ଭୁବନେଶ୍ୱର : ଦେଶରେ କଦଳୀ ଉତ୍ପାଦନ ବୃଦ୍ଧି ପାଉଥିବାବେଳେ ଓଡିଶାରେ କିନ୍ତୁ ଏହି ଚାଷ ଉଧେଇ ପାରୁନାହିଁ । ଫଳରେ ବର୍ଷ ସାରା କଦଳୀ ପାଇଁ ଓଡିଶା ଅନ୍ୟ ରାଜ୍ୟ ଉପରେ ନିର୍ଭର କରୁଛି ।
କଦଳୀ ଚାଷ ପାଇଁ ଓଡିଶାର ଜଳବାୟୁ ଅନୁକୂଳ ଥିଲେ ମଧ୍ୟ ଗତ ଛଅବର୍ଷ ତଳେ ଓଡିଶାରେ ଯେତିକି ଜମିରେ କଦଳୀ ଚାଷ ହେଉଥିଲା ତାହା ଏବେ ହ୍ରାସ ପାଇଛି । ୨୦୧୬-୧୭ ମସିହାରେ ଓଡିଶାରେ ୨୪.୫ ହଜାର ହେକ୍ଟର ଜମିରେ କଦଳୀ ଚାଷ ହୋଇଥିବାବେଳେ ୨୦୨୧-୨୨ ବର୍ଷରେ ତାହା ୨୩.୬ ହଜାର ହେକ୍ଟରକୁ ହ୍ରାସ ପାଇଛି ।
କିନ୍ତୁ ଆମର ପଡୋଶୀ ରାଜ୍ୟର ଆନ୍ଧ୍ରପ୍ରଦେଶରେ କଦଳୀ ଚାଷ ଜମି ପରିମାଣ ୨୦୨୧-୨୨ ବର୍ଷରେ ଏକ ଲକ୍ଷ ହେକ୍ଟର ଟପିଯାଇଥିବାବେଳେ କେରଳରେ ଏହା ପ୍ରାୟ ଏକ ଲକ୍ଷ ୧୨ହଜାର ହେକ୍ଟର ଅଞ୍ଚଳ ରହିଛି । ଏହି ବର୍ଷ ଓଡିଶାରେ ୫ଲକ୍ଷ ଟନ୍ କଦଳୀ ଉତ୍ପାଦନ ହୋଇଥିବାବେଳେ ଆନ୍ଧ୍ରପ୍ରଦେଶରେ ୬୨ଲକ୍ଷ ଟନ୍ କଦଳୀ ଉତ୍ପାନ ହୋଇଥିଲା । ପଶ୍ଚିମବଙ୍ଗରେ ୧୨ଲକ୍ଷ ଟନ୍ କଦଳୀ ଉତ୍ପାଦନ ହୋଇଥିଲା ।
ତେବେ ୨୦୧୬-୧୭ ବର୍ଷରେ ସମଗ୍ର ଦେଶରେ ୩୦୪ ଲକ୍ଷ ଟନ୍ କଦଳୀ ଫଳିଥିବାବେଳେ ୨୦୨୧-୨୨ ବର୍ଷରେ ତାହା ୩୫୦ଲକ୍ଷ ଟନ୍କୁ ବୃଦ୍ଧି ପାଇଛି । କଦଳୀ ଉତ୍ପାଦନ କ୍ଷେତ୍ରରେ ସମଗ୍ର ଦେଶରେ ଆନ୍ଧ୍ରପ୍ରଦେଶ ଓ କେରଳ ସବୁଠାରୁ ଆଗରେ ରହିଥିବାବେଳେ ମହାରାଷ୍ଟ୍ର, ଗୁଜୁରାଟ, ତାମିଲନାଡୁ, କର୍ଣ୍ଣାଟକ, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ବିହାର, ପଶ୍ଚିବଙ୍ଗ, ଆସାମ ଓ ଛତିଶଗଡ ଭଳି ରାଜ୍ୟ ଓଡିଶା ଠାରୁ ଢେର ଆଗରେ ଅଛନ୍ତି ।
କଦଳୀ ଚାଷ ପାଇଁ ଯଦିଓ ସେଭଳି କିଛି ନିର୍ଦ୍ଧିଷ୍ଟ କାର୍ଯ୍ୟକ୍ରମ କିମ୍ବା ମିଶନ ନାହିଁ ତଥାପି କେନ୍ଦ୍ର ସରକାରଙ୍କ ସମନ୍ୱିତ ଉଦ୍ୟାନ କୃଷି ବିକାଶ ମିଶନ ଜରିଆରେ ଏଥିପାଇଁ ବିଭିନ୍ନ ପ୍ରକାର ସହାୟତା ଯୋଗାଇ ଦିଆଯାଇଥାଏ । ଏହାବାଦ୍ ଗୋଟିଏ ଜିଲ୍ଲା ଗୋଟିଏ ଉତ୍ପାଦ, ପ୍ରଧାନ ମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନା, ପ୍ରଧାନ ମନ୍ତ୍ରୀ ଫସଲ ବୀମା ଯୋଜନା, ପ୍ରଧାନ ମନ୍ତ୍ରୀ କିଷାନ ସମ୍ମାନ ନିଧି, ଆତ୍ମା ଆଦି ଯୋଜନା ଜରିଆରେ କଦଳୀ ଚାଷୀମାନଙ୍କୁ ପ୍ରୋତ୍ସାହନ ଯୋଗାଇ ଦିଆଯାଇଥାଏ ।
ତେବେ ସମସ୍ତ ପ୍ରକାର ଅନୁକୂଳ ଜଳବାୟୁ ସତ୍ୱେ ଓଡିଶାରେ କଦଳୀ ଚାଷ ସେତେଟା ଉତ୍ସାହଜନକ ହେଉନଥିବାରୁ ବର୍ଷସାରା କଦଳୀ ପାଇଁ ଓଡିଶା ମୁଖ୍ୟତଃ ପଡୋଶୀ ଆନ୍ଧ୍ରପ୍ରଦେଶ ଉପରେ ନିର୍ଭରଶୀଳ । ଆନ୍ଧ୍ରରୁ କଦଳୀ ଗାଡି ନଆସିଲେ ଓଡିଶାରେ ଠାକୁରଙ୍କ ନିକଟରେ କଦଳୀ ଭୋଗ ଲାଗିପାରୁନଥିବା ଦେଖିବାକୁ ମିଳୁଛି । ସେହିଭଳି କେରଳର କଦଳୀଜାତ ସାମଗ୍ରୀ ସମଗ୍ର ଦେଶରେ ବିକ୍ରି ହେଉଥିବାବେଳେ ଓଡିଶାର କଦଳୀ ବଜାରକୁ କିନ୍ତୁ ଅନ୍ୟ ରାଜ୍ୟର ଚାଷୀ ଓ ବ୍ୟବସାୟୀମାନେ ନିୟନ୍ତ୍ରଣ କରୁଛନ୍ତି । (ତଥ୍ୟ)