Home Agriculture କୃଷି ବିଭାଗରେ ପଦବୀ ଖାଲି

କୃଷି ବିଭାଗରେ ପଦବୀ ଖାଲି

ଭୁବନେଶ୍ୱର : ଖାଦ୍ୟ ଶସ୍ୟ ଉତ୍ପାଦନ ବୃଦ୍ଧି ଉପରେ ସରକାର ଗୁରୁତ୍ୱ ଦେଉଥିବାବେଳେ କୃଷି ବିଭାଗ ଠାରୁ ନିର୍ଦ୍ଦେଶାଳୟ ପର୍ଯ୍ୟନ୍ତ ବହୁ ସଂଖ୍ୟାରେ ପଦବୀ ଖାଲି ଏବେ ଏ କ୍ଷେତ୍ରରେ ବାଧକ ସାଜିଛି । ମାନବ ସମ୍ବଳ ଅଭାବରୁ ସରକାରୀ ଯୋଜନାଗୁଡିକ କାର୍ଯ୍ୟକାରୀ କ୍ଷେତ୍ରରେ ସମସ୍ୟା ସୃଷ୍ଟି ହେଉଥିବା ନେଇ ଖୋଦ ବିଭାଗର କର୍ମଚାରୀମାନେ ସ୍ୱୀକାର କରୁଛନ୍ତି ।

କୃଷି ବିଭାଗରେ ମଞ୍ଜୁରୀପ୍ରାପ୍ତ ୩୦୯ ପଦବୀ ମଧ୍ୟରୁ ୧୬୦ଟି ପଦବୀ ଖାଲି ପଡିଛି । ଗତ ୧୦ବର୍ଷ ମଧ୍ୟରେ ସରକାର ଦ୍ୱିତୀୟଶ୍ରେଣୀ ପାହ୍ୟାରେ ୧୧୫ଟି ପଦବୀ ବୃଦ୍ଧି କରିଥିବାବେଳେ ଏଥିରୁ ୬୭ଟି ପଦବୀ ଖାଳି ପଡିଛି । ତେବେ ତୃତୀୟ ଓ ଚତୁର୍ଥଶ୍ରେଣୀ ପାହ୍ୟାରେ ସରକାର ୧୪୭ଟି ପଦବୀ କାଟ୍‍ କରିଛନ୍ତି । ଏହା ବାଦ୍‍ ବି ଏହି ଦୁଇ ବର୍ଗରେ ୮୯ଟି ପଦବୀ ଖାଲି ପଡିଛି । ଏପରିକି ପ୍ରଥମଶ୍ରେଣୀ ପାହ୍ୟାରେ ଗତ ମାର୍ଚ୍ଚ ସୁଦ୍ଧା ୪ଟି ପଦବୀ ଖାଲି ରହିଥିଲା ।

କୃଷି ନିର୍ଦ୍ଦେଶାଳୟରେ ମୋଟ୍‍ ୯୬୮୯ ଟି ପଦବୀ ଥିବାବେଳେ ଏଥିରୁ ୪୪୭୨ଟି ପଦବୀ ଖାଲି ପଡିଛି । ଖାଲି ପଡିଥିବା ପଦବୀ ମଧ୍ୟରେ ସର୍ବାଧିକ ରହିଛି ତୃତୀୟଶ୍ରେଣୀ ପାହ୍ୟାର । ତୃତୀୟଶ୍ରେଣୀ ପାହ୍ୟାରେ ୪୮୪୨ଟି ମଞ୍ଜୁରୀପ୍ରାପ୍ତ ପଦବୀ ଥିବାବେଳେ ଏଥିରୁ ୨୪୬୩ଟି ଖାଲି ପଡିଛି । ସେହିଭଳି ପ୍ରଥମ ଶ୍ରେଣୀ ପାହ୍ୟାରେ ୧୯୯ଟି, ଦ୍ୱିତୀୟ ଶ୍ରେଣୀ ପାହ୍ୟାରେ ୧୦୯୩ଟି ଓ ଚତୁର୍ଥଶ୍ରେଣୀ ପାହ୍ୟାରେ ୭୧୭ଟି ପଦବୀ ଖାଲି ପଡିଛି ।

କ୍ଷେତ୍ର ସ୍ତରରୁ ନିର୍ଦ୍ଦେଶାଳୟ ପର୍ଯ୍ୟନ୍ତ ଏତେ ସଂଖ୍ୟାରେ ପଦବୀ ଖାଲି ପଡିବା ଯୋଗୁଁ ବିଭିନ୍ନ କୃଷି ଯୋଜନାକୁ ଠିକଣା ଭାବେ କାର୍ଯ୍ୟକାରୀ କରାଯାଇ ପାରୁନାହିଁ । ଅବସ୍ଥା ଏଭଳି ହୋଇଛି ଯେ ନିର୍ଦ୍ଦେଶାଳୟରେ ଜଣେ ଜଣେ କର୍ମଚାରୀ ଏକାଧିକ ଦାୟିତ୍ୱ ସମ୍ଭାଳୁଛନ୍ତି । କ୍ଷେତ୍ର ସ୍ତରରେ ଚାଷୀ ଚିହ୍ନଟ ଠାରୁ ଆରମ୍ଭ କରି ସବ୍‍ସିଡ୍‍ ପ୍ରଦାନ, ବିହନ ଯୋଗାଣ ଆଦି ପାଇଁ କର୍ମଚାରୀଙ୍କର ଅଭାବ ପଡୁଥିବା ଦାୟିତ୍ୱରେ ଥିବା କର୍ମଚାରୀମାନେ ସ୍ୱୀକାର କରୁଛନ୍ତି ।

ଉଦ୍ୟାନ କୃଷି ନିର୍ଦ୍ଦେଶାଳୟରେ ମଧ୍ୟ ପାଖାପାଖି ୨ହଜାର ପଦବୀ ଖାଲି ପଡିଛି । ଏଠାରେ ମଞ୍ଜୁରୀପ୍ରାପ୍ତ ପଦବୀ ସଂଖ୍ୟା ୩୧୬୩ ଥିବାବେଳେ ଏଥିରୁ ୧୮୧୬ଟି ଖାଲି । ତେବେ ଏହି ନିର୍ଦ୍ଦେଶାଳୟରେ ଚତୁର୍ଥଶ୍ରେଣୀ ପାହ୍ୟାରେ ସର୍ବାଧିକ ୧୦୨୦ ପଦବୀ ଖାଲି ପଡିଥିବାବେଳେ ତୃତୀୟଶ୍ରେଣୀରେ ୫୭୮ ପଦବୀରେ କର୍ମଚାରୀ ନାହାନ୍ତି । ଗତ ୧୦ବର୍ଷ ମଧ୍ୟରେ ନିର୍ଦ୍ଦେଶାଳୟରେ କର୍ମଚାରୀ ସଂଖ୍ୟାରେ ପାଖାପାଖି ୨ହଜାର ହ୍ରାସ ପାଇଥିବାବେଳେ ଏତେ ସଂଖ୍ୟାରେ ପଦବୀ ଖାଲିପଡିବା ଏବେ ଉଦ୍ୟାନକୃଷି ସମ୍ପ୍ରସାରଣରେ ବଡ ପ୍ରତିବନ୍ଧକ ସାଜିଛି ।

କୃଷି ବିଭାଗ ଅଧିନରେ ଥିବା ମୃତ୍ତିକା ସଂରକ୍ଷଣ ଓ ଜଳଛାୟା ବିକାଶ ନିର୍ଦ୍ଦେଶାଳୟରେ ମଧ୍ୟ ମଞ୍ଜୁରୀପ୍ରାପ୍ତ ପଦବୀ ମଧ୍ୟରୁ ଅଧାରୁ ଅଧିକ ଖାଲିପଡିଛି । ଏଠାରେ ୨୪୧୩ଟି ମଞ୍ଜୁରୀପ୍ରାପ୍ତ ପଦବୀ ମଧ୍ୟରୁ ୧୪୧୭ଟି ଖାଲିପଡିଛି । ନିର୍ଦ୍ଦେଶାଳୟରେ ତୃତୀୟଶ୍ରେଣୀ ପାହ୍ୟାରେ ୯୬୪ଟି ପଦବୀ ଖାଲି ପଡିଥିବାବେଳେ ଦ୍ୱିତୀୟ ଶ୍ରେଣୀରେ ୧୪୬ଟି ପଦବୀ ଫାଙ୍କା ପଡିଛି । କୃଷି ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗରେ ତଳୁ ଉପର ପର୍ଯ୍ୟନ୍ତ ଏତେ ସଂଖ୍ୟାରେ ପଦବୀ ଖାଲି ଏବେ ରାଜ୍ୟରେ କୃଷି ବିକାଶରେ କ୍ଷେତ୍ରରେ ବଡ ବାଧକ ବୋଲି ଚାଷୀଙ୍କ ଠାରୁ କୃଷି ଅଧିକାରୀଙ୍କ ପର୍ଯ୍ୟନ୍ତ ସମସ୍ତେ ସ୍ୱୀକାର କରୁଛନ୍ତି । (ତଥ୍ୟ)