ଭୁବନେଶ୍ୱର : ସାହିତ୍ୟ ସଭ୍ୟତାକୁ ସ୍ୱରୂପ ଦେଇଛି । ମଣିଷର ଉତ୍ତରଣରେ ସାହିତ୍ୟର ସର୍ବଗରିଷ୍ଠ ଭୂମିକା ରହିଛି । ମଣିଷକୁ ମଣିଷ କରିଛି ସାହିତ୍ୟ । ସୁତରାଂ ସାହିତ୍ୟ ସମୟର ଆହ୍ୱାନ ଓ ଆବଶ୍ୟକତାକୁ ଅଙ୍ଗୀକୃତ କରିବା ଦରକାର ବୋଲି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପ୍ରକାଶ କରିଛନ୍ତି । ଆଜି ପୂର୍ବାହ୍ନରେ ଭୁବନେଶ୍ୱର ସାହିତ୍ୟ ପର୍ବର ଦ୍ୱିତୀୟ ଦିବସର ମୁକ୍ତ ଅଧିବେଶନରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଫେସର ଲାଲ ଭାରତୀୟ ଆଧ୍ୟାତ୍ମରେ ସାହିତ୍ୟର ଗୁରୁତ୍ୱ ଉପରେ ଆଲୋକପାତ କରିଛନ୍ତି ।
ଭୁବନେଶ୍ୱର ସାହିତ୍ୟ ସମାଜ ଟ୍ରଷ୍ଟ ଆନୁକୂଲ୍ୟରେ ଆୟୋଜିତ ଭୁବନେଶ୍ୱର ସାହିତ୍ୟ ପର୍ବରେ ଯୋଗଦେଇ ପ୍ରଫେସର ଲାଲ କହିଲେ ଯେ ସାହିତ୍ୟର ଆଭିମୁଖ୍ୟ ସର୍ବଦା ଜୀବନ ଓ ଜଗତ ପ୍ରତି ସମ୍ବେଦନଶୀଳ ଏବଂ ଏହା ଆମ ସମାଜରେ ଆସନ୍ତା ପିଢ଼ି ପାଇଁ ମାର୍ଗଦର୍ଶିକାର ଭୂମିକା ନିର୍ବାହ କରିଛି । ଓଡ଼ିଶାରେ ସର୍ଜନାର ଧାରା ଉତ୍ସାହପ୍ରଦ ବୋଲି ଅଭିହିତ କରି ରାଜ୍ୟପାଳ ପ୍ରଫେସର ଲାଲ ଏହାକୁ ଆହୁରି କ୍ରିୟାଶୀଳ କରିବା ନିମନ୍ତେ ସାହିତି୍ୟକମାନଙ୍କୁ ଆହ୍ୱାନ ଜଣାଇଛନ୍ତି ।
ଜ୍ଞାନପୀଠ ବିଜେତା ପଦ୍ମ ବିଭୂଷଣ ଡ. ସୀତାକାନ୍ତ ମହାପାତ୍ର ବିଶିଷ୍ଟ ଅତିଥି ଭାବେ ଯୋଗଦେଇ ଭୁବନେଶ୍ୱର ସାହିତ୍ୟ ପର୍ବକୁ କଳା-ସାହତ୍ୟ-ସଂସ୍କୃତିର ମିଳନ ଉତ୍ସବ ଭାବରେ ବର୍ଣ୍ଣନା କରି ଯୁବଲେଖକମାନେ ପରମ୍ପରା ଓ ଆଧୁନିକତା ମଧ୍ୟରେ ସମନ୍ୱୟ ରକ୍ଷା କରି ଲେଖନୀ ଚାଳନା କରିବାକୁ ପରାମର୍ଶ ଦେଇଥିଲେ ।
ପ୍ରତିଷ୍ଠିତ ଅନୁବାଦକ ଶ୍ରୀ ସୂର୍ଯ୍ୟମଣି ଖୁଣ୍ଟିଆ ମଞ୍ଚାସୀନ ଥିଲେ । ଭୁବନେଶ୍ୱର ସାହିତ୍ୟ ସମାଜ ଟ୍ରଷ୍ଟର ସଭାପତି କବି ଶ୍ରୀ ସୂର୍ଯ୍ୟ ମିଶ୍ର ସ୍ୱାଗତ ଭାଷଣ ଦେଇ ଆଧ୍ୟାତ୍ମିକତା ଓ ଆଧୁନିକତା ସାହିତ୍ୟର ଅସଲ ଆବେଦନ ବୋଲି ଦର୍ଶାଇଥିଲେ । ସଂପାଦିକା ସୋନାଲି ମହାପାତ୍ର ବିବରଣୀ ପାଠ କରିଥିଲେ ।
ଏହି ଅବସରରେ କବି ଅଜୟ ପ୍ରଧାନଙ୍କୁ ‘କୈଳାସ ଲେଙ୍କା ସ୍ମୃତି ସୃଜନ ସମ୍ମାନ’ ଓ ଚିତ୍ରଶିଳ୍ପୀ ଅଧ୍ୟାପକ ଅଞ୍ଜନ କୁମାର ସାହୁଙ୍କୁ ‘ଦିନନାଥ ପାଠୀ ସ୍ମୃତି ଶିଳ୍ପୀ ସମ୍ମାନ’ ପ୍ରଦାନ କରାଯାଇଥିଲା । ସାହିତ୍ୟ ପର୍ବର ସ୍ମରଣିକା ‘ଆସର’ ଓ ସାହିତ୍ୟ ସମାଜର ବାର୍ଷିକ କବିତା ପୁସ୍ତକ ସମେତ ଅକ୍ଷୟ ପାଳ ଓ ଡ. ଦେବାଶିଷ ମହାପାତ୍ରଙ୍କ ପୁସ୍ତକ ରାଜ୍ୟପାଳଙ୍କ ଦ୍ୱାରା ଲୋକାର୍ପିତ ହୋଇଥିଲା ।
ପରେ ସତ୍ୟଜିତ ରାୟ ଫିଲ୍ମ ଓ ଟେଲିଭିଜନ ଇନ୍ଷ୍ଟିଚୁ୍ୟଟ୍, କୋଲକାତାର ନିର୍ଦ୍ଦେଶକ ଡ. ହିମାଂଶୁ ଖଟୁଆଙ୍କ ସହିତ ସିନେ-ଗବେଷକ ସୂର୍ଯ୍ୟ ଦେଓଙ୍କ ଆଳାପ, ଗୀତି କବିତା ସଂପର୍କିତ ଆଲୋଚନା ‘ଗୀତି ସୁରେ: ମନ ଝୁରେ’ ଅନୁଷ୍ଠିତ ହୋଇଥିଲା । ଏଥିରେ ନନ୍ଦ କିଶୋର ସିଂହ, ଦେବୀଦତ୍ତ ମହାନ୍ତି ଓ ଧନଞ୍ଜୟ ସ୍ୱାଇଁ ଅଂଶଗ୍ରହଣ କରିଥିବାବେଳେ ବିଜୟ ମଲ୍ଲ ସଂଯୋଜନା କରିଥିଲେ ।