Home Industry ଓଡ଼ିଶା ହେବ ଟେକ୍ସଟାଇଲ୍‌ ହବ୍‌

ଓଡ଼ିଶା ହେବ ଟେକ୍ସଟାଇଲ୍‌ ହବ୍‌

ଭୁବନେଶ୍ୱର : ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଆନୁକୂଲ୍ୟରେ ‘ମେକିଂ ଓଡ଼ିଶା ଦି ଟେକ୍ସଟାଇଲ୍‌ ହବ୍‌ ଅଫ୍‌ ଇଷ୍ଟ’ ଶୀର୍ଷକ ଏକ ଦିନିକିଆ ସେମିନାରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶକ୍ତି, ଶିଳ୍ପ, ଏମ୍‌ଏସ୍‌ଏମ୍‌ଇ ଓ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପ୍‌ଟେନ୍‌ ଦିବ୍ୟଶଙ୍କର ମିଶ୍ର ରାଜ୍ୟର ଶିଳ୍ପ ଅନୁକୂଳ ବାତାବରଣ ରାଜ୍ୟକୁ ଏକ ଟେକ୍ସଟାଇଲ୍‌ ହବ୍‌ରେ ପରିଣତ କରିପାରିବ ବୋଲି କହିଥିଲେ ।

ଏହି ଅବସରରେ ମନ୍ତ୍ରୀ କ୍ୟାପ୍‌ଟେନ୍‌ ମିଶ୍ର ରାଜ୍ୟ ସରକାର ସ୍ଥିର ନେତୃତ୍ୱ, ସ୍ୱଚ୍ଛ ଶିଳ୍ପ ନୀତି ଏବଂ କଞ୍ଚାମାଲ, ଦକ୍ଷ ଓ କୁଶଳୀ ମାନବସମ୍ବଳ, ରାଜ୍ୟର ବଳକା ବିଦ୍ୟୁତ ଇତ୍ୟାଦି ଶିଳ୍ପ ପରିମଣ୍ଡଳକୁ ବେଶ୍‌ ସୁହାଇ ପାରିଛି । ବିଶେଷ କରି ଇଡ଼୍‌କୋ ମାଧ୍ୟମରେ ନୂତନ ଶିଳ୍ପ ସୃଷ୍ଟି ପାଇଁ ଲ୍ୟାଣ୍ଡ ବ୍ୟାଙ୍କ ଏବଂ କ୍ଲଷ୍ଟର ଆପ୍ରୋଚ୍‌ ଯୋଗେ ସମସ୍ତ ଆନୁଷଙ୍ଗିକ ଭିତ୍ତିଭୂମିର ଉପଲବ୍ଧ ହେବା ଶିଳ୍ପ ପ୍ରତିଷ୍ଠା ଦିଗରେ ସହାୟକ ହୋଇପାରିଥିବା ସେ ସୂଚିତ କରିଥିଲେ । ତା’ଛଡ଼ା ରାଜ୍ୟର ପ୍ରାଚୀନ ସାମୁଦ୍ରିକ ବହିଃବ୍ୟାପାରର ଇତିହାସ ରହିଛି ବୋଲି ସେ କହିଥିଲେ ।

ପ୍ରାରମ୍ଭିକ ସୂନା ପ୍ରଦାନ କରି ଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ହେମନ୍ତ କୁମାର ଶର୍ମା ରାଜ୍ୟର ଉତ୍ତମ ବାତାବରଣ ସହ ସରକାରଙ୍କ ଶିଳ୍ପାଭିମୁଖୀ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରି ଓଡ଼ିଶା କିପରି ପୁଞ୍ଜିନିବେଶ ପାଇଁ ଏକ ପ୍ରକୃଷ୍ଟ ରାଜ୍ୟ ତାହା ବର୍ଣ୍ଣନା କରିଥିଲେ । କାର୍ଯ୍ୟକ୍ରମରେ ଯୋଗଦେଇ କେନ୍ଦ୍ର ଟେକ୍ସଟାଇଲ୍‌ ସଚିବ ଉପେନ୍ଦ୍ର ପ୍ରସାଦ ସିଂ କେନ୍ଦ୍ର ସରକାରଙ୍କ ନିକଟରେ ଘୋଷିତ ପିଏଲ୍‌ଆଇ ଓ ପିଏମ୍‌ ମିତ୍ର ପରି ଦୁଇଟି ନୂତନ ସ୍କିମ୍‌ ସଂପର୍କରେ ଧାରଣା ଦେଇଥିଲେ ।

ଏଥି ସହିତ ସେ କ୍ଲଷ୍ଟର ମାଧ୍ୟମରେ ଶିଳ୍ପ ପ୍ରତିଷ୍ଠା ଲୋଜିଷ୍ଟିକ୍‌ ଖର୍ଚ୍ଚ ୩ରୁ ୪ ପ୍ରତିଶତ ହ୍ରାସ ହେଉଥିବା ନୂଆ ଶିଳ୍ପ ପ୍ରତିଷ୍ଠାନଗୁଡ଼ିକ ପାଇଁ ନିହାତି ଭାବେ ଏକ ସୁଯୋଗ ବୋଲି କହିଥିଲେ । ତେଣୁ ଯେଉଁ ସ୍ଥାନରେ ଏସବୁ ସୁବିଧା ଉପଲବ୍ଧ ସେଠାରେ ଶିଳ୍ପ ପ୍ରତିଷ୍ଠା ପାଇଁ ଆଗଭର ହେବାକୁ ସେ ଶିଳ୍ପପତିମାନଙ୍କୁ ପରାମର୍ଶ ଦେଇଥିଲେ ।

ଓଡ଼ିଶା ସରକାର ଏ ଦିଗରେ ଏକ ପେଶାଦାର ଆଭିମୁଖ୍ୟ ନେଇ ପୁଞ୍ଜିନିବେଶ ପାଇଁ ଆମନ୍ତ୍ରଣ କରୁଥିବା ଏକ ସୁବର୍ଣ୍ଣ ସୁଯୋଗ ଓ ଦେଶର ସାଢ଼େ ୧୦ କୋଟି ଲୋକ ଟେକ୍ସଟାଇଲ୍‌ ଶିଳ୍ପ ସହ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ନିର୍ଭର କରୁଥିବା ଯୋଗୁଁ ଏହାର ଗୁରୁତ୍ୱ ରହିଥିବା ସେ ପ୍ରକାଶ କରିଥିଲେ ।

ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ସମ୍ମାନିତ ଅତିଥି ଭାବେ ଯୋଗଦେଇ ଓଡ଼ିଶା ଏବେ ପୁଞ୍ଜିନିବେଶକାରୀଙ୍କୁ ଆକର୍ଷିତ କରିବାରେ ପ୍ରମୁଖ ରାଜ୍ୟ ବୋଲି ପ୍ରକାଶ କରିଥିଲେ । ସେହିପରି ପ୍ରକଳ୍ପ କାର୍ଯ୍ୟକାରୀ କରିବାରେ ଓଡ଼ିଶା ସର୍ବାଗ୍ରେ ରହିଥିବା ସେ କହିଥିଲେ ।

ଏଥି ସହିତ ସେମାନେ ରାଜ୍ୟର କୁଶଳୀ ମାନବସମ୍ବଳ, ଅତ୍ୟାଧୁନିକ ଭିତ୍ତିଭୂମି ଯୋଗାଣ, ସରକାରୀ ସହାୟତା, ପ୍ରୋତ୍ସାହନ ରାଶି ପ୍ରଦାନ, ଏକକ ବାତାୟନ ବ୍ୟବସ୍ଥା ପ୍ରଭୃତି ସେମାନଙ୍କୁ ଶିଳ୍ପ ପ୍ରତିଷ୍ଠା କରିବା ଦିଗରେ ଯଥେଷ୍ଟ ସାହାଯ୍ୟ କରିବା ସେମାନେ ବର୍ଣ୍ଣନା କରିଥିଲେ । ଆଗକୁ ସେମାନେ ସବୁଜ ପ୍ରାନ୍ତର ସଂପ୍ରସାରଣ ଓ ପ୍ରକଳ୍ପଗୁଡ଼ିକର ବିବିଧତା ବିକାଶ ଦିଗରେ କାର୍ଯ୍ୟ କରିବାକୁ ମନସ୍ଥ କରିଥିବା ସେମାନେ ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ଦେଶର ବିିଭିନ୍ନ ପ୍ରାନ୍ତରୁ ଆସିଥିବା ପ୍ରାୟ ୩୦ଟି ଶିଳ୍ପସଂସ୍ଥାର ପ୍ରତିନିଧି ଅଂଶଗ୍ରହଣ କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରୁ ଆଇଓସିଏଲର ନିର୍ଦ୍ଦେଶକ ରାମ କୁମାର, ହ୍ୟାଣ୍ଡଲୁମ୍‌ ଟେକ୍ସଟାଇଲ୍‌ କମିଶନର ତଥା ସଚିବ ଶୁଭା ଶର୍ମା ପରିଚାଳନା ନିର୍ଦ୍ଦେଶକ ଇପିକଲ୍‌ ଭୁପେନ୍ଦ୍ର ସିଂହ ପୁନିଆ ପ୍ରମୁଖ ଏହି ଅବସରରେ ତାଙ୍କର ବକ୍ତବ୍ୟ ଉପସ୍ଥାପନ କରିଥିଲେ ।