Home Covid କରୋନାର ଝଡ ପୂର୍ବର ନିରବତା

କରୋନାର ଝଡ ପୂର୍ବର ନିରବତା

ଭୁବନେଶ୍ୱର : କରୋନାର ତୃତୀୟ ଲହର ଅଗଷ୍ଟ ତୃତୀୟ ସପ୍ତାହ ସୁଦ୍ଧା ଆସିବା ସମ୍ଭାବନା ଅଧିକ । ଦ୍ୱିତୀୟ ଲହରରେ ଦେଖା ଦେଇଥିବା କରୋନାର ଡେଲଟା + ଭାରିଆଣ୍ଟ ଏବେ ଦୁର୍ବଳ ହେଉଥିବାବେଳେ ଝଡ ପୂର୍ବର ନିରବତା ଭଳି କିଛିଦିନ ଶୋଇ ରହି ପୁଣି ତାହାର ଭୟଙ୍କର କରାମତି ଦେଖାଇବାକୁ ଯାଉଛି ।

ଏଭଳି ସୂଚନା ଦେଇଛନ୍ତି କରୋନା ଉପରେ ପ୍ରାୟ ଦେଢବର୍ଷ ଧରି ଯୁକ୍ତରାଷ୍ଟ୍ର ଆମେରିକାରେ ଗବେଷଣା କରୁଥିବା ଓଡିଆ ବୈଜ୍ଞାନିକ ଡକ୍ଟର ସ୍ୱୟଂପ୍ରକାଶ । ଦ୍ୱିତୀୟ ଲହର ଅପେକ୍ଷା ତୃତୀୟ ଲହରର ପ୍ରକୋପ ଅଧିକ ରହିବା ଆଶଙ୍କା କରାଯାଉଥିବା ଦୃଷ୍ଟିରୁ ଏବେ ଠାରୁ ଉଭୟ ସରକାର ଓ ସାଧାରଣ ଲୋକେ ସର୍ତକତା ମୂଳକ ପଦକ୍ଷେପ ଗ୍ରହଣ କରିବାକୁ ସେ ପରାମର୍ଶ ଦେଇଛନ୍ତି ।

ଶିଶୁଙ୍କ ଠାରୁ ଆରମ୍ଭକରି ବୟସ୍କଙ୍କ ପର୍ଯ୍ୟନ୍ତ ପ୍ରତି ବର୍ଗର ଲୋକଙ୍କ ପାଇଁ ସ୍ୱତନ୍ତ୍ର ଧ୍ୟାନଦେବା ସହିତ ସେମାନଙ୍କ ରୋଗ ପ୍ରତିରୋଧ ଶକ୍ତି କିଭଳି ଅଧିକ ବଢିପାରିବ ସେ ଦିଗରେ ଡାକ୍ତରମାନଙ୍କ ପରାମର୍ଶ ଅନୁଯାୟୀ ବ୍ୟବସ୍ଥା କରିବା ସଂଗେ ସଂଗେ ପ୍ରତିଦିନ ସନ୍ତୁଳିତ ଖାଦ୍ୟ ଗ୍ରହଣ ଏବଂ ନିର୍ଦ୍ଧାରିତ ବ୍ୟାୟାମ ଓ ପ୍ରାଣାୟମ ଆଦି କରିବା ଉପରେ ସେ ଗୁରୁତ୍ୱ ଆରୋପ କରିଛନ୍ତି ।

ଜୁଲାଇ ଶେଷସୁଦ୍ଧା ଭାରତ ବିଶେଷକରି ଓଡିଶା ଭଳି ରାଜ୍ୟରେ ଯେତେ ଅଧିକ ଲୋକଙ୍କର ଟିକାକରଣ କରାଯିବ ତାହା କଲ୍ୟାଣପ୍ରଦ ହେବବୋଲି ଡକ୍ଟର ସ୍ୱୟଂପ୍ରକାଶ ମତ ରଖିଛନ୍ତି । ବିଶେଷକରି ଯେଉଁମାନେ ପ୍ରଥମ ଡୋଜ୍‍ ଟିକା ନେଇନାହାନ୍ତି ସେମାନେ ସମୟ ନଷ୍ଟ ନକରି ତୁରନ୍ତ ଏହି ଟିକା ନେବା ଏବଂ ଯେଉଁମାନଙ୍କର ଦ୍ୱିତୀୟ ଡୋଜ୍‍ ପାଇଁ ସମୟ ଆସିଗଲାଣି ସେମାନେ ମଧ୍ୟ ଏହା ନେଇଯିବା ଉଚିତ୍‍ । ତେବେ ଭାରତରେ ଦିଆଯାଉଥିବା କରୋନା ଟିକା ୯୦ ରୁ ୯୫ ପ୍ରତିଶତ ସଫଳ ବୋଲି କୁହାଯାଉଥିବା ଦୃଷ୍ଟିରୁ ଟିକା ନେବାପରେ ବି ଲୋକମାନେ କରୋନା କଟକଣାକୁ କଡାକଡି ଭାବେ ଅନୁପାଳନ କରିବା ଆବଶ୍ୟକ ।

ଓଡିଶାର ପାଖାପାଖି ଏକ ଚତୁର୍ଥାଂଶ ଲୋକ ଆଦିବାସୀ ସମ୍ପ୍ରଦାୟର ହୋଇଥିବା ଦୃଷ୍ଟିରୁ ବଣ ପାହାଡ ଘେରା ଗାଁ ଗଣ୍ଡାରେ ରହୁଥିବା ଏହି ଜନଜାତି ସମ୍ପ୍ରଦାୟର ଲୋକମାନଙ୍କ ଟିକାକରଣ ଉପରେ ଅଧିକ ଧ୍ୟାନ ଦିଆଯିବାର ଆବଶ୍ୟକତା ରହିଛି । ଏହାଛଡା କରୋନାର ଦ୍ୱିତୀୟ ଲହର ସମୟରେ ଓଡିଶାର ଗ୍ରାମାଞ୍ଚଳରେ ସଂକ୍ରମଣ ହାର ଅଧିକ ରହିଥିବା ଏବଂ ଭୁବନେଶ୍ୱର-କଟକ ଭଳି ସହରାଞ୍ଚଳରେ ଏହି ମହାମାରୀ ତାହାର କରାଳ କାୟା ବିସ୍ତାରକରିଥିବାର ଅନୁଭୂତିକୁ ପାଥେୟ କରି ଲୋକ ତୃତୀୟ ଲହରରୁ ବଞ୍ଚିବାପାଇଁ ଏବେ ଠାରୁ ପ୍ରୟାସ ଆରମ୍ଭ କରିବା ଆବଶ୍ୟକ ।

କରୋନା ଚିକିତ୍ସା ଓ ପ୍ରତିଷେଧକ ପାଇଁ ବ୍ୟବହାର କରାଯାଉଥିବା ପିପିଇ କିଟ୍‍, ଟେଷ୍ଟିଂ କିଟ୍‍, ମାସ୍କ, ଗ୍ଲୋବ୍ସ ଓ ସାନିଟାଇଜର ବୋତଲ ଆଦି ଏଣେ ତେଣେ ନଫିଙ୍ଗି କିମ୍ବା ନପୋଡି ତାହାର ବିଜ୍ଞାନସମ୍ମତ ଉପାୟରେ ନଷ୍ଟ କରାଯିବା ଆବଶ୍ୟକ । ସେହିଭଳି ଗଙ୍ଗାରୁ ସାବରମତୀ ପର୍ଯ୍ୟନ୍ତ ଦେଶର ବିଭିନ୍ନ ନଦୀରେ କୋଭିଡ ମୃତକଙ୍କ ଶବ ଭସାଇ ଦିଆଯିବା ପରିପ୍ରେକ୍ଷୀରେ ନଦୀ ଜଳରେ କରୋନା ଭୂତାଣୁ ମିଳିବା ଉଦ୍‍ବେଗର କାରଣ ବୋଲି ଦର୍ଶାଇ ବିଜ୍ଞାନସମ୍ମତ ଉପାୟରେ ଶବ ସତ୍କାର ଲାଗି ପ୍ରଶାସନକଳ ସହ ସାଧାରଣ ଲୋକେ ସହଯୋଗ କରିବାକୁ ସେ ପରାମର୍ଶ ଦେଇଛନ୍ତି ।

ଆଗକୁ ରଥଯାତ୍ରା, ଇଦଲୁଜୁହା, ମହରମ, ଜନ୍ମାଷ୍ଟମୀ ଓ ସ୍ୱାଧୀନତାଦିବସ ଆଦି ଆସୁଥିବା ଦୃଷ୍ଟିରୁ ଯେଭଳି ଗହଳି ନବଢେ ଏବଂ ଲୋକେ ମାସ୍କ ପିନ୍ଧିବା ଅଭ୍ୟାସ ନଛାଡନ୍ତି ତାହା ଦେଖିବା ସହିତ କୋଭିଡ ଟେଷ୍ଟିଂ ସହ ଟ୍ରେସିଂ କାର୍ଯ୍ୟକ୍ରମକୁ ବ୍ୟାପକ କରିବାଲାଗି ସେ କହିଛନ୍ତି । (ତଥ୍ୟ)