ଭୁବନେଶ୍ୱର : ଓଡିଶାର ପାଖାପାଖି ୬୫ ପ୍ରତିଶତ ଲୋକ ଏବେ ବି ପାରମ୍ପରିକ ଜାଳେଣି ଯଥା କାଠ, କୋଇଲା ଓ ଘଷି ଉପରେ ନିର୍ଭର କରୁଛନ୍ତି । ଅବଶ୍ୟ ଏହି ତାଲିକାରେ ଓଡିଶା ଉପରକୁ ଝାଡଖଣ୍ଡ ଓ ଛତିଶଗଡ ଅଛନ୍ତି ।
ଏବେ ବି ସମଗ୍ର ଦେଶରେ ୪୧ ପ୍ରତିଶତ ଲୋକ ଖାଦ୍ୟ ପ୍ରସ୍ତୁତ ଓ ଅନ୍ୟାନ୍ୟ କାର୍ଯ୍ୟ ଲାଗି କାଠ, କୋଇଲା ଓ ଗୋବରଘଷି ଭଳି ଜାଳେଣି ଉପରେ ନିର୍ଭର କରୁଛନ୍ତି । ଗ୍ରାମାଞ୍ଚଳରେ ଏହି ହାର ୫୬ ପ୍ରତିଶତ ରହିଛି । ଜାତୀୟ ସ୍ୱାସ୍ଥ୍ୟ ସର୍ବେକ୍ଷଣ -୫ ର ସୂଚନା ଅନୁଯାୟୀ ପାରମ୍ପରିକ ଜାଳେଣି ବ୍ୟବହାର କ୍ଷେତ୍ରରେ ଓଡିଶା ଦେଶର ତିନି ନମ୍ବର ସ୍ଥାନରେ ରହିଛି । ପ୍ରଥମ ସ୍ଥାନରେ ଥିବା ଝାଡଖଣ୍ଡରେ ସର୍ବାଧିକ ୬୭.୮ ପ୍ରତିଶତ ଲୋକ କାଠ, କୋଇଲା, ଗୋବର ଘଷି ଜାଳୁଥିବାବେଳେ ଛତିଶଗଡରେ ଏହି ସଂଖ୍ୟା ୬୬.୪ ଏବଂ ଓଡିଶାରେ ୫୪.୯ ପ୍ରତିଶତ ରହିଛି । ଓଡିଶା ତଳକୁ ବିହାର ରହିଛି ଯେଉଁଠାରେ ଏହି ହାର ହେଉଛି ୬୨ ପ୍ରତିଶତ ।
ଏହି ସର୍ବେକ୍ଷଣ ଅନୁଯାୟୀ ସମଗ୍ର ଦେଶରେ ୫୮.୬ ପ୍ରତିଶତ ଲୋକ ରନ୍ଧନଗ୍ୟାସ, ଗୋବରଗ୍ୟାସ, ବିଦ୍ୟୁତ୍ ଭଳି ସ୍ୱଚ୍ଛ ଇନ୍ଧନ ବ୍ୟବହାର କରିଥାନ୍ତି । ଏହି ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ଏପରିକି ଜାତୀୟ ସ୍ୱାସ୍ଥ୍ୟ ସର୍ବେକ୍ଷଣ-୪ ତୁଳନାରେ ଏହି ସଂଖ୍ୟାରେ ୧୫ ପ୍ରତିଶତ ଅଭିବୃଦ୍ଧି ପରିଲକ୍ଷିତ ହୋଇଛି ।
ତେବେ ଗାଁ ଗହଳର ଲୋକ ବିଶେଷକରି ମହିଳାମାନଙ୍କୁ ଧୂଆଁ କବଳରୁ ମୁକ୍ତ କରିବାପାଇଁ କେନ୍ଦ୍ର ସରକାର ଉଜ୍ୱଳା ଯୋଜନା ଆରମ୍ଭ କରିଥିବାବେଳେ ଗ୍ୟାସ ଦର ଅହେତୁକ ବୃଦ୍ଧି ଯୋଗୁଁ ତାହା ଆଉ ପୂର୍ବଭଳି ଆଦୃତ ହୋଇପାରୁ ନାହିଁ । ଏପରିକି କେନ୍ଦ୍ର ସରକାର ଏହି ଯୋଜନାରେ ମାଗଣାରେ ଗ୍ୟାସ ସିଲିଣ୍ଡର ଓ ଚୂଲା ଯୋଗାଇଥିଲେ ମଧ୍ୟ ଘରୋଇ ଗ୍ୟାସ ସିଲିଣ୍ଡର ଦର ହଜାରେ ଟଙ୍କା ଟପି ଥିବାରୁ ଅନେକ ଗରିବ ପରିବାର ନିୟମିତ ଭାବେ ସିଲିଣ୍ଡର ଖରିଦ କରିପାରୁ ନାହାନ୍ତି ।
ଉଲ୍ଲେଖନୀୟ ଯେ ଇତି ମଧ୍ୟରେ କେନ୍ଦ୍ର ସରକାର ଉଜ୍ୱଳା ଯୋଜନାରେ ସବସିଡ୍କୁ ବନ୍ଦ କରି ତାହା ସ୍ଥାନରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା କାର୍ଯ୍ୟକାରୀ କରୁଛନ୍ତି । ଏଥି ସହିତ କେନ୍ଦ୍ର ସରକାର ବି ରନ୍ଧନଗ୍ୟାସରେ ଦେଉଥିବା ସବସିଡ୍କୁ ହ୍ରାସ କରୁଛନ୍ତି । ୨୦୧୭-୧୮ ରୁ ୨୦୧୯-୨୦ ପର୍ଯ୍ୟନ୍ତ ବର୍ଷକୁ ୨୮ହଜାର କୋଟି ଟଙ୍କାରୁ ଅଧିକ ଅର୍ଥ ଗ୍ୟାସ ସବସିଡ୍ ବାବଦରେ କେନ୍ଦ୍ର ସରକାର ପ୍ରଦାନ କରୁଥିବାବେଳେ ୨୦୨୦-୨୧ ରେ ତାହା ପାଖପାଖି ୧୨ହଜାର କୋଟି ଟଙ୍କାକୁ ହ୍ରାସ ପାଇଥିଲା । ଏହି ବର୍ଷ ସରକାର ସାଧାରଣ ଗ୍ରାହକଙ୍କୁ ଗ୍ୟାସ ସବସିଡି ବାବଦରେ ୩୬୫୮ କୋଟି ଟଙ୍କା ବ୍ୟୟ କରିଥିବାବେଳେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ୮୧୬୨ କୋଟି ଟଙ୍କା ବ୍ୟୟ କରିଥିଲେ ।
ଗୋଟିଏ ପଟେ ରନ୍ଧନଗ୍ୟାସ ଦର ବୃଦ୍ଧି ଓ ଅନ୍ୟ ପଟେ ବାୟୋଗ୍ୟାସ ଓ ସୌରଶକ୍ତିର ବ୍ୟବହାର ନେଇ ସେଭଳି ସଚେତନତା ନଥିବାରୁ ଓଡିଶା ଭଳି ରାଜ୍ୟରେ ଏତେ ସଂଖ୍ୟାରେ ଲୋକେ ଏବେ ବି ପାରମ୍ପାରିକ ଜାଳେଣି ଉପରେ ନିର୍ଭର କରୁଛନ୍ତି । ଏହାର ପ୍ରଭାବ କେବେଳ ମହିଳାଙ୍କ ସ୍ୱାସ୍ଥ୍ୟ ଉପରେ ପଡୁନାହିଁ, ରାଜ୍ୟରେ ଜଙ୍ଗଲ କ୍ଷୟର ମଧ୍ୟ ଏହା ଅନ୍ୟତମ କାରଣ ବୋଲି ବିଶେଷଜ୍ଞମାନେ ମତ ଦେଉଛନ୍ତି । (ତଥ୍ୟ)