Home General କମୁଛି ଉଜ୍ୱଳା ଗ୍ୟାସ ରିଫିଲିଙ୍ଗ

କମୁଛି ଉଜ୍ୱଳା ଗ୍ୟାସ ରିଫିଲିଙ୍ଗ

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ଉଜ୍ୱଳା ଯୋଜନାରେ ବର୍ଷକୁ ମାଗଣାରେ ୩ଟି ଗ୍ୟାସ ସିଲିଣ୍ଡର ଯୋଗାଣ ବନ୍ଦ ହେବା ଓ ରନ୍ଧନ ଗ୍ୟାସର ଦର ବୃଦ୍ଧି ଯୋଗୁଁ ଏହି ଯୋଜନାରେ ଗ୍ୟାସ ଭରିବା ହ୍ରାସ ପାଇଛି । ତେବେ ଚଳିତ ଆର୍ଥିକ ବର୍ଷରେ ଉଜ୍ୱଳା ଯୋଜନାରେ ୧୨ଟି ସିଲିଣ୍ଡର ପର୍ଯ୍ୟନ୍ତ ସିଲିଣ୍ଡର ପିଛା ୨୦୦ ଟଙ୍କାର ରିହାତି ଯୋଗାଯାଉଛି ।

ନିକଟରେ ରାଜ୍ୟସଭାରେ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ରାଷ୍ଟ୍ରମନ୍ତ୍ରୀ ରାମେଶ୍ୱର ତେଲି ଦେଇଥିବା ଏକ ଉତ୍ତରରୁ ଏହା ଜଣାଯାଇଛି । ମନ୍ତ୍ରୀ ତାଙ୍କ ଉତ୍ତରରେ ଦର୍ଶାଇଛନ୍ତି ଯେ ୨୦୧୮-୧୯ ବର୍ଷରେ ପ୍ରଧାନମନ୍ତ୍ରୀ ଉଜ୍ୱଳା ଯୋଜନାରେ ୧୫.୯୯ କୋଟି ଗ୍ୟାସ ସିଲିଣ୍ଡର ରିଫିଲିଙ୍ଗ ହୋଇଥିବାବେଳେ ୨୦୧୯-୨୦ ବର୍ଷରେ ଏହି ସଂଖ୍ୟା ୨୨.୭୨ କୋଟିରେ ପହଞ୍ଚିଥିଲା । ତେବେ ୦୨୦-୨୧ ବର୍ଷରେ ଏହି ସଂଖ୍ୟା ସର୍ବାଧିକ ୩୫.୧୧ କୋଟି ଥିଲା । ସେହିବର୍ଷ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ପ୍ୟାକେଜରେ ଉଜ୍ୱଳା ଯୋଜନାରେ ୩ଟି ଗ୍ୟାସ ସିଲିଣ୍ଡର ମାଗଣାରେ ଫିଲିଙ୍ଗ୍‍ କରାଯାଇଥିଲା ।

ହେଲେ ୨୦୨୧-୨୨ ବର୍ଷରେ ଗ୍ୟାସ ସିଲିଣ୍ଡର ରିଫିଲିଙ୍ଗ୍‍ ସଂଖ୍ୟା ୩୧.୨୬ କୋଟିକୁ ହ୍ରାସ ପାଇଛି । ଏଭଳି ହ୍ରାସ ପାଇଁ ଗ୍ୟାସ ସିଲିଣ୍ଡର ଦରବୃଦ୍ଧିକୁ ମଧ୍ୟ ସାଧାରଣରେ ଦାୟୀ କରାଯାଉଛି । ରାଷ୍ଟ୍ରମନ୍ତ୍ରୀ ଶ୍ରୀ ତେଲି ଅନ୍ୟଏକ ପ୍ରଶ୍ନର ଉତ୍ତରରେ ଦର୍ଶାଇଛନ୍ତି ଯେ ୨୦୧୯ ଏପ୍ରିଲ୍‍ ପହିଲାରେ ଗୋଟିଏ ୧୪.୨ କିଲୋ ଗ୍ୟାସ ଥିବା ସିଲିଣ୍ଡରର ମୂଲ୍ୟ ୭୦୬ ଟଙ୍କା ୫୦ ପଇସା ଥିବାବେଳେ ୨୦୨୦ ଏପ୍ରିଲ୍‍ ପହିଲାରେ ତାହା ୭୧୪ ଟଙ୍କାରେ ପହଞ୍ଚିଥିଲା । ଏହି ଦର ଡିସେମ୍ବର ୨୦୨୦ରେ ୬୯୪ ଟଙ୍କାକୁ ହ୍ରାସ ପାଇଥିଲା ।

ତେବେ ଏହା ପରେ ଦେଶରେ ରନ୍ଧନଗ୍ୟାସ ଦର ହୁ ହହୁ ହୋଇ ବଢିବା ସହିତ ଚଳିତବର୍ଷ ମଇ ମାସରେ ତାହା ୧୦୦୩ ଟଙ୍କାରେ ପହଞ୍ଚି ଥିବାବେଳେ ଜୁଲାଇ ମାସରେ ୧୦୫୩ ଟଙ୍କାକୁ ଅତିକ୍ରମ କରି ଯାଇଥିଲା । ଗୋଟିଏ ପଟେ ଉଜ୍ୱଳା ଯୋଜନାରେ ମାମଣାରେ ୩ଟି ସିଲିଣ୍ଡର ରିଫିଲିଙ୍ଗ ବନ୍ଦ ହେବା ଓ ଅନ୍ୟ ପଟେ ଗ୍ୟାସଦର ବୃଦ୍ଧି ଯୋଗୁଁ ଉଜ୍ୱଳା ଯୋଜନାରେ ସିଲିଣ୍ଡର ରିଫିଲଙ୍ଗ ହ୍ରାସ ପାଇଛି । ତେବେ କେନ୍ଦ୍ର ସରକାର ଚଳିତ ଆର୍ଥିକ ବର୍ଷରେ ଉଜ୍ୱଳା ହିତାଧିକାରୀଙ୍କ ପାଇଁ ଗ୍ୟାସ ଭରିବାପାଇଁ ସିଲିଣ୍ଡର ପିଛା ୨୦୦ ଟଙ୍କାର ସବସିଡ୍‍ ପ୍ରଦାନ କରୁଛନ୍ତି । ଏହି ରିହାତି ୧୨ଟି ସିଲିଣ୍ଡର ପାଇଁ ମିଳୁଛି ।

ମନ୍ତ୍ରୀଙ୍କ ଉତ୍ତରରେ ଉଲ୍ଲେଖ କରାଯାଇଛି ଯେ ଦେଶରେ ଆବଶ୍ୟକ ହେଉଥିବା ଏଲପିଜିର ୫୮ ପ୍ରତିଶତ ଭାରତ ବିଦେଶରୁ ଆମଦାନୀ କରୁଛନ୍ତି । ଦେଶର ଏଲପିଜି ଦର ସାଉଦୀର କଣ୍ଟାକ୍ଟ ପ୍ରାଇସି୍‍ (ସିପି) ଉପରେ ନିର୍ଭର କରୁଥିବାବେଳେ ୨୦୨୦ ଏପ୍ରିଲ୍‍ ରୁ ୨୦୨୨ ଜୁନ୍‍ ମଧ୍ୟରେ ଏହାର ଦର ୨୧୮ ପ୍ରତିଶତ ବୃଦ୍ଧି ପାଇଛି । ୨୦୨୦ ଜୁନ୍‍ ମାସରେ ଏଲ୍‍ପିସି ଟନ୍‍ ପିଛା ୨୩୬ ଡଲାର ଥିବାବେଳେ ୨୦୨୨ ଜୁନ୍‍ରେ ଏହା ଟନ୍‍ ପିଛା ୭୫୦ ଡଲାରକୁ ବୃଦ୍ଧି ପାଇଛି ।

ଆର୍ନ୍ତଜାତୀୟ ବଜାରେ ଏଲ୍‍ପିଜି ଦର ବୃଦ୍ଧି ଯୋଗୁଁ ଗ୍ୟାସ ଦର ବଢିବା ଓ ସରକାର ମାଗଣା ରିଫିଲିଙ୍ଗ ଯୋଜନା ବନ୍ଦ କରିବାପରେ ଏବେ ଗାଁ ଗହଳର ଉଜ୍ୱଳା ହିତାଧିକରୀମାନେ ସେମାନଙ୍କର ଗ୍ୟାସ ସିଲିଣ୍ଡର ଭରିବାକୁ ପଛାଉଥିବା ଲକ୍ଷ୍ୟ କରାଯାଉଛି । ତେବେ ଚଳିତ ଆର୍ଥିକ ବର୍ଷରେ ସରକାର ଉଜ୍ୱଳା ହିତାଧିକାରୀଙ୍କ ପାଇଁ ସିଲିଣ୍ଡର ପିଛା ୨୦୦ ଟଙ୍କା ସବସିଡ୍‍ ପ୍ରଚଳନ କରିଥିବାରୁ ଅଧିକରୁ ଅଧିକ ହିତାଧିକାରୀ ଗ୍ୟାସ ଭରିବେ ବୋଲି ଆଶା କରାଯାଉଛି । (ତଥ୍ୟ)