ଭୁବନେଶ୍ୱର : ନବଉତ୍କଳ ତଥା ଉତ୍କଳ ପ୍ରଦେଶର ଅନ୍ୟତମ ନିର୍ମାତା ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ ୧୮୯୨ ମସିହା ଏପ୍ରିଲ ୨୬ ତାରିଖରେ ଜନ୍ମଗ୍ରହଣ କରିଥିଲେ । ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭାରତୀୟ ଇତିହାସର ଜଣେ ପ୍ରମୁଖ ବ୍ୟକ୍ତିତ୍ୱ ଏବଂ ଆଧୁନିକ ଓଡ଼ିଶାର ସ୍ଥପତି ଭାବରେ ପରିଚିତ। ସେ ପାରଳାଖେମୁଣ୍ଡିର ମହାରାଜା ଥିଲେ ଏବଂ ଓଡ଼ିଶା ପ୍ରଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ। ଉତ୍କଳ ସମ୍ମିଳନୀର ଜଣେ ଅଗ୍ରଣୀ ସଂଗଠକ ଓ ନେତା।
ଓଡ଼ିଆ ଭାଷାଭାଷୀ ଲୋକଙ୍କ ପାଇଁ ଏକ ସ୍ୱତନ୍ତ୍ର ପ୍ରଦେଶ ଗଠନ କରିବା ନିମନ୍ତେ ଚାଲିଥିବା ଆନ୍ଦୋଳନରେ ତାଙ୍କର ଅକ୍ଳାନ୍ତ ପରିଶ୍ରମ ଓ ନେତୃତ୍ୱ ପାଇଁ କୃଷ୍ଣଚନ୍ଦ୍ର ଗଜପତି ସର୍ବଦା ସ୍ମରଣୀୟ। ତାଙ୍କର ଉଦ୍ୟମ ଯୋଗୁଁ ହିଁ ଓଡ଼ିଶା ଭାଷା ଭିତ୍ତିରେ ଗଠିତ ଦେଶର ପ୍ରଥମ ପ୍ରଦେଶ ହେବାର ଗୌରବ ଅର୍ଜନ କରିଥିଲା। ମଧୁସୂଦନ ଦାସ ଏବଂ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ସହ ତାଙ୍କୁ ମଧ୍ୟ ଓଡ଼ିଶାର ଜଣେ ମୁଖ୍ୟ ନିର୍ମାତା ଭାବରେ ଗଣ୍ୟ କରାଯାଏ।
ଓଡ଼ିଆ ଜାତିର ସ୍ୱାଭିମାନ ଓ ଏକତ୍ରିକରଣ ପାଇଁ ତାଙ୍କର ଅବଦାନ ଅତୁଳନୀୟ। ଆଜି ସମଗ୍ର ଓଡ଼ିଆ ଜାତି ମହାନ ଏବଂ ପୂଜ୍ୟ କୃଷ୍ଣଚନ୍ଦ୍ର ଗଜପତିଙ୍କ ଜୟନ୍ତୀକୁ ଅତ୍ୟନ୍ତ ଆନନ୍ଦ ଓ ଉଲ୍ଲାସର ସହ ପାଳନ କରୁଥିବାବେଳେ ବିଶ୍ୱ ଓଡ଼ିଆ ପରିବାର ତରଫରୁ ମଧ୍ୟ ଜୟନ୍ତୀ ପାଳନ କରାଯାଇଛି ।
“ଓଡ଼ିଆ କହିବା, ଓଡ଼ିଆ ପଢିବା, ଓଡ଼ିଆ ଲେଖିବା ଏବଂ ଓଡ଼ିଆରେ ଦସ୍ତଖତ କରିବା ।” ଏହାକୁ ସଂକଳ୍ପ ଭାବେ ଗ୍ରହଣ କରି ଆମେ ପ୍ରତ୍ୟେକ ଓଡ଼ିଆ କାର୍ଯ୍ୟକ୍ଷେତ୍ରରେ ବାସ୍ତବରେ ପରିଣତ କରିବା ହେଉଛି ମୂଳ ଲକ୍ଷ୍ୟ ଓ ପ୍ରାଥମିକତା । ଏହି ଲକ୍ଷ୍ୟ ପୂରଣ ହେଲେ ଭାଷା ଭିତ୍ତିରେ ଗଠିତ ହୋଇଥିବା ଦେଶର ପ୍ରଥମ ପ୍ରଦେଶର ନିର୍ମାତାଙ୍କୁ ହେବ ଆମର ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ବୋଲି ବିଶ୍ୱ ଓଡ଼ିଆ ପରିବାର ଅଧ୍ୟକ୍ଷ ଶ୍ରୀ ସଜ୍ଜନ ଶର୍ମା କହିଛନ୍ତି ।
ଏହି କାର୍ଯ୍ୟକ୍ରମରେ ଡଃ ସିକ୍ତା ପତି, ବିଶିଷ୍ଟ କବି ମନୋରଞ୍ଜନ ଷଡ଼ଙ୍ଗୀ, ଡାକ୍ତର ପ୍ରତାପ ପାଣି, ସାଧୁ ଚରଣ ବେହେରା, ମନୋଜ ସାହୁ, ଭବାନୀ ପ୍ରସାଦ ମିଶ୍ର, କୁଳମଣି ରାଉତ,ସୁଜିତ କୁମାର ଦାସ, ସୁବ୍ରତ କିଶୋର ନାୟକ, ଆରତୀ ମିଶ୍ର, କନକ ଲତା ଭଞ୍ଜ, ରାଜମିତ୍ରା ପ୍ରହରାଜ ଲକ୍ଷ୍ମଣ ପାଳମାନସ ଦାଶ, ଆଦି ଆଲୋଚନାରେ ଭାଗ ନେଇଥିଲେ।

