Home Health କଲବଲ କରୁଛନ୍ତି ମଶା

କଲବଲ କରୁଛନ୍ତି ମଶା

ଭୁବନେଶ୍ୱର : ରାଜଧାନୀରେ କାଳବୈଶାଖୀ ବର୍ଷା ସହିତ ଏବେ ମଶାଙ୍କ ଉତ୍ପାତ ଆରମ୍ଭ ହୋଇଯାଇଛି । ରାତି ବେଳା ତ ଦୂରରକଥା ଦିନରେ ବି ଲୋକେ ମଶା କାମୁଡାରେ କଲବଲ ହେଉଛନ୍ତି । ତେବେ ମଶା ନିୟନ୍ତ୍ରଣ ପାଇଁ ଥିବା ବିଏମ୍‍ସିର ସ୍ୱାସ୍ଥ୍ୟ ପ୍ରଶାସନର ଉଦାସୀନତା ଯୋଗୁଁ ମଶାବଂଶ ବୃଦ୍ଧି ସହିତ ଆଗାମୀ ବର୍ଷାଋତୁରେ ସ୍ଥିତି ଅଣାୟତ ହେବ ବୋଲି ଆଶଙ୍କା କରାଗଲାଣି ।

ରାଜଧାନୀରେ ୧୧ଟି ବଡ ନାଳ ସହିତ ଅନେକ ଛୋଟ ଛୋଟ ନାଳ ଓ ହଜାରେ ପାଖାପାଖି ବସ୍ତି ରହିଛି । ବସ୍ତିଗୁଡିକର ନର୍ଦ୍ଦମା ଜଳ ଏହି ନାଳରେ ଯାଉଥିବାବେଳେ ଅନେକ ସ୍ଥାନରେ ବେସରକାରୀ ଘରଗୁଡିକ ମଧ୍ୟ ସେମାନଙ୍କର ଘର ମଇଳା ପାଣିକୁ ଏହି ନାଳକୁ ଛାଡି ଦେଉଛନ୍ତି । କେତେକ ସ୍ଥାନରେ ତ ନାଳ ଉପରେ ବସ୍ତିବାସିନ୍ଦାମାନେ ଅସ୍ଥାୟୀ ପାଇଖାନା ତିଆରି କରିଛନ୍ତି । ଫଳରେ ବର୍ଷାଜଳ ନିଷ୍କାସନ ପାଇଁ ସହର ଭିତରେ ଥିବା ନାଳ ସମେତ ଅବ୍ୟବହୃତ ଜମି ଏବେ ମଶା ପ୍ରଜନନ କେନ୍ଦ୍ର ପାଲଟିଛି ।

ରାଜଧାନୀରେ ମଶାବଂଶ ନିୟନ୍ତ୍ରଣ ପାଇଁ ଜଣେ ସ୍ୱାସ୍ଥ୍ୟ ଅଧିକାରୀଙ୍କ ସମେତ ସ୍ୱାସ୍ଥ୍ୟ ଇନ୍ସପେକ୍ଟର ଓ ଦୁଇ ଶହ ପାଖାପାଖି କର୍ମଚାରୀ ରହିଛନ୍ତି । ବିଏମ୍‍ସି ସ୍ୱାସ୍ଥ୍ୟ ପ୍ରଶାସନ ଅଧିନରେ କାର୍ଯ୍ୟରତ ଏହି ଅଧିକାରୀମାନେ ରାଜଧାନୀବାସୀଙ୍କୁ ମଶା କାମୁଡାରୁ ରକ୍ଷା କରିବାକଥା । ହେଲେ ଏଠାରେ କାର୍ଯ୍ୟରତ ବାବୁମାନେ କ୍ଷେତ୍ର ସ୍ତରକୁ ଯିବା ଦେଖିବାକୁ ମିଳୁନଥିବାବେଳେ ମଶାତେଲ ଅଭାବ ଯୋଗୁଁ ଅଧିକାଂଶ ସମୟରେ ଶହ ଶହ କର୍ମଚାରୀ ହାତବାନ୍ଧି ବସୁଛନ୍ତି ।

ପୂର୍ବରୁ ଯେଭଳି ବିଏମ୍‍ସି କର୍ମଚାରୀମାନେ ନିୟମିତ ଭାବେ ନାଳ ନର୍ଦ୍ଦମାରେ ମଶା ଲାର୍ଭା ନାଶକ ତେଲ ସିଞ୍ଚନ କରୁଥିଲେ ତାହା ଆଉ ହେଉନାହିଁ । ଟେଣ୍ଡର ଜରିଆରେ ଠିକଣା ସମୟରେ ମଶାତେଲ ଖରିଦ ହେଉନଥିବାରୁ ସିଞ୍ଚନ ଦାୟିତ୍ୱରେ ଥିବା କର୍ମଚାରୀମାନେ ହାତବାନ୍ଧି ବସୁଛନ୍ତି । ସେହିଭଳି ସହରର କେଉଁ ଅଞ୍ଚଳରେ ମଶାଙ୍କ ସାନ୍ଧ୍ରତା କେତେ ରହୁଛି ତାହାର ତଦାରଖ କରିବାକୁ ଥିବା ବାବୁମାନେ ଆଦୌ କ୍ଷେତ୍ର ସ୍ତରକୁ ଓହ୍ଲାଉ ନାହାନ୍ତି । ଯଦି କେଉଁଠାରୁ କାଁ ଭାଁ ଅଭିଯୋଗ ଆସୁଛି ତେବେ ସେଠାରେ ଘେରାଏ ମଶାଧୂଆଁ ଛାଡୁଥିବା ଗାଡି ବୁଲାଇ ଆଣୁଛନ୍ତି । ଧୂଆଁ ପ୍ରଭାବରେ ଉଡି ଯାଉଥିବା ମଶା କିଛି ସମୟ ପରେ ପୁଣି ଆସି ଲୋକଙ୍କୁ କାମୁଡିବା ଆରମ୍ଭ କରିଦେଉଛନ୍ତି ।

ନାଳ ନର୍ଦ୍ଦମା ଠିକଣା ଭାବେ ସଫା ହେଉନଥିବାବେଳେ ଏଠାରେ ମଶାବଂଶ ବିସ୍ତାରକୁ ରୋକିବାପାଇଁ ଗମ୍ବୁସିଆ ମାଛ ଚାଷ ଯୋଜନା ଏବେ ଇତିହାସ ପାଲଟି ଯାଇଛି । ଏ ବାବଦରେ ବ୍ୟାପକ ଅର୍ଥ ଖର୍ଚ୍ଚ ସତ୍ୱେ ସେଭଳି ଲାଭ ମିଳିନାହିଁ । ଫଳରେ ସହରର ଚାରିଆଡେ ଏବେ ମଶାଙ୍କ ଉତ୍ପାତ ଆରମ୍ଭ ହୋଇଛି । ଲୋକେ ମଶା କାମୁଡାରୁ ରକ୍ଷା ପାଇବାପାଇଁ ଏବେ ମଶାରୀ ସମେତ ବିଭିନ୍ନ ପ୍ରକାର ସ୍ପ୍ରେ, ମଶାବତୀ, ମଶା ମରା ର‌୍ୟାକେଟ ଆଦି ବିପୁଳ ପରିମାଣରେ ଖରିଦ କରୁଛନ୍ତି ।

ଏଭଳି ସ୍ଥିତିରେ ବିଏମ୍‍ସିର ସଫେଇ ବ୍ୟବସ୍ଥାକୁ ଘରୋଇକରଣ ମାଧ୍ୟମରେ ଯେଭଳି ସଜଡାଯାଇ ପାରିଲା ଅନୁରୂପ ଭାବେ ମଶା ନିୟନ୍ତ୍ରଣ ବ୍ୟବସ୍ଥାର ଘରୋଇକରଣ ପାଇଁ ସାଧାରଣରେ ମତପ୍ରକାଶ ପାଇଲାଣି । ଏହା ହେଲେ ଠିକଣା ସମୟରେ ମଶାତେଲ ଖରିଦ ସହିତ ଆବଶ୍ୟକ ସ୍ଥଳେ ତାହା ନିୟମିତ ଭାବେ ସିଞ୍ଚନ କରାଯାଇ ପାରିବ ।

କାରଣ ଏବେ ରାଜ୍ୟ ସରକାର ମଶା ନିୟନ୍ତ୍ରଣ ପାଇଁ ବିପୁଳ ଅର୍ଥ ଯୋଗାଉଥିଲେ ମଧ୍ୟ କିଛି ଅନଭିଜ୍ଞ ଅଧିକାରୀଙ୍କୁ ଯୋଗୁଁ ମଶା ତେଲ କିଣା ଓ ସିଞ୍ଚନରେ ତାଳମେଳ ରହୁନଥିବାରୁ ସହରର ଅନ୍ୟ ସ୍ଥାନ ତ ଦୂରରକଥା ଲୋକସେବାଭବନ, ରାଜଭବନ ଆଖପାଖ ଅଞ୍ଚଳରେ ମଶା ଭଣ ଭଣ ହେଉଛନ୍ତି । ତେଣୁ ବିଏମ୍‍ସିର ନୂତନ ମେୟର ଓ କର୍ପୋରେଟରମାନେ ତୁରନ୍ତ ଏହା ଉପରେ ପଦକ୍ଷେପ ଗ୍ରହଣ ପାଇଁ ଦାବି ହେଉଛି । (ତଥ୍ୟ)