ଭୁବନେଶ୍ୱର : ବାରମ୍ବାର ତାଗିଦା ସତ୍ତ୍ୱେ ଋଣ ପରିଶୋଧ କରିନଥିବାରୁ ଶ୍ରୀ ଶାରଳା ବୁଣାକାର ସମବାୟ ସୂତାକଳକୁ ବ୍ୟାଙ୍କ କର୍ତ୍ତୃପକ୍ଷ ସିଲ୍ କରିଥିବା ବେଳେ ଅଚଳ ଅବସ୍ଥାରେ ପଡିଥିବା ଅନ୍ୟ ସମବାୟ ସୂତାକଳ ଓ ଲୁଗାକଳଗୁଡିକୁ ଯେକୌଣସି ସମୟରେ ଋଣଦାତାମାନେ ଜବତ କରିବା ଆଶଙ୍କା ଉପୁଜିଛି ।
ଓଡ଼ିଶାରେ ସରକାରୀ ଓ ବେସରକାରୀ ଉଦ୍ୟମରେ ପ୍ରତିଷ୍ଠା କରାଯାଇଥିବା ୧୩ଟି ସୂତାକଳ ଓ ୧୩ଟି କଳତନ୍ତ ବୟନଶିଳ୍ପ ଦୀର୍ଘବର୍ଷ ଧରି ବନ୍ଦହୋଇ ପଡିଛି । ଏଗୁଡିକର ପୁନରୁଦ୍ଧାର କରାଯାଉନାହିଁ କିମ୍ବା ସମବାୟ ଭିତ୍ତିରେ ଆଉ ନୂଆ ସୂତାକଳ କି ବୟନଶିଳ୍ପ ପ୍ରତିଷ୍ଠା କରାଯାଉ ନଥିବାରୁ ରାଜ୍ୟର ଚାହିଦା ମେଣ୍ଟାଇବା ପାଇଁ ଅନ୍ୟ ରାଜ୍ୟରୁ ବାର୍ଷିକ ପ୍ରାୟ ୨୫ ହଜାର କୋଟି ଟଙ୍କାର କପଡା ଓଡ଼ିଶା କିଣିବାକୁ ବାଧ୍ୟ ହେଉଛି ।
ଅଶି ଦଶକରେ ମା’ ଶାରଳାଙ୍କ ନାମରେ ସ୍ଥାପନ କରାଯାଇଥିବା ବୁଣକାର ସମବାୟ ସୂତାକଳକୁ ଏକଦା କେବଳ ଜଗତସିଂହପୁର ଜିଲ୍ଲା କାହିଁକି ଓଡ଼ିଶାର ଗର୍ବ ଓ ଗୌରବ ବୋଲି କୁହାଯାଉଥିଲା । ୧୯୯୯ ମହାବାତ୍ୟା ପରଠାରୁ ଏହି ସମବାୟ ସୂତାକଳ ବନ୍ଦହୋଇ ପଡିଥିଲେ ମଧ୍ୟ ୨୩ ବର୍ଷ ଧରି ତାହାର ପୁନରୁଦ୍ଧାର ହୋଇପାରି ନାହିଁ । ଏହି ସମବାୟ ସୂତାକଳ ପାଇଁ ଭାରତୀୟ ଷ୍ଟେଟବ୍ୟାଙ୍କ ଦେଇଥିବା ଋଣର ପରିମାଣ ଏବେ ବଢ଼ି ବଢ଼ି ପ୍ରାୟ ସାଢ଼େ ୪ କୋଟି ଟଙ୍କା ହେଲାଣି । ଋଣ ପରିଶୋଧ ଲାଗି ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ବାରମ୍ବାର ତାଗିଦା ସତ୍ତ୍ୱେ କେହି କର୍ଣ୍ଣପାତ ନକରିବାରୁ ଇତିମଧ୍ୟରେ ଭାରତୀୟ ଷ୍ଟେଟବ୍ୟାଙ୍କର ଅଧିକାରୀମାନେ ଆଇନାନୁଯାୟୀ ଅଚଳ ଅବସ୍ଥାରେ ପଡିଥିବା ଏହି ସୂତାକଳକୁ ଜବତ କରିଛନ୍ତି ।
ବରଗଡ ଜିଲ୍ଲାର ତୋରାଠାରେ ଥିବା ଓଡ଼ିଶା ବୁଣାକାର ସମବାୟ ସୂତାକଳ ବି ୧୯୯୯ ଜୁନ୍ ମାସରୁ ବନ୍ଦହୋଇ ପଡିଛି । ଖୋର୍ଦ୍ଧାର ଗର୍ବ ଓ ଗୌରବ ବୋଲି କୁହାଯାଉଥିବା ଉତ୍କଳ ବୁଣାକାର ସମବାୟ ସୂତାକଳ ୧୯୯୮ ଫେବୃୟାରୀ ମାସରୁ ବନ୍ଦ ଅଛି । ସେହିପରି ଢ଼େଙ୍କାନାଳର କଳିଙ୍ଗ ବୁଣାକାର ସୂତାକଳ ୨୦୦୨ରୁ, ବାଲେଶ୍ୱର ଜିଲ୍ଲାର ଶ୍ରୀ ଗୋପିନାଥ ବୁଣାକାର ସମବାୟ ସୂତାକଳ ୨୦୦୮ରୁ ଏବଂ ଆଠଗଡର ଶ୍ରୀ ଜଗନ୍ନାଥ ବୁଣାକାର ସମବାୟ ସୂତାକଳ ୨୦୦୫ ମସିହାରୁ ବନ୍ଦ ରହିଛି । ଏହାଛଡା କଟକର ଭଗତପୁରଠାରେ ଥିବା ଓଡ଼ିଶା କଟନ୍ ମିଲ୍ସ ଓ ଝାରସୁଗୁଡାର ଭାସ୍କର ଟେକ୍ସଟାଇଲ ମିଲ୍ସ ବି ବନ୍ଦ ଅଛି । ଏ ଦୁଇଟି ସରକାରଙ୍କ ଦ୍ୱାରା ପରିଚାଳିତ ହେଉଥିଲା ।
ଏହାଛଡା ରାଇରଙ୍ଗପୁର, ସୋନପୁର, ଆସିକା, ବାରିପଦା ଓ ସୁନ୍ଦରଗଡରେ ଥିବା ଆଉ ୫ଟି ଘରୋଇ ସୂତାକଳ ବନ୍ଦ ଥିବାରୁ ଓଡ଼ିଶାର ହସ୍ତତନ୍ତ ବୁଣାକାରମାନେ ଅନ୍ୟ ରାଜ୍ୟରୁ ସୂତା ଆଣି ଲୁଗା ବୁଣୁଛନ୍ତି । ଓଡ଼ିଶାରେ ପ୍ରଚୁର କପା ଉତ୍ପାଦିତ ହେଉଥିବା ବେଳେ ବାହାର ରାଜ୍ୟର ବେପାରୀମାନେ ଶସ୍ତା ଦରରେ ଏହି କପା କିଣି ଅନ୍ୟ ରାଜ୍ୟର ସୂତାକଳଗୁଡିକୁ ବିକି ବେଶ୍ ମୁନାଫା ଉଠାଉଥିବା ବେଳେ ଓଡ଼ିଶାର ୧୩ଟି ସମବାୟ, ସରକାରୀ ଓ ବେସରକାରୀ ସୂତାକଳରେ ବର୍ଷ ବର୍ଷ ଧରି ତାଲା ଝୁଲୁଛି ।
ଏହାଛଡା ଚୌଦ୍ୱାରର ଓଟିଏମ ସହିତ କେନ୍ଦ୍ରାପଡା, ମୟୂରଭଞ୍ଜ, ଖୋର୍ଦ୍ଧା, ଗଞ୍ଜାମ, କଟକ, ଜଗତସିଂହପୁର, ବରଗଡ, ଢ଼େଙ୍କାନାଳ, ସୁନ୍ଦରଗଡ ଓ କଳାହାଣ୍ଡି ଜିଲ୍ଲାରେ ୧୨ଟି ସମବାୟ କଳତନ୍ତ ସମିତି ମଧ୍ୟ ଦୀର୍ଘବର୍ଷ ଧରି ଅଚଳ ହୋଇପଡିଛି । ଏଥିମଧ୍ୟରୁ ଗୋଟିଏ ସମିତିର ସମ୍ପତ୍ତି ବାଜ୍ୟାପ୍ତ ହୋଇ ବିକ୍ରି ସରିଲାଣି ଓ ଅନ୍ୟଗୁଡିକ କେବେ ବାଜ୍ୟାପ୍ତ ହେବ ସେଥିଘେନି ପ୍ରତୀକ୍ଷା । ଏହି କଳତନ୍ତ ଓ ବୁଣାକାର ସମବାୟ ସୂତାକଳଗୁଡିକରେ ହଜାର ହଜାର ଲୋକ ପ୍ରତ୍ୟକ୍ଷ ଓ ପରୋକ୍ଷ କର୍ମନିଯୁକ୍ତି ପାଇଥିଲେ ଏବଂ ଏଗୁଡିକ କାର୍ଯ୍ୟକ୍ଷମ ଥିବାବେଳେ ଏଗୁଡିକରୁ ଉତ୍ପାଦିତ ସାମଗ୍ରୀର ବେଶ୍ ଭଲ ବଜାର ଚାହିଦା ଥିଲା ।
ଏବେ କିନ୍ତୁ ସମବାୟ ଏବଂ ହସ୍ତତନ୍ତ ଓ ବୟନଶିଳ୍ପ ବିଭାଗ ଆଦିର ନିଷ୍କ୍ରିୟତା ତଥା କେନ୍ଦ୍ରୀୟ ପ୍ରୋତ୍ସାହନ ଅଭାବରୁ ଓଡ଼ିଶାର ବୟନଶିଳ୍ପ ବୁଡିବାକୁ ଯାଉଥିବା ବେଳେ ସୀମିତ ଅଞ୍ଚଳରେ କେବଳ ବୁଣାକାରମାନେ ହସ୍ତତନ୍ତକୁ ପ୍ରତିକୂଳ ପରିସ୍ଥିତି ମଧ୍ୟରେ ବଞ୍ଚାଇ ରଖିବାକୁ ସଂଘର୍ଷ କରୁଛନ୍ତି । (ତଥ୍ୟ)