Home News in Odia ଆଜି ଅବତାର ରୂପ ନେବ ଲଘୁଚାପ

ଆଜି ଅବତାର ରୂପ ନେବ ଲଘୁଚାପ

ଭୁବନେଶ୍ୱର : ବଙ୍ଗୋପସାଗରର ପୂର୍ବ-କେନ୍ଦ୍ରୀୟ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରୁଥିଲେ ମଧ୍ୟ ଏହାର ତୀବ୍ରତା ବୃଦ୍ଧି ପ୍ରକ୍ରିୟା ବହୁତ ଧୀମା ରହିଛି। ଆଜି ସନ୍ଧ୍ୟା ସୁଦ୍ଧା ଏହା ଏକ ଅବପାତ ଏବଂ ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ଏକ ଗଭୀର ଅବପାତ ରେ ପରିଣତ ହୋଇପାରେ। ବୁଧବାର ରାତିରେ ଗଞ୍ଜାମ କିମ୍ବା ପୁରୀ ଜିଲ୍ଲାର ଚିଲିକା ନିକଟବର୍ତ୍ତୀ ଅଞ୍ଚଳ ଦେଇ ସ୍ଥଳଭାଗ ଅତିକ୍ରମ କରିବ।

ସ୍ଥଳଭାଗ ଅତିକ୍ରମ କରିବା ପରେ, ଏହା ନିଜର ଗତିପଥ ପରିବର୍ତ୍ତନ କରି ପ୍ରଥମେ ଉତ୍ତର ଦିଗକୁ ଏବଂ ପରେ ଉତ୍ତର-ପୂର୍ବ ଦିଗକୁ (ଝାଡ଼ଖଣ୍ଡ ପର୍ଯ୍ୟନ୍ତ) ଗତି କରିବ। ସ୍ଥଳଭାଗ ଅତିକ୍ରମ କରିବା ସମ୍ବନ୍ଧରେ କିଛି ଅନିଶ୍ଚିତତା ରହିଛି କାରଣ ଏହାର ତୀବ୍ରତା ବୃଦ୍ଧି ସେତେଟା ସ୍ପଷ୍ଟ ନୁହେଁ ଏବଂ ଏହା ଦକ୍ଷିଣ ଓଡ଼ିଶା ତଥା ସଂଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ ଅଞ୍ଚଳରେ ପ୍ରାୟ ସ୍ଥିର ରହିପାରେ। ତଥାପି, ଆସନ୍ତାକାଲି ଅପରାହ୍ନ ସୁଦ୍ଧା ଏ ସମ୍ପର୍କରେ ସ୍ପଷ୍ଟ ସୂଚନା ମିଳିପାରିବ।

ଏହାର ପ୍ରଭାବରେ ୨୧ ରୁ ୨୩ ତାରିଖ ମଧ୍ୟରେ ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଗଞ୍ଜାମ, ଖୋର୍ଦ୍ଧା, କଟକ, ଗଜପତି, ରାୟଗଡ଼ା, କନ୍ଧମାଳ, କଳାହାଣ୍ଡି, ନବରଙ୍ଗପୁର, ବଲାଙ୍ଗୀର, ଢେଙ୍କାନାଳ, ଅନୁଗୋଳ, ନୟାଗଡ଼ ଏବଂ ନୂଆପଡ଼ା ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଜାରି ରହିବ। ୨୩ ରୁ ୨୬ ତାରିଖ ମଧ୍ୟରେ ପ୍ରବଳ ବର୍ଷା ହେବାକୁ ଥିବା ଅଞ୍ଚଳ ଉତ୍ତର ଓ ପଶ୍ଚିମ ଓଡ଼ିଶାର ଜିଲ୍ଲାଗୁଡ଼ିକ ଆଡ଼କୁ ସ୍ଥାନାନ୍ତରିତ ହେବ।

ଏହି ଅବିରତ ବର୍ଷା ଫଳରେ ମହାନଦୀ, ବ୍ରାହ୍ମଣୀ, ସୁବର୍ଣ୍ଣରେଖା ଏବଂ ବୁଢ଼ାବଳଙ୍ଗ ନଦୀର ଅବବାହିକା ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇପାରେ। ପୂର୍ବାନୁମାନ ସମୟସୀମା ମଧ୍ୟରେ ଖୋର୍ଦ୍ଧା, କଟକ ଏବଂ ନୟାଗଡ଼ ଜିଲ୍ଲାରେ ଅତ୍ୟଧିକ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।