ଭୁବନେଶ୍ୱର : ସରକାରୀ ଚିଠିପତ୍ରକୁ ଇ-ଡେସପାଚରେ ଅପଲୋଡ କରିବାପାଇଁ ତାଲିମ ନେଲେ । ଆଇଟି ବିଶେଷଜ୍ଞମାନେ ତାଲିମ ପ୍ରଦାନ କରିବାପରେ କର୍ମଚାରୀଙ୍କୁ ସେମାନଙ୍କ ବିଭାଗର ପାସ୍ୱାର୍ଡ ଦିଆଗଲା । ହେଲେ ତାଲିମ ନେଇଥିବା କର୍ମଚାରୀମାନେ ଠିକଣା ଭାବେ ନିଜ ଦାୟିତ୍ୱ ତୁଲାଉ ନଥିବାରୁ ସରକାର ଏବେ ବିଭିନ୍ନ ସ୍ତରରୁ ସମାଲୋଚନାର ଶରବ୍ୟ ହେଉଛନ୍ତି ।
ସରକାରଙ୍କ ବିଭିନ୍ନ ଚିଠିପତ୍ର ସଂକ୍ରାନ୍ତରେ ସର୍ବସାଧାରଣ ଲୋକେ ଅବଗତ ହେବାପାଇଁ ଇ-ଡେସପାଚ୍ ପୋର୍ଟାଲ ପ୍ରସ୍ତୁତ ହୋଇଛି । ଏହାକୁ ସହଜରେ ପାଇବାପାଇଁ ଓଡିଶା ସରକାରଙ୍କ ୱେବ ପୋର୍ଟାଲ ସହିତ ଯୋଡାଯାଇଛି । ଆରମ୍ଭରୁ ଇ-ଡେସ୍ପାଚ ପ୍ରଶଂସା ସାଉଁଟିବା ସହିତ ଅନ୍ୟ ରାଜ୍ୟମାନେ ଓଡିଶା ପ୍ରସ୍ତୁତ ଏହି ସଫ୍ଟୱେରକୁ ଖରିଦ କରି ନେଇଥିଲେ । ହେଲେ ଏବେ ଆଉ ଇ-ଡେସପାଚ୍ରେ ବର୍ଷ ବର୍ଷ ଧରି ଅଧିକାଂଶ ବିଭାଗର ଚିଠିପତ୍ର ଅପଲୋଡ ହେଉନାହିଁ । କେଉଁ ବିଭାଗ ବର୍ଷେ ହେଲା ଚିଠି ଅପ୍ଲୋଡ କରିନାହିଁ ତ ଆଉ କିଏ କିଛି ଦୁଇ ବର୍ଷରୁ ଅଧିକ ।
ତେବେ ଏ ସଂକ୍ରାନ୍ତରେ ଅନୁଧ୍ୟାନରୁ ଜଣାଯାଇଛି ଯେ ପ୍ରତ୍ୟେକ ବିଭାଗ ନିଜ ନିଜର ଚିଠିପତ୍ର ଅପଲୋଡ କରିବାପାଇଁ ସ୍ୱତନ୍ତ୍ର ଭାବେ କର୍ମଚାରୀଙ୍କୁ ଦାୟିତ୍ୱ ଦେଇଥିବାବେଳେ ଆଇଟି ବିଭାଗ ପକ୍ଷରୁ ସେମାନଙ୍କୁ ତାଲିମ ଦିଆଯାଇଛି । ଏଥି ସହିତ କମ୍ପ୍ୟୁଟର ଓ ପାସ୍ୱାର୍ଡ ପ୍ରଦାନ କରାଯାଇଛି । ହେଲେ ଏହି କର୍ମଚାରୀମାନେ ଜରୁରୀ ଓ ଗୋପନୀୟ ଚିଠି ତ ଦୂରରକଥା ସାଧାରଣ ଚିଠିପତ୍ର ଗୁଡିକ ମଧ୍ୟ ଅପଲୋଡ କରୁନାହାନ୍ତି ।
ଇ-ଡେସପାଚ୍ ପରିଚାଳନା ଦାୟିତ୍ୱରେ ଥିବା ଆଇଟି ବିଭାଗ ମଧ୍ୟ ଏ ଦିଗରେ ଖୋଳତାଡ କରୁନାହିଁ । ଲୋକସେବା ଭବନରେ ଆଇଟି ସେଲ୍ ଦାୟିତ୍ୱରେ ଏବେ ଏନ୍ଆଇସିର ଜଣେ ଅଧିକାରୀଙ୍କୁ ଡେପୁଟେସନରେ ଅଣାଯାଇଛି । ତାଙ୍କର ଦୁଇ ସ୍ଥାନରେ ଦାୟିତ୍ୱ ଯୋଗୁଁ ଆଇଟି ବିଭାଗ ପାଇଁ ଠିକଣା ଭାବେ ସମୟ ଦେଇ ପାରୁନାହାନ୍ତି । ପୂର୍ବରୁ ଆଇଟି ସେଲ୍ ଦାୟିତ୍ୱରେ ରାଜ୍ୟ ସରକାରଙ୍କ ଆଇଟି ବିଶେଷଜ୍ଞମାନେ ଥିବାବେଳେ କାହିଁକି ଏନ୍ଆଇସି ଅଧିକାରୀଙ୍କୁ ଡେପୁଟେସନରେ ଆଣି ଏଠାରେ ବସାଯାଉଛି ତାହା ଏବେ ପ୍ରଶ୍ନବାଚୀ ହୋଇଛି ।
ବିଭାଗଗୁଡିକର ଏଭଳି ଅବହେଳା ଯୋଗୁଁ ସରକାର ଏବେ ଇ-ଡେସପାଚ୍କୁ ନେଇ ସମାଲୋଚନାର ଶିକାର ହେଉଛନ୍ତି । କାରଣ ରାଜ୍ୟବାସୀ ଏପରିକି ବିଶ୍ୱର ବିଭିନ୍ନ ପ୍ରାନ୍ତରେ ଥିବା ଲୋକେ ଓଡିଶା ସରକାରଙ୍କ ନିଷ୍ପତ୍ତି ସଂକ୍ରାନ୍ତୀୟ ଚିଠିପତ୍ର ଇ-ଡେସପାଚରୁ ଖୋଜିଥାନ୍ତି । ହେଲେ ହାତ ଗଣତି ଗୋଟିଏ ଦୁଇଟି ବିଭାଗକୁ ବାଦ୍ ଦେଲେ ଏକାଧିକ ବିଭାଗ ଯେଭଳି ବର୍ଷ ବର୍ଷ ଧରି ଚିଠିଟିଏ ଅପଲୋଡ କରୁନାହାନ୍ତି ତାହାକୁ ନେଇ ସମାଲୋଚନା ହେଉଛି । ତାଲିମ ନେଇଥିବା କର୍ମଚାରୀମାନେ କାହିଁକି ଏହି କାମଟିକୁ ସୁଚାରୁ ରୂପେ ତୁଲାଉ ନାହାନ୍ତି ବିଭାଗ ପକ୍ଷରୁ ତାହା ଅନୁଧ୍ୟାନ କରାଯିବା ଜରୁରୀ ବୋଲି ମତପ୍ରକାଶ ପାଉଛି । (ତଥ୍ୟ)