ଭୁବନେଶ୍ୱର : ଚଳିତ ଆର୍ଥିକ ବର୍ଷରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍ର ହିତାଧିକାରୀ ତାଲିକାରୁ ୨୨ହଜାରରୁ ଅଧିକ ପରିବାର ବାଦ୍ ପଡିଛନ୍ତି । ଏଥିଯୋଗୁଁ ମୋଟ ତାଲିକାରୁ ୮୯ହଜାର ଜଣ ହିତାଧିକାରୀ ହ୍ରାସ ପାଇଥିବା ନେଇ ବିଧାନସଭାରେ ସୂଚନା ଦେଇଛନ୍ତି ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ।
ବିଜେପି ବିଧାୟକ ମୋହନ ଚରଣ ମାଝିଙ୍କ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଦର୍ଶାଇଛନ୍ତି ଯେ ୨୦୧୫-୧୬ ମସିହାରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍ ଅଧିନରେ ରାଜ୍ୟରେ ୭୯,୪୫,୦୫୧ ହିତାଧିକାରୀ ପରିବାର ଥିବାବେଳେ ଏହା ସେତେବେଳର ଜନସଂଖ୍ୟାର ୬୮ ପ୍ରତିଶତ ଥିଲେ । ଉଲ୍ଲେଖନୀୟ ଯେ ୨୦୧୧ ଜନଗଣନା ତଥ୍ୟ ଆଧାରରେ ହିତାଧିକାରୀ ଚୟନ ହୋଇଥିଲେ ।
ଏହି ହିତାଧିକାରୀ ପରିବାର ସଂଖ୍ୟା୨୦୧୯-୨୦ବର୍ଷରେ ୯୩ଲକ୍ଷ ୨୨ ହଜାରକୁ ଅତିକ୍ରମ କରିଥିବାବେଳେ ସେତେବେଳେ ଏହା ମୋଟ୍ ଜନସଂଖ୍ୟାର ୭୮ ପ୍ରତିଶତ ଥିଲା । ସେହିବର୍ଷ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ୭,୮୪,୧୫୭ ପରିବାର ସାମିଲ ହୋଇଥିଲେ । ଏହା ପରବର୍ଷ ଅର୍ଥାତ୍ ୨୦୨୦-୨୧ ବର୍ଷରେ ହିତାଧିକାରୀ ପରିବାର ସଂଖ୍ୟା ହ୍ରାସ ପାଇଥିଲା । ସେହିବର୍ଷ ତାଲିକାରୁ ୭୦,୭୮୩ ପରିବାର ବାଦ୍ ପହିଥିଲେ । ଚଳିତ ଆର୍ଥିକ ବର୍ଷ ଅର୍ଥାତ୍ ୨୦୨୨-୨୩ରେ ୨୨,୩୩୭ ପରିବାର ହ୍ରାସ ପାଇ ୯୨,୯୫,୮୬୮ ରେ ପହଞ୍ଚିଛି । ଏହା ମୋଟ୍ ଜନସଂଖ୍ୟାର ୭୭ ପ୍ରତିଶତ ।
ଗତ ଆର୍ଥିକ ବର୍ଷରେ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ହିତାଧିକାରୀ ତାଲିକାରେ ୬୬,୪୧୭ ପରିବାର ଯୋଡି ହୋଇଯାଇଥିବାବେଳେ ଚଳିତ ବର୍ଷ ୨୨,୩୩୭ ପରିବାର ହ୍ରାସ ପାଇଛନ୍ତି ଓ ହିତାଧିକାରୀ ସଂଖ୍ୟା ୮୯,୦୩୭ ମଧ୍ୟ କମିଯାଇଛି ।
ସେହିଭଳି କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜାଙ୍କ ଅନ୍ୟଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଶ୍ରୀ ନାୟକ କହିଛନ୍ତି ଯେ ୨୦୨୩-୨୪ ବର୍ଷରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ହିତାଧିକାରୀଙ୍କୁ ମୁଣ୍ଡପିଛା ମାସିକ ୫କିଲୋ ଚାଉଳ ଦେବାପାଇଁ ସବସିଡ୍ ବାବଦକୁ ୭୧୭,୪୬,୯୧୬ ଟଙ୍କାର ବ୍ୟୟ ବରାଦ ହୋଇଛି । ଚଳିତବର୍ଷ ଏହି ଦୁଇ ଯୋଜନାରେ ହିତାଧିକାରୀଙ୍କୁ ମାଗଣାରେ ଚାଉଳ ପ୍ରଦାନ କରାଯାଉଛି ।
ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ପାଇଁ ରାଜ୍ୟ ସରକାର ଖୋଲା ବଜାରରୁ ଚାଉଳ କିଣନ୍ତି ନାହିଁ । ସଂଗୃହୀତ ଧାନରୁ ମିଳୁଥିବା ଚାଉଳକୁ ଏହି ଯୋଜନାରେ ଦିଆଯାଇଥାଏ ଯାହାର ନିର୍ଦ୍ଧାରିତ କିଲୋପ୍ରତି ମୂଲ୍ୟ ୩୫.୪୬ ଟଙ୍କା । ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍ରେ ୨,୮୭,୦୨,୩୭୨ ଜଣ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ୯,୭୬,୨୮୧ ଜଣ ହିତାଧିକାରୀଙ୍କୁ ମୁଣ୍ଡପିଛା ମାସକ ୫କଲୋ ଚାଉଳ ବିନା ମୂଲ୍ୟରେ ଯୋଗାଇ ଦିଆଯାଉଥିବା ମନ୍ତ୍ରୀ ତାଙ୍କ ଉତ୍ତରରେ ଉଲ୍ଲେଖ କରିଛନ୍ତି । (ତଥ୍ୟ)