ଭୁବନେଶ୍ୱର : ପୁଷ୍ଟିହୀନତା ଦୂର ପାଇଁ ରାଜ୍ୟ ସରକାରଙ୍କ ଏକାଧିକ ଯୋଜନା ସତ୍ୱେ ସାକ୍ଷରତା କ୍ଷେତ୍ରରେ ଆଗରେ ଥିବା କଟକ ଜିଲ୍ଲାରେ ପୁଷ୍ଟିହୀନ ଶିଶୁଙ୍କ ସଂଖ୍ୟା ବୃଦ୍ଧି ପାଉଛି । ସଦ୍ୟ ସମାପ୍ତ ଜାତୀୟ ସ୍ୱାସ୍ଥ୍ୟ ସର୍ବେକ୍ଷଣ ରିପୋର୍ଟରେ ଏହି ଜିଲ୍ଲାରେ ୧୪.୨ ପ୍ରତିଶତ ଶିଶୁ ପୁଷ୍ଟିହୀନତାର ଶିକାର ଥିବା ଦର୍ଶାଯାଇଥିବାବେଳେ ପାଞ୍ଚବର୍ଷ ପୂର୍ବେ ଏହି ହାର ୯.୧ ପ୍ରତିଶତ ଥିଲା ।
୨୦୨୧-୨୨ ରେ ପ୍ରକାଶିତ ଜାତୀୟ ପରିବାର ସର୍ଭେ ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ କଟକ ଜିଲ୍ଲାରେ ମୋଟ୍ ଶିଶୁଙ୍କ ମଧ୍ୟରୁ ୧୪.୨ ପ୍ରତିଶତ ପୁଷ୍ଟିହୀନ । ତେବେ ୨୦୧୫-୧୬ ବର୍ଷରେ ପ୍ରକାଶିତ ରିପୋର୍ଟରେ ଏହି ହାର ୯.୧ ପ୍ରତିଶତ ରହିଥିଲା । ଅର୍ଥାତ୍ ୫ବର୍ଷ ମଧ୍ୟରେ କଟକ ଜିଲ୍ଲାରେ ପୁଷ୍ଟିହୀନ ଶିଶୁଙ୍କ ସଂଖ୍ୟା ୫.୧ ପ୍ରତିଶତ ବୃଦ୍ଧି ପାଇଛି । ସେହିଭଳି ପୁଷ୍ଟିହୀନ ଶିଶୁଙ୍କ ସଂଖ୍ୟା ବୃଦ୍ଧି କ୍ଷେତ୍ରରେ ମୟୁରଭଞ୍ଜ ଜିଲ୍ଲା ସବୁଠାରୁ ଆଗରେ ରହିଛି । ୨୦୧୫-୧୬ ଜାତୀୟ ପରିବାର ସର୍ବେକ୍ଷଣ ରିପୋର୍ଟରେ ଏହି ଜିଲ୍ଲାରେ ୧୭.୨ ପ୍ରତିଶତ ଶିଶୁ ପୁଷ୍ଟିହୀନ ଥିବାବେଳେ ୨୦୨୧-୨୨ ରିପୋର୍ଟରେ ଏହି ହାର ୨୮.୫ ପ୍ରତିଶତକୁ ବୃଦ୍ଧି ପାଇଛି ।
ବିଗତ ୫ବର୍ଷ ମଧ୍ୟରେ ପୁଷ୍ଟିହୀନତା ବୃଦ୍ଧି ପାଇଥିବା ଜିଲ୍ଲା ଗୁଡିକ ମଧ୍ୟରେ ମୟୁରଭଞ୍ଜ, ଦେବଗଡ, କଟକ, ଅନୁଗୁଳ, କେନ୍ଦୁଝର, ସୁବର୍ଣ୍ଣପୁର, ଭଦ୍ରକ ଓ କନ୍ଧମାଳ ରହିଛି । ଅନ୍ୟ ସମସ୍ତ ଜିଲ୍ଲାରେ ପୁଷ୍ଟିହୀନ ଶିଶୁଙ୍କ ସଂଖ୍ୟା ହ୍ରାସ ପାଇଛି । ତେବେ କନ୍ଧମାଳ ଓ ଭଦ୍ରକରେ ପୁଷ୍ଟିହୀନ ଶିଶୁଙ୍କ ବୃଦ୍ଧି ହାର ଯଥାକ୍ରମେ ୦.୨ ଓ ୦.୫ ପ୍ରତିଶତ ରହିଛି । ଅନୁଗୁଳରେ ଏହାର ୩.୫ ପ୍ରତିଶତ ଥିବାବେଳେ ଢେଙ୍କାନାଳ ଓ ସୁବର୍ଣ୍ଣପୁରରେ ୩.୭ ପ୍ରତିଶତ କରି ଅଛି । କେନ୍ଦୁଝରରେ ଏହା ୪.୮ ପ୍ରତିଶତ ଥିବାବେଳେ ଦେବଗଡରେ ୭.୪ ପ୍ରତିଶତ ରହିଛି ।
ତେବେ ସବୁଠାରୁ ଅଧିକ ୨୮.୫ ପ୍ରତିଶତ ପୁଷ୍ଟିହୀନ ଶିଶୁ ମୟୁରଭଞ୍ଜ ଜିଲ୍ଲାରେ ଥିବାବେଳେ ସୁବର୍ଣ୍ଣପୁରରେ ୨୬ ପ୍ରତିଶତ, ସମ୍ବଲପୁର ଓ ବଲାଙ୍ଗିରରେ ଏହି ହାର ୨୫.୫ ପ୍ରତିଶତ କରି ରହିଛି । ନବରଙ୍ଗପୁରରେ ଏହା ୨୫.୨ ପ୍ରତିଶତ ଥିବାବେଳେ କନ୍ଧମାଳରେ ଏହା ୨୩.୩ ପ୍ରତିଶତ, କେନ୍ଦୁଝରରେ ୨୩.୮ ପ୍ରତିଶତ, ଢେଙ୍କାନାଳରେ ୨୨.୭. ସୁନ୍ଦରଗଡରେ ୨୧.୧ କରି ରହିଛି । ସବୁଠାରୁ କମ୍ ୭.୯ ପ୍ରତିଶତ ପୁଷ୍ଟିହୀନ ଶିଶୁ କେନ୍ଦ୍ରାପଡା ଜିଲ୍ଲାରେ ରହିଛନ୍ତି ।
ଏଠାରେ ଉଲ୍ଲେଖନୀୟ ଯେ ପୁଷ୍ଟିହୀନତା ଦୂରୀକରଣ ପାଇଁ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ପରିପୂରକ ପୁଷ୍ଟି ଯୋଜନା, ମମତା ଦିବସ, ଅଙ୍କୁର ଦିବସ, ପରିପୂରକ ଖାଦ୍ୟ ବ୍ୟବସ୍ଥା, ପଡା ପୁଷ୍ଟି କାର୍ଯ୍ୟକ୍ରମ ଓ ସୋପାନ ଭଳି ଏକାଧିକ କାର୍ଯ୍ୟକ୍ରମ ଚଳାଯାଉଛି । ଅଧିକାଂଶ ଯୋଜନାରେ ଶିଶୁଙ୍କୁ ଅଣ୍ଡା, ଲଡୁ ଓ ଗରମ ରନ୍ଧାଖାଦ୍ୟ ଆଦି ଯୋଗାଣ ହେଉଥିବାବେଳେ କଟକ ଭଳି ଉପକୂଳ ଜିଲ୍ଲାରେ ପୁଷ୍ଟିହୀନ ଶିଶୁଙ୍କ ସଂଖ୍ୟା ବୃଦ୍ଧି ପାଇବା ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । (ତଥ୍ୟ)