ଭୁବନେଶ୍ୱର : ରାଜଧାନୀବାସୀଙ୍କ ଜଳ ସମସ୍ୟାର ସମାଧାନ ପାଇଁ ଜଳଯୋଗାଣକାରୀ ସଂସ୍ଥା ୱାଟ୍କୋ ୨୪ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଖୋଲିଛି । ହେଲେ ଏହି କେନ୍ଦ୍ର ଲୋକଙ୍କ ଅଭିଯୋଗର ବିସ୍ତୃତ ସୂଚନା ରଖିବା ପରେ ବି ଠିକଣା ଭାବେ ସମାଧାନ କରିପାରୁ ନାହିଁ । ଏହି କଣ୍ଟ୍ରୋଲରୁମ୍ କେବଳ ଲୋକଙ୍କ ଅଭିଯୋଗଟି ସମ୍ପୃକ୍ତ ଅଞ୍ଚଳର ଜଳ ଯୋଗାଣ ଅଧିକାରୀଙ୍କ ପଠାଇ ଦେଇ ନିଜ କାମ ସାରିଦେଉଛି ।
ୱାଟ୍କୋ ତାହାର ୨୪ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଖୋଲିବା ସହିତ ଏଥିପାଇଁ ଟୋଲ ଫ୍ରି ନମ୍ବର ଜାରି କରିଛି । ଏ ସଂକ୍ରାନ୍ତରେ ପ୍ରଚାର ବି ଜୋର ହେଉଛି । ହେଲେ ଯଦି ଜଣେ ହିତାଧିକାରୀ ଏହି କେନ୍ଦ୍ରରେ ଅଭିଯୋଗ କରୁଛନ୍ତି ତାହାର ସମାଧାନ ହେଉଛି ନାହିଁ କଣ୍ଟ୍ରୋଲରୁମ୍ କର୍ତ୍ତୃପକ୍ଷ ତାହା ଜାଣିପାରୁ ନାହାନ୍ତି ।
ପ୍ରଥମେ ହିତାଧିକାରୀ ଜଣଙ୍କ ଫୋନ୍ କଲାପରେ ତାହାଠାରୁ ବିସ୍ତୃତ ସୂଚନା ମଗାଯାଉଛି । ଏପରିକି ହିତାଧିକାରୀଙ୍କ ଘରଠିକଣା, ପାଣି ବିଲ୍ରେ ଥିବା ନମ୍ବର, ଫୋନ୍ ନମ୍ବର ଆଦି ଦେଲାପରେ ବି ୱାର୍ଡ ନମ୍ବର, ପିନ୍ ନମ୍ବର ଆଦି ପଚରା ଯାଉଛି । ହିତାଧିକାରୀଙ୍କର ଘର ନମ୍ବର କିମ୍ବା ପାଣି ବିଲ୍ରେ ଥିବା ନମ୍ବରରୁ କଣ୍ଟ୍ରୋଲରୁମ୍ ଅଭିଯୋଗକାରୀଙ୍କ ଅଞ୍ଚଳ ସଂକ୍ରାନ୍ତରେ ସୂଚନା ପାଉନାହାନ୍ତି । ମୋବାଇଲ୍ ନମ୍ବର ରଖୁଥିଲେ ବି ଅଭିଯୋଗର ନମ୍ବର ମେସେଜ୍ ଆକାରରେ ହିତାଧିକାରୀ ନିକଟକୁ ଆସୁନାହିଁ ।
ଯଦି ଅଭିଯୋଗ ଦରଜ କରୁଥିବା ବ୍ୟକ୍ତି ଜଣଙ୍କ ନିଜ ଆଡୁ ଦରଜ ହେଉଥିବା ଅଭିଯୋଗ ନମ୍ବର ମାଗୁଛନ୍ତି ତେବେ ତାହାକୁ ଟେଲିଫୋନ୍ରେ ଡାକି ଦେଉଛନ୍ତି । ବର୍ତ୍ତମାନ ସୁଦ୍ଧା ହିତାଧିକାରୀଙ୍କ ମୋବାଇଲ୍କୁ ତାଙ୍କର ଅଭିଯୋଗ ନମ୍ବର ପଠାଇବା ବ୍ୟବସ୍ଥା କାର୍ଯ୍ୟକାରୀ ହୋଇପାରି ନାହିଁ । ଫଳରେ ଯଦି ଅଭିଯୋଗନମ୍ବର ପାଇନଥିବା ବ୍ୟକ୍ତିଜଣଙ୍କ ଦ୍ୱିତୀୟଥର ଫୋନ୍ କରୁଛନ୍ତି ତେବେ ତାଙ୍କୁ ‘ଦାସେ ଆଇଲେ ମୂଳରୁ ଗା’ ନୀତିରେ ପୁଣିଥରେ ନିଜର ବିସ୍ତୃତ ସୂଚନା ଦେବାକୁ ପଡୁଛି ।
ସେହିଭଳି ଖରାଦିନେ ପାଣି ଟୋପାଏ ପାଇଁ ଅଭିଯୋଗ କରୁଥିବା ବ୍ୟକ୍ତିଙ୍କର ସମସ୍ୟାର ସମାଧାନ ହେଲା କି ନାହିଁ ସେ ସଂକ୍ରାନ୍ତରେ କଣ୍ଟ୍ରୋଲରୁମ୍ ପାଖରେ ଖବର ନାହିଁ କି ସେମାନେ ଜାଣିବାକୁ ଚାହୁଁନାହାନ୍ତି । କେବଳ ଅଭିଯୋଗକାରୀଙ୍କ ଅଭିଯୋଗଟି ସମ୍ପୃକ୍ତ ୱାର୍ଡର ଜଳଯୋଗାଣ କର୍ମଚାରୀଙ୍କ ନିକଟକୁ ପଠାଇଦେଇ ନିଜର ପାଇଟି ସାରି ଦେଉଛନ୍ତି । ଯଦି ଅଭିଯୋଗକାରୀ ନିଜ ଅଞ୍ଚଳର ଜଳ ଯୋଗାଣ ଦପ୍ତର କିମ୍ବା ଯନ୍ତ୍ରୀଙ୍କର ଫୋନ୍ ନମ୍ବର ମାଗୁଛନ୍ତି ତାହା ବି କଣ୍ଟ୍ରୋଲରୁମ୍ କର୍ମଚାରୀ ଦେଇପାରୁ ନାହାନ୍ତି ।
ୱାଟ୍କୋ କର୍ତ୍ତୃପକ୍ଷ ଅଭିଯୋଗ ଗ୍ରହଣ ଓ ଦରଜ ଦାୟିତ୍ୱ ଗୋଟିଏ ସଂସ୍ଥା ହାତରେ ଟେକି ଦେଇ ବସିଥିବାବେଳେ ଦରଜ ହେଉଥିବା ଅଭିଯୋଗ କିଭଳି ସମାଧାନ ହେଉଛି ସେ ସଂକ୍ରାନ୍ତରେ ଖୋଳତାଡ ବି କରୁନାହାନ୍ତି । ଅଭିଯୋଗ ଦରଜର ଦୁଇ ଚାରିଦିନ ପରେ ଏହା ସମାଧାନ ହେଲା କି ନାହିଁ ସେ ସଂକ୍ରାନ୍ତରେ ଅଭିଯୋଗକାରୀଙ୍କୁ କେହି ବି ଫୋନ୍ କରୁନାହାନ୍ତି । ବର୍ତ୍ତମାନ ରାଜଧାନୀରେ କେତେକ ସ୍ଥାନରେ ଲୋକେ ପାନୀୟଜଳ ସମସ୍ୟାର ସମ୍ମୁଖୀନ ହେଉଥିବାବେଳେ ୱାଟ୍କୋର ଏହି ବହୁ ପ୍ରଚାରିତ କଣ୍ଟ୍ରୋଲରୁମ୍ ସେମାନଙ୍କ ସମସ୍ୟାକୁ ବହୁଗୁଣିତ କରିଦେଉଛି । (ତଥ୍ୟ)