Home Industry କରୋନା ମୁକାବିଲାରେ ଶିଳ୍ପସଂସ୍ଥାଙ୍କ କାର୍ପଣ୍ୟତା

କରୋନା ମୁକାବିଲାରେ ଶିଳ୍ପସଂସ୍ଥାଙ୍କ କାର୍ପଣ୍ୟତା

ଭୁବନେଶ୍ୱର : କୋଭିଡର ତୃତୀୟ ଲହର ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତି ଚଳାଇଥିବାବେଳେ ରାଜ୍ୟରେ ଥିବା ଶିଳ୍ପସଂସ୍ଥାମାନେ ଅଧିକ ସଂଖ୍ୟାରେ ଆଗକୁ ଆସୁଥିବା ଲକ୍ଷ୍ୟ କରାଯାଉ ନାହିଁ । ଦ୍ୱିତୀୟ ଲହର ସମୟରେ ବି ହାତଗଣତି କେତୋଟି ଶିଳ୍ପସଂସ୍ଥା ସହାୟତାର ହାତ ବଢାଇଥିଲେ ।

ରାଜ୍ୟରେ ଏବେ କରୋନା ହୁ ହୁ ହୋଇ ବଢୁଥିବାରୁ ଡାକ୍ତରଖାନା ସମେତ ଅକ୍ସିଜେନ୍‍ ଯୁକ୍ତ ଶଯ୍ୟା ପ୍ରସ୍ତୁତ ପାଇଁ କେନ୍ଦ୍ର ସରକାର କହିଛନ୍ତି । ରାଜ୍ୟ ସରକାର ମଧ୍ୟ ନିଜ ଆଡୁ ପଦକ୍ଷେପ ଗ୍ରହଣ କରିବାରେ ଲାଗିଛନ୍ତି । ବିଶେଷକରି ଡାକ୍ତରଖାନାରେ ଅକ୍ସିଜେନ୍‍ ଓ ଆଇସିୟୁ ବ୍ୟବସ୍ଥା ସହିତ ଶିଶୁମାନଙ୍କ ଚିକିତ୍ସାପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରୁଛନ୍ତି ।

ତେବେ ମହାମାରୀ ମୁକାବିଲା କ୍ଷେତ୍ରରେ ଶିଳ୍ପ ସଂସ୍ଥାମାନେ ସେଭଳି ଆଖିଦୃଶିଆ ସହାୟତା ପାଇଁ ଆଗେଇ ଆସିବା ଲକ୍ଷ୍ୟ କରାଯାଉ ନାହିଁ । ଦ୍ୱିତୀୟ ଲହର ସମୟରେ ମାତ୍ର ୧୫ଟି ସଂସ୍ଥା କୋଭିଡ ମୁକାବିଲା ପାଇଁ ସହାୟତା ହାତ ବଢାଇଥିଲେ । ସେମାନଙ୍କ କର୍ପୋରେଟ ସାମାଜିକ ଦାୟିତ୍ୱ (ସିଏସ୍‍ଆର) ପାଣ୍ଠିରୁ ପାଖପାଖି ୧୭୦ କୋଟି ଟଙ୍କା ପ୍ରଦାନ କରିଥିଲେ ।

ଏହି ଟଙ୍କା ମଧ୍ୟରୁ ସିଂହଭାଗ ଅର୍ଥ ଦେଇଥିଲା ମହାନଦୀ କୋଲଫିଲ୍ଡସ ଲିମିଟେଡ । ଏହି ରାଷ୍ଟ୍ରାୟତ ସଂସ୍ଥା ୧୪୬କୋଟି ୪୫ଲକ୍ଷ ୧୭ହଜାର ଟଙ୍କା ପ୍ରଦାନ କରିଥିଲା । ୧୦କୋଟି ୬୭ଲକ୍ଷ ଟଙ୍କା ସହିତ ବେଦାନ୍ତ ଲିମିଟେଡ ଦ୍ୱିତୀୟ ସ୍ଥାନରେ ରହିଥିଲା । ଟାଟା ଷ୍ଟିଲ୍‍ କର୍ତ୍ତୃପକ୍ଷ ୭କୋଟି ୭୭ଲକ୍ଷ ଟଙ୍କା ଦେଇଥିଲେ ରାଉରକେଲା ଷ୍ଟିଲ ପାଣ୍ଟ ପାଖାପାଖି ଦେଢ କୋଟି ଟଙ୍କା ଦେଇଥିଲା ।

ଅନ୍ୟ ୬ଟି ସଂସ୍ଥା ସେମାନଙ୍କ ସିଏସ୍‍ଆର ପାଣ୍ଠିରୁ ୫୦ଲକ୍ଷରୁ କମ୍‍ କରି ଟଙ୍କା ଦେଇଥିଲେ । ଏହି ତାଲିକାରେ ଏସିସି ସିମେଣ୍ଟ ଲିମିଟେଡ ମାତ୍ର ୧୬ଲକ୍ଷ ଟଙ୍କା ପ୍ରଦାନ କରିଥିଲା । ଆଉ ୪ଟି ସଂସ୍ଥାର ସହାୟତା ପରିମାଣ ୧୦ଲକ୍ଷ ଟଙ୍କାରୁ କମ୍‍ ଥିବାବେଳେ ରାଜ୍ୟରେ ଖଣି କାରବାର କରୁଥିବା ଏସେଲ ମାଇନିଂ ମାତ୍ର ୩୪ହଜାର ଟଙ୍କା ଦେଇଥିଲା ।

ଓଡିଶାରେ କିଛିଦିନ ମଧ୍ୟରେ ଅନେକ ବୃହତ୍‍ ଓ ମଧ୍ୟମ ଶିଳ୍ପସଂସ୍ଥା ଗଢି ଉଠିଥିବାବେଳେ ସୁଲଭ ମୂଲ୍ୟରେ ରାଜ୍ୟର ଖଣି, ପାଣି ଓ ଜମି ପାଇ ସେମାନେ ନିଜ ନିଜର କାୟା ବୃଦ୍ଧି କରିଛନ୍ତି । ହେଲେ ରାଜ୍ୟବାସୀଙ୍କ ପାଇଁ ସହାୟତାର କଥା ଉଠିଲା ବେଳକୁ ଏମାନେ କୁନ୍ଥ କୁନ୍ଥ ହେଉଛନ୍ତି । ଏହାର ସବୁଠାରୁ ବଡ ଉଦାହରଣ ହେଉଛି କୋଭିଡ ମହାମାରୀର ଦ୍ୱିତୀୟ ଲହର । ମହାମାରୀ ସମୟରେ ସାଧାରଣ ଲୋକେ ବିଭିନ୍ନ ଉପାୟରେ ସହାୟତାର ହାତ ବଢାଇଥିବାବେଳେ ଶିଳ୍ପସଂସ୍ଥାମାନେ ସିଏସ୍‍ଆର ପାଣ୍ଠି ଖର୍ଚ୍ଚରେ କାର୍ପଣ୍ୟତା ପ୍ରକାଶ କରିବା ସେମାନଙ୍କ ମନୋଭାବକୁ ଏକ ପ୍ରକାର ପଦାରେ ପକାଇ ଦେଇଛି । (ତଥ୍ୟ)