Home Energy ଓଡ଼ିଶାରେ ମାଗଣା ବିଜୁଳି କେବେ ?

ଓଡ଼ିଶାରେ ମାଗଣା ବିଜୁଳି କେବେ ?

ଭୁବନେଶ୍ୱର : ଓଡିଶାବାସୀଙ୍କୁ କେବେ ମାଗଣା ବିଜୁଳି ମିଳିବ ? ପଞ୍ଜାବ ସରକାର ତାଙ୍କ ରାଜ୍ୟ ବାସୀଙ୍କୁ ଜୁଲାଇ ମାସରୁ ୩୦୦ ୟୁନିଟ୍ ପର୍ଯ୍ୟନ୍ତ ଦେୟମୁକ୍ତ ବିଜୁଳି ଯୋଗାଇ ଦେବେବୋଲି ଆଜି ପଞ୍ଜାବ ମୁଖ୍ୟମନ୍ତ୍ରୀ ଘୋଷଣା କରିବାପରେ ଓଡିଶା ସରକାରଙ୍କୁ ଏଭଳି ପ୍ରଶ୍ନ ପଚାରିଛି ସମାଜବାଦୀ ପାର୍ଟି ।

ଦଳର ରାଜ୍ୟ ସଭାପତି ରବି ବେହେରା କହିଛନ୍ତି ଯେ ଭାରତ ବର୍ଷରେ ଓଡ଼ିଶା ଏକ ବିଜୁଳି ଉତ୍ପାଦନକାରୀ ରାଜ୍ୟ ଭାବରେ ପରିଗଣିତ ହୋଇଥାଏ । ଆମ ଓଡ଼ିଶାରେ ୧୧ ଭାଗ ପାଣି ଏବଂ ୨୬ ଭାଗ କୋଇଲା ଅଛି, ଯାହା ବିଜୁଳି ଉତ୍ପାଦନର ସବୁଠାରୁ ବଡ଼ ଉତ୍ପାଦନ । କିନ୍ତୁ ଦୁଃଖର କଥା ଦୀର୍ଘଦିନ ଧରି ଦାବି ହୋଇଆସୁଥିଲେ ମଧ୍ୟ ଓଡ଼ିଶାରେ ନା ରାଜ୍ୟବାସୀଙ୍କ ପାଇଁ, ନା ଓଡ଼ିଶାର ଚାଷୀମାନଙ୍କ ପାଇଁ ସରକାର ଦେୟମୁକ୍ତ ବିଜୁଳି ସେବା ଯୋଗାଇଦେଲେ ।

୨୦୧୫ ମସିହାରେ ଚାଷୀଙ୍କୁ ମାଗଣାରେ ବିଜୁଳି ଦେବାପାଇଁ ସରକାର ବିଧାନସଭାରେ କହିଥିଲା ବେଳେ ଶାସକ ବିଜେଡ଼ି ସମେତ ବିଜେପି ଓ କଂଗ୍ରେସ ଭଳି ରାଜନୈତିକ ଦଳମାନେ ତାଙ୍କ ନିର୍ବାଚନୀ ଇସ୍ତାହାରରେ ଦେୟମୁକ୍ତ ବିଜୁଳି ସେବା ଯୋଗାଇଦେବାପାଇଁ ରାଜ୍ୟବାସୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ଆଜି ପର୍ଯ୍ୟନ୍ତ ତାହା ସାକାର ହୋଇପାରିଲା ନାହିଁ ।

ଗତ ଫେବୃୟାରୀ ୧୯ ତାରିଖ ଦିନ ଓ.ଇ.ଆର.ସି.ରେ ଜନଶୁଣାଣି ଚାଲିଥିଲା ବେଳେ ସମାଜବାଦୀ ପାର୍ଟି ପକ୍ଷରୁ ଏକ ବିକ୍ଷୋଭ ପ୍ରଦର୍ଶନ କରାଯାଇ ଓ.ଇ.ଆର.ସି.ଙ୍କ ଅଧ୍ୟକ୍ଷଙ୍କୁ ୩୦୦ ୟୁନିଟ୍ ପର୍ଯ୍ୟନ୍ତ ନିଃଶୁଳ୍କ ବିଜୁଳି ସେବା ଯୋଗାଇ ଦେବାପାଇଁ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା । କିନ୍ତୁ ଓ.ଇ.ଆର.ସି. କର୍ତ୍ତୃପକ୍ଷ ଆଜି ପର୍ଯ୍ୟନ୍ତ ସେ ଦିଗରେ କୌଣସି ପଦକ୍ଷେପ ନେଲେନାହିଁ ।

ବିଜୁଳି ବଳକା ରାଜ୍ୟ ଓଡ଼ିଶାରେ ଆଜି ବି ଘନଘନ ବିଜୁଳି କାଟ୍ ହେଉଛି ଏବଂ ବିଜୁଳି ସେବା ଦିନକୁ ଦିନ ମହଙ୍ଗା ହେବାରେ ଲାଗିଛି ବୋଲି ସମାଜବାଦୀ ପାର୍ଟି ପକ୍ଷରୁ ଅଭିଯୋଗ କରାଯାଇଛି । ପାର୍ଟିର ରାଜ୍ୟ ସଭାପତି ରବି ବେହେରା ଆଜି ଏକ ପ୍ରେସ୍ ବିଜ୍ଞପ୍ତି ଜାରି କରି ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଛନ୍ତି ଯେ, ପଞ୍ଜାବରେ ୩୦୦ ୟୁନିଟ୍ ବିଜୁଳି ଫ୍ରି, ବିଜୁଳି ବଳକା ରାଜ୍ୟ ଓଡ଼ିଶାରେ ନିଃଶୁଳ୍କ ବିଜୁଳି ସେବା ଯୋଗାଇ ଦିଆଯିବ କେବେ ? ଅହେତୁକ ବିଜୁଳି କାଟ୍ ବନ୍ଦ ପାଇଁ ମଧ୍ୟ ଶ୍ରୀ ବେହେରା ଦାବି କରିଛନ୍ତି । ରାଜ୍ୟ ସରକାର ତୁରନ୍ତ ଏ ଦିଗରେ ପଦକ୍ଷେପ ନ ନେଲେ ସମାଜବାଦୀ ପାର୍ଟି ରାଜରାସ୍ତାକୁ ଓହ୍ଲାଇ ବୋଲି ଶ୍ରୀ ବେହେରା ଓ.ଇ.ଆର.ସି. କର୍ତ୍ତୃପକ୍ଷ ଓ ରାଜ୍ୟ ସରକାରଙ୍କୁ ସତର୍କ କରାଇ ଦେଇଛନ୍ତି ।