Home News in Odia କଲବଲ ହେଉଛନ୍ତି ଥାଲାସେମିଆ ରୋଗୀ

କଲବଲ ହେଉଛନ୍ତି ଥାଲାସେମିଆ ରୋଗୀ

ଭୁବନେଶ୍ୱର : ନିୟମିତ ରକ୍ତ ଆବଶ୍ୟକ କରୁଥିବା ଥାଲାସେମିଆ ରୋଗୀମାନେ ଏବେ ରାଜଧାନୀରେ ରକ୍ତ ଟିକେ ପାଇବାପାଇଁ କଲବଲ ହେଉଛନ୍ତି । ସରକାରୀ ରକ୍ତଭଣ୍ଡାରରେ ଗୁରୁତର ରକ୍ତ ସଙ୍କଟ ଯୋଗୁଁ ଏଭଳି ଅବସ୍ଥା ସୃଷ୍ଟି ହୋଇଛି ।

କ୍ୟାପିଟାଲ ହସ୍ପିଟାଲ ପରିସରରେ ଥିବା ସରକାରୀ ରକ୍ତଭଣ୍ଡାର ଉପରେ ସାତ ଶହାରୁ ଉର୍ଦ୍ଧ୍ୱ ଥାଲାସେମିଆ ରୋଗୀ ନିୟମିତ ରକ୍ତ ନେବାପାଇଁ ନିର୍ଭରଶୀଳ । ଏମାନେ ରକ୍ତଭଣ୍ଡାରରୁ କିଭଳି ସୁବିଧାରେ ଓ ସହଜରେ ରକ୍ତ ପାଇବେ ସେଥିପାଇଁ ନାମ ପଞ୍ଜିକରଣ କରିଛନ୍ତି । ଏମାନଙ୍କ ମଧ୍ୟରେ କିଏ ମାସକୁ ଗୋଟିଏ ତ ଆଉ କିଏ ଆବଶ୍ୟକ ମୁତାବକ ଦୁଇ ତିନିଟ ରକ୍ତ ନେଇଥାନ୍ତି । ଥାଲାସେମିଆ ଆକ୍ରାନ୍ତମାନଙ୍କୁ ସମ୍ପୂର୍ଣ୍ଣ ମାଗଣାରେ ଓ ଅଗ୍ରାଧିକାର ଭିତ୍ତିରେ ରକ୍ତ ଯୋଗାଇ ଦେବାର ବ୍ୟବସ୍ଥା ରହିଛି ।

ହେଲେ ବର୍ତ୍ତମାନ ଏହି ରକ୍ତଭଣ୍ଡାରରେ ରକ୍ତର ଘୋର ଅଭାବ । ରକ୍ତଦାନ ଶିବିର ପୂର୍ବଭଳି ଆୟୋଜିତ ହେଉନଥିବା ଓ ଯେଉଁସବୁ ସଂସ୍ଥାଗୁଡିକ ବଡ ବଡ ରକ୍ତଦାନ ଶିବିର ଆୟୋଜନ କରୁଥିଲେ ସେମାନେ ଆଗ୍ରହ ଦେଖାଉନଥିବାରୁ ଏଭଳି ଅବସ୍ଥା ସୃଷ୍ଟି ହୋଇଛି । ଜୀବନ ବିନ୍ଦୁ ଓ କମିଶନରେଟ ପୁଲିସ୍‍ ଭଳି ସଂସ୍ଥାମାନେ ଆୟୋଜନ କରୁଥିବା ଗୋଟିଏ ଗୋଟିଏ ରକ୍ତଦାନ ଶିବିରରେ ୪୦୦/୫୦୦ ପ୍ୟାକେଟ ରକ୍ତସଂଗ୍ରହ ହୋଇପାରୁଥିଲା । ସେହି ଅବସ୍ଥା ଏବେ ନାହିଁ । କାଁ ଭାଁ ଆୟୋଜିତ ରକ୍ତଦାନ ଶିବିରୁ ୧୫/୨୦ପ୍ୟାକେଟ ରକ୍ତ ଉପଲବ୍ଧ ହେଉଛି ।

ଏହି ସରକାରୀ ରକ୍ତଭଣ୍ଡାର ଉପରେ ଥାଲାସେମିଆ ରୋଗୀଙ୍କ ସହିତ କ୍ୟାପିଟାଲ ହସ୍ପିଟାଲର ରୋଗୀମାନେ ନିର୍ଭରଶୀଳ । ଏଥି ସହିତ ସହରର ଅନ୍ୟାନ୍ୟ ଡାକ୍ତରଖାନାରୁ ମଧ୍ୟରେ ଜରୁରୀ ସମୟରେ ଏଠାରୁ ରକ୍ତ ଯୋଗାଇ ଦିଆଯାଉଛି । ହେଳେ ବର୍ତ୍ତମାନ ରକ୍ତ ସଙ୍କଟ ଯୋଗୁଁ କାହାକୁ ଆଗ ରକ୍ତ ଦିଆଯିବ ତାହାକୁ ନେଇ କର୍ତ୍ତୃପକ୍ଷ ଦ୍ୱନ୍ଦରେ ପଡୁଛନ୍ତି । ଅବସ୍ଥା ଏଭଳି ହୋଇଛି ଯେ ଆସୁଥିବା ଥାଲାସେମିଆ ରୋଗୀଙ୍କ ହିମୋଗ୍ଲାବିନ ସ୍ତର ଦେଖି ଯେଉଁମାନେ ବିପଦଜନକ ସ୍ଥିତିରେ ରହିଛନ୍ତି ସେମାନଙ୍କୁ ପ୍ରଥମେ ରକ୍ତ ଦିଆଯାଉଛି । ସାମାନ୍ୟ ଅଧିକ ହିମୋଗ୍ଲୋବିନ ସ୍ତର ଥିବା ଆକ୍ରାନ୍ତଙ୍କୁ ଅପେକ୍ଷ କରିବାକୁ କୁହାଯାଉଛି । ଅନ୍ୟ ପକ୍ଷରେ ରେଡକ୍ରସ ରକ୍ତଭଣ୍ଡାରରେ ରକ୍ତ ଉପଲବ୍ଧ ହେଉଥିଲେ ମଧ୍ୟ ସେଥିପାଇଁ ଅର୍ଥ ଦେବାକୁ ପଡୁଥିବାରୁ ଗରିବ ଥାଲାସେମିଆ ରୋଗୀମାନେ ସେଠାରୁ ରକ୍ତ ନେବାକୁ ରାଜି ହେଉନାହାନ୍ତି ।

ରକ୍ତଭଣ୍ଡାର କର୍ମଚାରୀଙ୍କ କହିବାକଥା ଯେ ଗୋଟିଏ ପଟେ ରକ୍ତଦାନ ଶିବିର ପୂର୍ବଭଳି ହେଉନଥିବାବେଳେ ଗ୍ରୀଷ୍ମଋତୁ ଯୋଗୁଁ ଏବେ ରକ୍ତ ସଂଗ୍ରହ ହ୍ରାସ ପାଇଛି । ପରିସ୍ଥିତିର ମୁକାବିଲା ପାଇଁ ରାଜଧାନୀରେ ଥିବା ଘରୋଇ ଚିକିତ୍ସାଳୟମାନେ ନିଜଆଡୁ ରକ୍ତଦାନ ଶିବିର ଆୟୋଜନ କରିବାକୁ କୁହାଯାଇଛି । ଆଗାମୀ ଦିନରେ ଯଦି ମେଗା ରକ୍ତଦାନ ଶିବିର ଆୟୋଜନ ନହେବ ତେବେ ପରିସ୍ଥିତି ବିଗିଡିବ ବୋଲି ମତପ୍ରକାଶ ପାଇଲାଣି । ଏଭଳି ସ୍ଥିତିରେ ସହରରେ ଥିବା ବିଭିନ୍ନ ଶିକ୍ଷାନୁଷ୍ଠାନଗୁଡିକ ଆଗେଇ ଆସିବାକୁ ରକ୍ତଦାନ କ୍ଷେତ୍ରରେ କାର୍ଯ୍ୟରତ ସ୍ୱେଚ୍ଛାସେବୀମାନେ ମତ ଦେଉଛନ୍ତି । (ତଥ୍ୟ)