଠା କରି ବହୁତ ଆନନ୍ଦିତ ବୋଲି ଉଲ୍ଲେଖ କରି ଶ୍ରୀ ମିତ୍ତଲ କହିଛନ୍ତି ଯେ ଓଡ଼ିଶାରେ ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲ୍‌ର ପାରାଦୀପଠାରେ ଥିବା ୬ ଏମ୍‌ଟିପିଏ କ୍ଷମତାବିଶିଷ୍ଟ ପେଲେଟାଇଜେସନ୍‌ ପ୍ଲାଣ୍ଟ ସହିତ ଏହାର କ୍ଷମତା ୧୨ ଏମ୍‌ଟିପିଏକୁ ବୃଦ୍ଧି ପାଇବ ଏବଂ କେଉଁଝରଠାରେ ଥିବା ଲାଭକାରୀ କମ୍ପ୍ଲେକ୍ସ ଏବଂ ସ୍ଲରି ପାଇପଲାଇନ୍‌ ପୂର୍ବରୁ କାର୍ଯ୍ୟକ୍ଷମ ଅଛି ।

ସେ ପୁଣି କହିଛନ୍ତି ଯେ ଓଡ଼ିଶାର ସରକାରଙ୍କ ତ୍ୱରିତ କାର୍ଯ୍ୟପ୍ରଣାଳିରେ ସେ ବହୁତ ଆନନ୍ଦିତ, ଯାହା ତାଙ୍କର ବିଶ୍ୱବ୍ୟାପୀ ଅଭିଜ୍ଞତା ଆଧାରରେ ସର୍ବଶ୍ରେଷ୍ଠ । ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲ୍‌ ଓଡ଼ିଶା ସରକାରଙ୍କ ସହଯୋଗରେ ରାଜ୍ୟର ଶିଳ୍ପ ବିକାଶ ପାଇଁ ପ୍ରତିବଦ୍ଧ ବୋଲି ସେ ଦୋହରାଇଛନ୍ତି ।

ଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ହେମନ୍ତ ଶର୍ମା ଏବଂ ଆର୍ସେଲର ମିତ୍ତଲ ନିªନ ଷ୍ଟିଲ୍‌, ଇଣ୍ଡିଆର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଦିଲ୍ଲୀପ ଓମେନ୍‌ଙ୍କ ଏହି ବୁଝାମଣାପତ୍ରରେ ସ୍ୱାକ୍ଷର କରିଥିଲେ । ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ଉପଦେଷ୍ଟା, ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-‘ଟି’) ଏବଂ ରାଜ୍ୟ ସରକାରଙ୍କ ଅନ୍ୟ ବରିଷ୍ଠ ଅଧିକାରୀମାନେ ଏହି ଅବସରରେ ଉପସ୍ଥିତ ଥିଲେ ।