Home Covid କରୋନା କଟକଣାକୁ ନେଇ ସମସ୍ତେ ବେପରୁଆ

କରୋନା କଟକଣାକୁ ନେଇ ସମସ୍ତେ ବେପରୁଆ

ଭୁବନେଶ୍ୱର : ରାଜ୍ୟରେ ଓମିକ୍ରନ ପ୍ରବେଶ କରିବା ପରେ ବି ଲୋକେ କରୋନା କଟକଣା ମାନିବାକୁ ନାରାଜ । ରାତ୍ରୀକାଳୀନ କଟକଣା ତ ଦୂରରକଥା ସାଧାରଣ ମାସ୍କ ପିନ୍ଧିବାକୁ ବି ଲୋକେ ନାରାଜ । ପୁଲିସ ପ୍ରଶାସନ ଆଉ ଏହାକୁ ଗୁରୁତ୍ୱର ସହ ନେଉନଥିବାରୁ ଲୋକେ ଅତ୍ୟନ୍ତ ବେପରୁଆ ହୋଇ ପଡିଛନ୍ତି ।

କରୋନା ସଂକ୍ରମଣ ହ୍ରାସ ପାଇଥିଲେ ମଧ୍ୟ ଏବେ ବି କଟକଣା ବଳବତ୍ତର ରହିଛି । ରାତି ୧୦ଟା ପରେ ସର୍ବସାଧାରଣଙ୍କ ଯା ଆସ ଉପରେ କଟକଣା ଥିବାବେଳେ ଖୋଦ ରାଜଧାନୀରେ ଲୋକେ ତାହାକୁ ମାନୁ ନାହାନ୍ତି । କଟକଣା ସମୟରେ ଏତେ ସଂଖ୍ୟାରେ ଗାଡିମୋଟର ଚଳାଚଳ କରୁଛି ଯେ ସରକାରଙ୍କ କୋଭିଡ କଟକଣା ଜାରି ଥିବା ଜଣାପଡୁ ନାହିଁ । ସେହିଭଳି ସାମାଜିକ ଦୂରତା କଟକଣା ସହରର ପ୍ରାୟ କୌଣସି ଠାରେ ନାହିଁ । ଦେବାଳୟ ଓ ପର୍ଯ୍ୟଟନ ସ୍ଥଳୀରେ ତ ଯାତ୍ରାଭଳି ଅବସ୍ଥା ।

ହାଟ ବଜାର ଠାରୁ ଆରମ୍ଭ କରି ବିଭିନ୍ନ ମଲ୍‍ରେ କେବଳ ଧର୍ମକୁ ଆଖିଠାର ମାରିବା ଭଳି ସାନିଟାଇଜର ଓ ଥର୍ମାଲ ସ୍କ୍ରିନିଂ ଯନ୍ତ୍ରଟିଏ ରଖି କାମସାରି ଦେଉଛନ୍ତି । ଦୋକାନ ଭିତରେ ଯେଉଁ ଭିଡକୁ ସେହି ଭିଡ । ଅନୁରୂପ ଭାବେ ପ୍ରତ୍ୟେକ ହାଟରେ ଜନଗହଳି ଦେଖିବାକୁ ମିଳୁଛି ।

ତେବେ ସବୁଠାରୁ କଟକଣା ଉଲ୍ଲଙ୍ଘନ ହେଉଛି ଶିକ୍ଷାନୁଷ୍ଠାନଗୁଡିକରେ । ବିଦ୍ୟାଳୟ ଠାରୁ ଆରମ୍ଭ କରି କଲେଜ ପର୍ଯ୍ୟନ୍ତ ପିଲାମାନେ କଟକଣା ମାନିବାକୁ ନାରାଜ । ଶ୍ରେଣୀକକ୍ଷ ଠାରୁ ଆରମ୍ଭ କରି କ୍ୟାଣ୍ଟିନ ପର୍ଯ୍ୟନ୍ତ ସବୁ ସ୍ଥାନରେ ପିଲାଙ୍କ ଗହଳି । ଏତେ ସଂଖ୍ୟାରେ ପିଲାଙ୍କର ଦୈନିକ ଥର୍ମାଲ ସ୍କ୍ରିନିଂ କରିବା ବି କର୍ତ୍ତୃପକ୍ଷଙ୍କ ପକ୍ଷେ ସମ୍ଭବପର ନୁହେଁ । ବହୁ ଛାତ୍ରଛାତ୍ରୀ ମାସ୍କ ପିନ୍ଧୁନଥିଲେ ମଧ୍ୟ ଶିକ୍ଷକମାନେ ସେମାନଙ୍କୁ ସାହସକରି କିଛି କହିପାରୁ ନାହାନ୍ତି । ସେହିଭଳି ଶିକ୍ଷାନୁଷ୍ଠାନ ଖୋଲିବାର ଦିନେ ଦୁଇଦିନ ପର୍ଯ୍ୟନ୍ତ କଟକଣା ପାଳନ ହେଉଥିବାବେଳେ ଏହା ପରେ ସବୁ ପିଲାଙ୍କୁ ସାନିଟାଇଜର ଯୋଗାଇବା ବି ସମ୍ଭବପର ହେଉନାହିଁ ।

ଏଭଳି ସ୍ଥିତିରେ ରାଜ୍ୟ ସରକାର ଜାନୁୟାରୀ ୩ତାରିଖରୁ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଖୋଲିବାପାଇଁ ଘୋଷଣା କରିଛନ୍ତି । ଏହି କୁନି କୁନି ପିଲା କିଭଳି କରୋନା କଟକଣା ନିୟମ ମାନିବେ ଓ ବିଦ୍ୟାଳୟ କର୍ତ୍ତୃପକ୍ଷ ତାହାକୁ ପାଳନ କରିବେ ତାହା ଉପରେ ଏବେ ସମସ୍ତଙ୍କ ନଜର । କାରଣ କୋଭିଡ ସହିତ ଏବେ ରାଜ୍ୟରେ ଓମିକ୍ରନ ଭଳି ଭୂତାଣୁ ପ୍ରବେଶ କରିସାରିଛି ।

ଦେଶରେ ଏବେ ଓମିକ୍ରନ ସଂକ୍ରମଣ ବଢୁଥିବାବେଳେ ଫେବୃୟାରୀ ବେଳକୁ ତୃତୀୟ ଲହର ଆସିବା ନିଶ୍ଚିତ ବୋଲି ବିଶେଷଜ୍ଞମାନେ ମତ ଦେଉଛନ୍ତି । ଏଭଳି ସ୍ଥିତିରେ ରାଜ୍ୟରେ କରୋନା କଟକଣାକୁ ମାନୁନଥିବା ଲୋକଙ୍କୁ ପ୍ରତି କୋହଳ ମନୋଭାବ ପ୍ରକାଶ କରିବା ଓ ପ୍ରାଥମିକ ବିଦ୍ୟାଳୟ ଖୋଲିବାକୁ ଅନୁମତି ଦେବା ବିପଦକୁ ନିମନ୍ତ୍ରଣ ଅବସ୍ଥା ବୋଲି ବହୁ ଅଭିଭାବକ ମତ ଦେଉଛନ୍ତି । ଇତି ମଧ୍ୟରେ ମୁଖ୍ୟମନ୍ତ୍ରୀ ଓମିକ୍ରନ ନେଇ ସତର୍କ କରାଇଥିବାବେଳେ କୋଭିଡ କଟକଣା କିଭଳି କଡାକଡି ପାଳନ ହେବ ସେ ଦିଗରେ ପ୍ରଶାସନ ଓ ସାଧାରଣ ଲୋକେ ଯତ୍ନବାନ ହେବା ଆବଶ୍ୟକ ବୋଲି ମତପ୍ରକାଶ ପାଉଛି । (ତଥ୍ୟ)