ଭୁବନେଶ୍ୱର : ପଞ୍ଚାୟତ ନିର୍ବାଚନରେ ପୂର୍ବାପେକ୍ଷା ବିଜେପି ଓ କଂଗ୍ରେସ ଅତି ଖରାପ ପ୍ରଦର୍ଶନ କରିଥିବା ବେଳେ ପୌର ନିର୍ବାଚନରେ ଅଳ୍ପେ ବହୁତେ ଏହାର ପ୍ରତିଫଳନ ଦେଖିବାକୁ ମିଳିପାରେ । ୨୦୨୪ରେ ସାଧାରଣ ନିର୍ବାଚନ ଥିବା ପରିପ୍ରେକ୍ଷୀରେ ବର୍ତ୍ତମାନର ବିଫଳତାକୁ ସମୀକ୍ଷା କରି ଏହି ଦୁଇ ଜାତୀୟ ରାଜନୈତିକ ଦଳ ଖୁବଶୀଘ୍ର ଓଡ଼ିଶାରେ ସେମାନଙ୍କ ସଂଗଠନର ପୁନର୍ବିନ୍ୟାସ କରିପାରନ୍ତି ।
୨୦୧୨ ପଞ୍ଚାୟତ ନିର୍ବାଚନରେ ବିଜେଡି ପ୍ରଥମ ସ୍ଥାନରେ ଥିବାବେଳେ କଂଗ୍ରେସ ଦ୍ୱିତୀୟ ଓ ବିଜେପି ତୃତୀୟ ସ୍ଥାନରେ ଥିଲା । ତେବେ ୨୦୧୭ ପଞ୍ଚାୟତ ନିର୍ବାଚନରେ ବିଜେଡି ପୂର୍ବାପେକ୍ଷା କମ୍ ଜିଲ୍ଲା ପରିଷଦ ଆସନ ହାସଲ କରିଥିବା ବେଳେ କଂଗ୍ରେସ ତୃତୀୟ ସ୍ଥାନକୁ ଖସିଥିଲେ ମଧ୍ୟ ରାୟଗଡା ଓ ଝାରସୁଗୁଡା ଜିଲ୍ଲା ପରିଷଦ ହାତେଇଥିଲା । ଅବଶ୍ୟ ପରବର୍ତ୍ତୀ ସମୟରେ ଏଥିରୁ ଗୋଟିଏ ଜିଲ୍ଲା ପରିଷଦ କଂଗ୍ରେସ ହାତରୁ ଖସି ବିଜେଡି ଖାତାକୁ ଯାଇଥିଲା ।
ତେବେ ୨୦୧୭ ପଞ୍ଚାୟତ ନିର୍ବାଚନରେ ଦ୍ୱିତୀୟ ସ୍ଥାନରେ ରହିଥିବା ବିଜେପି ପଶ୍ଚିମ ଓଡ଼ିଶାରେ ଖୁବ୍ ଭଲ ପ୍ରଦର୍ଶନ କରିବା ସହିତ ମୟୂରଭଞ୍ଜରୁ ମାଲକାନଗିରି ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଅନ୍ୟୂନ ୮ଟି ଜିଲ୍ଲା ପରିଷଦ ଦଖଲ କରିଥିଲା । ଏହାର ପ୍ରତିଫଳନ ୨୦୧୯ରେ ହୋଇଥିବା ସାଧାରଣ ନିର୍ବାଚନରେ ଦେଖିବାକୁ ମିଳିଥିଲା ।
ଯେଉଁଥିରେ ପଶ୍ଚିମ ଓଡ଼ିଶାର ସୁନ୍ଦରଗଡ, ସମ୍ବଲପୁର, ବରଗଡ, ବଲାଙ୍ଗୀର ଓ କଳାହାଣ୍ଡି ସମେତ ଉତ୍ତର ଓଡ଼ିଶାର ମୟୂରଭଞ୍ଜ ଓ ଦକ୍ଷିଣ ଓଡ଼ିଶାର ମାଲକାନଗିରିରେ ବିଜେପି ଲୋକସଭା ନିର୍ବାଚନରେ ଆଶାତୀତ ସଫଳତା ହାସଲ କରିଥିଲା । କେବଳ ସେତିକି ନୁହେଁ, ରାଜ୍ୟ ବିଧାନସଭା ନିର୍ବାଚନରେ ବି ବିଜେପି କଂଗ୍ରେସକୁ ତୃତୀୟ ସ୍ଥାନକୁ ଠେଲି ଦ୍ୱିତୀୟ ସ୍ଥାନ ଅକ୍ତିଆର କରିବା ସହିତ ବିରୋଧୀ ଦଳ ନେତା ପଦ ବି ବିଧାନସଭାରେ ହାସଲ କରିଥିଲା ।
କଂଗ୍ରେସ ୧୩୭ ବର୍ଷର ରାଜନୈତିକ ଦଳ ଏବଂ ଏହି ଦଳ ନେତୃତ୍ୱରେ ଚାଲିଥିବା ସଂଗ୍ରାମର ଫଳ ସ୍ୱରୂପ ଭାରତ ସ୍ୱାଧୀନ ହୋଇଥିଲା । ତେବେ ବିଜେପି ୪୨ବର୍ଷର ରାଜନୈତିକ ଦଳ ହୋଇଥିଲେ ମଧ୍ୟ ଏହାର ପୂର୍ବଜମାନେ ଜନସଂଘ ଓ ହିନ୍ଦୁ ମହାସଭା ପୃଷ୍ଠଭୂମିରୁ ଆସିଥିଲେ ଏବଂ ଏହି ଦଳର ଅନେକ ନେତାଙ୍କର ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ସହିତ ମଧ୍ୟ ସିଧାସଳଖ ସଂପର୍କ ରହିଥାଏ ।
ଅନ୍ୟପକ୍ଷରେ ବିଜେଡି ଏକ ଆଞ୍ଚଳିକ ଦଳ ଭାବେ ୨୫ବର୍ଷ ତଳେ ଜନ୍ମ ଲାଭ କରିବା ସହିତ ରାଜ୍ୟରେ ୨୨ବର୍ଷ ଧରି ଲଗାତର ଭାବେ ଶାସନ କ୍ଷମତାରେ ରହିଛି । ବିଜେପି ଓ କଂଗ୍ରେସ ଗୋଟିଏପଟେ ବିଜେଡିର ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକଳ୍ପ ନେତୃତ୍ୱ ଜନସାଧାରଣଙ୍କ ନିକଟରେ ଏଯାବତ ଉପସ୍ଥାପନ କରିବାରେ ସମର୍ଥ ହୋଇନଥିବା ବେଳେ ଏହି ଦୁଇଦଳ ବି ସାଂଗଠନିକ ଓ ଜନସଂପର୍କ ଦୃଷ୍ଟିରୁ ବିଜେଡିଠାରୁ ବହୁ ପଛରେ ପଡିଛନ୍ତି । ପଞ୍ଚାୟତ ନିର୍ବାଚନରେ ବିଜେଡି ସପକ୍ଷରେ ସୁପର ସୁନାମୀ ବହିଥିବା ପରିପ୍ରେକ୍ଷୀରେ ଧ୍ୱସ୍ତବିଧ୍ୱସ୍ତ ବିରୋଧୀ ଦଳମାନେ ହଠାତ ରାଜ୍ୟରେ ପୌର ନିର୍ବାଚନକୁ କିଭଳି ମୁକାବିଲା କରିବେ ତାହା ଏକ ବଡ ପ୍ରଶ୍ନବାଚୀ ।
ତେବେ ୨୦୨୪ରେ ସାଧାରଣ ନିର୍ବାଚନ ହେବାକୁ ଥିବାରୁ ବିଜେପି ଓ କଂଗ୍ରେସରେ ଏବେଠାରୁ ଆତ୍ମଚିନ୍ତନ ଆରମ୍ଭ ହୋଇଛି ଏବଂ ତାହାରି ଭିତରେ ସାଂଗଠନିକ ପୁନର୍ବିନ୍ୟାସ କରି ଏହି ଦୁଇ ଜାତୀୟ ରାଜନୈତିକ ଦଳ କିଭଳି ଲୋକଙ୍କ ବିଶ୍ୱାସଭାଜନ ହେବେ ସେଥିପାଇଁ ତରିକା ଖୋଜିବା ଆରମ୍ଭ କରିଥିବା ବେଳେ ବିଜେଡି କିନ୍ତୁ ମାର୍ଚ୍ଚ ୨୪ର ପୌର ନିର୍ବାଚନ ଏବଂ ୨୦୨୪ରେ ହେବାକୁ ଥିବା ଲୋକସଭା ଓ ବିଧାନସଭା ନିର୍ବାଚନକୁ ଆଖି ଆଗରେ ରଖି ନିରନ୍ତର ଗୋଟି ଚାଳନା କରୁଛି । (ତଥ୍ୟ)