ଭୁବନେଶ୍ୱର : ଖାଲି ହେବାକୁ ଯାଉଥିବା ଓଡ଼ିଶାର ୪ଟି ରାଜ୍ୟସଭା ଆସନ ପାଇଁ ଏବେ ଅନ୍ୟୂନ ୪୦ଜଣ ଆଶାୟୀ ଚାହିଁ ବସିଛନ୍ତି । ତେବେ ଏହି ଆସନଗୁଡିକ ଲାଗି କାହା ମୁଣ୍ଡରେ ଶିରିପା ବନ୍ଧା ଯିବ ତାହା ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଚୂଡାନ୍ତ ନିଷ୍ପତ୍ତି ଉପରେ ନିର୍ଭର କରେ ।
ବିଜେଡିର ରାଜ୍ୟସଭା ସଦସ୍ୟ ପ୍ରସନ୍ନ ଆଚାର୍ଯ୍ୟ, ସସ୍ମିତ ପାତ୍ର ଓ ଏନ.ଭାସ୍କର ରାଓଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଯାଉଥିବା ବେଳେ କଟକର ମେୟର ଭାବେ ନିର୍ବାଚିତ ହୋଇଥିବାରୁ ସୁବାସ ସିଂହ ମଧ୍ୟ ରାଜ୍ୟସଭାରୁ ଇସ୍ତଫା ଦେବାକୁ ଯାଉଛନ୍ତି । ଏହି ୪ଜଣ ଯାକ ବିଜେଡି ଟିକେଟରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ । ସଂଖ୍ୟା ଓ ରାଜନୈତିକ ସମୀକରଣ ଦୃଷ୍ଟିରୁ ବିଜେଡି ୪ଟି ଯାକ ଆସନ ଦଖଲ କରିବାରେ କିଛି ଅସୁବିଧା ନାହିଁ ।
ତେବେ ଗତ ରାଜ୍ୟସଭା ନିର୍ବାଚନରେ ବିଜେଡି ବିଜେପି ପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବଙ୍କୁ ରାଜ୍ୟସଭା ପଠାଇ କେନ୍ଦ୍ରରେ ମନ୍ତ୍ରୀ କରାଇବା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥିବା ପରିପ୍ରେକ୍ଷୀରେ ବିଜେଡି ନେତାମାନେ ୪ଟି ଯାକ ଆସନରୁ ଲଢ଼ିବେ ନା ଏଥିରୁ କିଛି ଆସନ ଅନ୍ୟ କାହାକୁ ଛାଡିବେ ସେଥିଘେନି ମଧ୍ୟ ପ୍ରଶ୍ନବାଚୀ ରହିଛି । ପୂର୍ବରୁ ସ୍ୱାଧୀନ ପ୍ରାର୍ଥୀ ଏ.ଭି. ସ୍ୱାମୀଙ୍କୁ ମଧ୍ୟ ବିଜେଡି ସମର୍ଥନ ଦେଇ ରାଜ୍ୟସଭାକୁ ପଠାଇଥିଲା । ତେଣୁ ଏଥର ଦଳ ବାହାରୁ ବିଜେଡି ମଧ୍ୟ କାହାକୁ ବି ପ୍ରାର୍ଥୀ ଯେ ନ କରିବ ସେଥିଘେନି କିଛି ଗ୍ୟାରେଣ୍ଟି ନାହିଁ ।
ରାଜ୍ୟସଭା ସଦସ୍ୟ ଭାବେ କାର୍ଯ୍ୟକାଳ ଶେଷ କରିବାକୁ ଯାଉଥିବା ପ୍ରସନ୍ନ ଆଚାର୍ଯ୍ୟ ପଶ୍ଚିମ ଓଡ଼ିଶାର ଜଣେ ବରିଷ୍ଠ ନେତା ଏବଂ ବିଜେଡି ଗଠନ ବେଳେ ତାଙ୍କର ପ୍ରମୁଖ ଭୂମିକା ରହିଥିଲା । ଏନ.ଭାସ୍କର ରାଓଙ୍କ କର୍ମଭୂମି ରାୟଗଡା ଜିଲ୍ଲା । ଦକ୍ଷିଣ ଓଡ଼ିଶାର ଜଣେ ଜଣାଶୁଣା ବିଜେଡି ନେତା ଭାବେ ତାଙ୍କ ପରିଚିତି ରହିଛି । ଡ. ସସ୍ମିତ ପାତ୍ରଙ୍କ ଘର କଟକରେ ଏବଂ ସଂଖ୍ୟାଲଘୁ ସଂପ୍ରଦାୟର ଶିକ୍ଷାବିତ୍ରୁ ସେ ରାଜନେତା ପାଲଟିଛନ୍ତି । ସେହିଭଳି କଟକ ମେୟର ଭାବେ ନିର୍ବାଚିତ ହୋଇଥିବା ସୁବାସ ସିଂହ ତାଙ୍କ କାର୍ଯ୍ୟକାଳ ସରିବା ପୂର୍ବରୁ ଇସ୍ତଫା ଦେବାକୁ ଯାଉଛନ୍ତି ।
ପ୍ରସନ୍ନ ଆଚାର୍ଯ୍ୟ ଓ ସସ୍ମିତ ପାତ୍ରଙ୍କୁ ବିଜେଡି ରାଜ୍ୟସଭା ସଦସ୍ୟ ଭାବେ ଆଉ ଗୋଟିଏ ସୁଯୋଗ ଦେଇପାରେ । ଏହାଛଡା ୪ଟି ଆସନ ମଧ୍ୟରୁ ଅନ୍ୟୂନ ଗୋଟିଏ ମହିଳାଙ୍କ ଖାତାକୁ ବି ଯିବା ସମ୍ଭାବନା ଅଧିକ । ଏହାଛଡା ରାଜନୈତିକ କ୍ଷେତ୍ର ବାହାରୁ କିଛି ବ୍ୟକ୍ତିତ୍ୱଙ୍କ ଉପରେ ବି ବିଜେଡିର ନଜର ରହିଛି । ତେବେ କେତେକ ପୂର୍ବତନ ମନ୍ତ୍ରୀ, ପୂର୍ବତନ ସାଂସଦଙ୍କ ସମେତ ଭିନ୍ନ ଦଳରୁ ଆସି ବିଜେଡିରେ ସାମିଲ ହୋଇଥିବା କିଛି ରାଜନେତାଙ୍କ ନଜର ଏହି ୪ଟି ଆସନ ଉପରେ ଅଛି । ସୁବାସ ସିଂହଙ୍କ ଇସ୍ତଫା ପରେ ରାଜ୍ୟସଭାରେ ଯେଉଁ ଆସନଟି ଖାଲି ହେବ ତାହାର ଅବଧି ଢ଼େର କମ୍ ସମୟ ରହୁଥିବା ବେଳେ ଅନ୍ୟ ୩ଟି ଆସନ ଲାଗି ଅବଧି ୬ବର୍ଷ ରହିବ ।
ସ୍ୱାଧୀନତା ପ୍ରାପ୍ତିର ଦୀର୍ଘବର୍ଷ ପରେ ପ୍ରଥମଥର ଲାଗି ରାଜ୍ୟସଭାକୁ ରାଷ୍ଟ୍ରପତିଙ୍କ ମନୋନୀତ ସଦସ୍ୟ ଭାବେ ଜଣେ ଓଡ଼ିଆ ସ୍ଥପତି ରଘୁନାଥ ମହାପାତ୍ର ମନୋନୀତ ହୋଇଥିଲେ । ତାଙ୍କ ମୃତ୍ୟୁ ପରେ ଉକ୍ତ ଆସନଟି ଅନ୍ୟ ରାଜ୍ୟର ବ୍ୟକ୍ତିଙ୍କୁ ଦେଇଦିଆଯାଇଛି । ଏହାଛଡା ସ୍ୱାଧୀନତା ପ୍ରାପ୍ତିର ୭୫ବର୍ଷ ଭିତରେ ଓଡ଼ିଶାରୁ ଏଯାବତ କେହି ରାଷ୍ଟ୍ରପତି କିମ୍ବା ଉପରାଷ୍ଟ୍ରପତି ହୋଇନାହାନ୍ତି । ମୁଣ୍ଡ ଉପରେ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ନିର୍ବାଚନ ଥିବା ଦୃଷ୍ଟିରୁ ଏହି ପଦବୀ ଲାଗି କୌଣସି ଯୋଗ୍ୟ ଓଡ଼ିଆଙ୍କୁ ବାଛିବା ପାଇଁ ମତପ୍ରକାଶ ପାଉଛି । (ତଥ୍ୟ)