Home General କଟକଣା ନମାନିଲେ କଠୋର ପଦକ୍ଷେପ

କଟକଣା ନମାନିଲେ କଠୋର ପଦକ୍ଷେପ

ଭୁବନେଶ୍ୱର : କରୋନା ନିୟନ୍ତ୍ରଣ ପାଇଁ ଜାରି କଟକଣା ନମାନିଲେ ବିଏମ୍‍ସି ବାଧ୍ୟହୋଇ କଠୋର ପଦକ୍ଷେପ ଗ୍ରହଣ କରିବ । ଗୋଟିଏ ଦିନରେ ବିଏମ୍‍ସି ଅଞ୍ଚଳରୁ ୭୭୩ ନୂଆ ସଂକ୍ରମିତ ଚିହ୍ନଟ ହେବା ଓ ସକ୍ରିୟ କୋଭିଡ ରୋଗୀଙ୍କ ସଂଖ୍ୟା ପାଖପାଖି ୬ହଜାର ନିକଟରେ ପହଞ୍ଚିବା ପରେ ବିଏମ୍‍ସି କମିଶନର ପ୍ରେମ ଚନ୍ଦ୍ର ଚୌଧୁରୀ ଏକ ଭିଡିଓ ବାର୍ତ୍ତା ଜରିଆରେ ସାଧାରଣ ଲୋକଙ୍କ ସହଯୋଗ ଲୋଡିବା ସହିତ ଏଭଳି ଚେତାବନୀ ଦେଇଛନ୍ତି ।

ଶ୍ରୀ ଚୌଧୁରୀ କହିଛନ୍ତି ଯେ କରୋନା ନିୟନ୍ତ୍ରଣ ପାଇଁ ଜାରି କଟକଣାକୁ ଲୋକେ ହାଟ ବଜାରରେ ଆଦୌ ମାନୁ ନାହାନ୍ତି । ଏବେ ବି ମାର୍କେଟ ଅଞ୍ଚଳରେ ଲୋକେ ମାସ୍କ ପିନ୍ଧିବା, ଦୂରତା ବଜାୟ ରଖିବା ନିୟମକୁ ଅଣଦେଖା କରୁଛନ୍ତି । ଏଭଳି ହେଲେ କରୋନା ସଂକ୍ରମଣକୁ ନିୟନ୍ତ୍ରଣ କରିବା ସମ୍ଭବପର ହେବନାହିଁ । କରୋନାର ପ୍ରଥମ ଲହରରେ ଲୋକେ ଯେଭଳି ସହଯୋଗ କରିଥିଲେ ଏଥର ମାର୍କେଟ ଅଞ୍ଚଳରେ ତାହା ଲକ୍ଷ୍ୟ କରାଯାଉ ନାହିଁ ।

ଲୋକେ ଯଦି ସହଯୋଗ ନକରିବେ ତେବେ କର୍ତ୍ତୃପକ୍ଷ ବାଧ୍ୟହୋଇ କଠୋର ପଦକ୍ଷେପ ଗ୍ରହଣ କରିବେ । ଏପରିକି କଣ୍ଟେନମେଣ୍ଟ ଜୋନ୍‍ ଭଳି ପଦକ୍ଷେପ ନିଆଯାଇ ପାରେ । ଏଠାରେ ଉଲ୍ଲେଖ କରାଯାଇପାରେ ଯେ ଆଜି ସୁଦ୍ଧା ବିଏମ୍‍ସି ଇଲାକାରେ ମୋଟ୍‍ ୪୧,୪୦୧ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୨୫୭ଜଣ ପ୍ରାଣ ହରାଇଥିଲେ । ସକ୍ରିୟ କରୋନା ରୋଗୀଙ୍କ ସଂଖ୍ୟା ୫୮୯୬ରେ ପହଞ୍ଚିଛି ।

ବର୍ତ୍ତମାନ ବିଏମ୍‍ସି ଇଲାକାରେ ଥିବା କୋଭିଡ ଡାକ୍ତରଖାନାରେ ୩୦୦୦ ଶଯ୍ୟା ଥିବାବେଳେ ଆଗାମୀ ୧୦ଦିନ ମଧ୍ୟରେ ଆଉ ୩ହଜାର ଶଯ୍ୟା ପ୍ରତିଷ୍ଠା ପାଇଁ ପଦକ୍ଷେପ ନିଆଯାଉଛି । ବିଏମ୍‍ସିର ସ୍ୱେଚ୍ଛାସେବୀମାନେ ଏବେ ଘରକୁ ଘର ବୁଲି ଲୋକଙ୍କୁ ସଚେତନ କରୁଛନ୍ତି । ବର୍ତ୍ତମାନ କରୋନା ନିୟନ୍ତ୍ରଣରେ ଥିବାବେଳେ ଲୋକଙ୍କ ସହଯୋଗ ଏକାନ୍ତ ଜରୁରୀ ହୋଇ ପଡିଛି । ତେଣୁ ରାଜଧାନୀବାସୀ କରୋନା ଯୁଦ୍ଧରେ ସାମିଲ ପାଇଁ ସେ ଆହ୍ୱାନ ଦେଇଛନ୍ତି ।