Home Banking ଓଡ଼ିଶାକୁ ରିଜର୍ଭ ବ୍ୟାଙ୍କର ପ୍ରଶଂସା

ଓଡ଼ିଶାକୁ ରିଜର୍ଭ ବ୍ୟାଙ୍କର ପ୍ରଶଂସା

ବିଭିନ୍ନ ଆନ୍ତର୍ଜାତିକ ବୈଷୟିକ ସଂସ୍ଥାର ପରାମର୍ଶ ନେଇ ଓଡ଼ିଶା ସରକାର ରାଜକୋଷୀୟ ଆହ୍ୱାନର ଯେପରି ସଫଳ ମୁକାବିଲା କରୁଛନ୍ତି ତାହାକୁ ରିଜର୍ଭ ବ୍ୟାଙ୍କ ସମେତ ବିଭିନ୍ନ ସ୍ତରରୁ ପ୍ରଶଂସା ମିଳୁଛି । ବିଶେଷକରି କରୋନା ମହାମାରୀ ଆର୍ଥିକ ବ୍ୟବସ୍ଥା ପ୍ରତି ଶକ୍ତ ଆହ୍ୱାନ ଭାବେ ଛିଡ଼ା ହୋଇଥିବା ବେଳେ ଓଡ଼ିଶା ସରକାରଙ୍କ ‘ଫିସ୍କାଲ ରିସ୍କ ମ୍ୟାନେଜ୍‍ମେଣ୍ଟ’ ଯୋଗୁ ଏହି ସମସ୍ୟାର ସଫଳ ମୁକାବିଲା କରାଯାଇପାରୁଛି ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କର ଏକ ରିପୋର୍ଟରେ ଉଲ୍ଲେଖ କରାଯାଇଛି ।

ଆନ୍ତର୍ଜାତିକ ମୁଦ୍ରା ପାଣ୍ଠିର ଦକ୍ଷିଣ ଏସୀୟ ଆଞ୍ଚଳିକ ତାଲିମ ଓ ବୈଷୟିକ କେନ୍ଦ୍ରର ସହାୟତା ନେଇ ଓଡ଼ିଶା ସରକାର ରାଜକୋଷୀୟ ଆହ୍ୱାନ ପରିଚାଳନାକୁ ଗୁରୁତ୍ୱ ଦେଉଛନ୍ତି । ଏଥିପାଇଁ ଅର୍ଥ ବିଭାଗରେ ସ୍ୱତନ୍ତ୍ର ସେଲ୍‍ ଖୋଲାଯିବା ସହ ଉଚ୍ଚସ୍ତରୀୟ କମିଟି ମଧ୍ୟ ଗଠନ କରାଯାଇଛି । ଏହା ମାଧ୍ୟମରେ ରାଜ୍ୟ ରାଜକୋଷ ପ୍ରତି କ’ଣ ସବୁ ଆହ୍ୱାନ ରହୁଛି ତାହା ଚିହ୍ନଟ କରାଯିବା ସହ ଏହି ସମସ୍ୟା କିଭଳି ସଫଳ ମୁକାବିଲା କରାଯାଇପାରିବ ସେଥିଘେନି ବାଟ କଢ଼ା ଚାଲିଛି । ୨୦୧୯ରୁ ଏହି ପ୍ରକ୍ରିୟା ଚାଲିଥିବା ବେଳେ ଏବେ କରୋନା ପରିପ୍ରେକ୍ଷୀରେ ସେଥିରୁ ସୁଫଳ ମିଳୁଛି ।

ରାଜ୍ୟ ରାଜକୋଷ ପ୍ରତି ଥିବା ଆହ୍ୱାନ ଓ ଆଶଙ୍କାକୁ ଉଚ୍ଚ, ମଧ୍ୟମ ଓ ତଳବର୍ଗ ଭାବେ ତିନିଭାଗରେ ବିଭକ୍ତ କରାଯିବା ସଙ୍ଗେ ସଙ୍ଗେ ରାଜ୍ୟରେ ଲାଗି ରହୁଥିବା ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା କରି ଅର୍ଥନୀତିକୁ ସୁଦୃଢ଼ କରିବା, ଋଣ ଅର୍ଥର ଠିକଣା ପରିଚାଳନା, ପୁଞ୍ଜି ଲଗାଣ, ଉତ୍ପାଦନ ବୃଦ୍ଧି ଓ ବିପଣନ ଉପରେ ଅର୍ଥ ବିଭାଗ ଅଧିକ ଗୁରୁତ୍ୱାରୋପ କରୁଛି । ଏହାଛଡ଼ା ରାଜ୍ୟ ସରକାରଙ୍କ ବିଭିନ୍ନ ଉଦ୍ୟୋଗର ଆର୍ଥିକ ଅବସ୍ଥା ସୁଧାରି ସେଗୁଡ଼ିକୁ ଲାଭଜନକ ସଂସ୍ଥାରେ ପରିଣତ କରିବା ପାଇଁ ମଧ୍ୟ ଫିସ୍କାଲ ରିସ୍କ ମ୍ୟାନେଜ୍‍ମେଣ୍ଟ କାର୍ଯ୍ୟକ୍ରମରେ ବିଶେଷ ଧ୍ୟାନ ଦିଆଯାଉଥିବା ଏହି ରିପୋର୍ଟରୁ ଜଣାପଡ଼ିଛି ।

ଇତିମଧ୍ୟରେ ରାଜ୍ୟ ସରକାର ଗ୍ୟାରେଣ୍ଟି ରିଡମ୍ପସନ୍‍ ଫଣ୍ଡ (ଜିଆର୍‍ଏଫ୍‍) ଓ କନ୍‍ସୋଡେଟେଡ୍‍ ସିଙ୍କିଂ ଫଣ୍ଡ (ସିଏସ୍‍ଏଫ୍‍) ଗଠନ କରିଛନ୍ତି । କରୋନା ମହାମାରୀଜନିତ ପରିସ୍ଥିତିର ମୁକାବିଲା କ୍ଷେତ୍ରରେ ସିଏସ୍‍ଏଫ୍‍ ବିଶେଷ ସହାୟକ ହୋଇଛି । ୨୦୨୧-୨୨ ଆର୍ଥିକ ବର୍ଷରେ ରାଜ୍ୟ ସରକାରଙ୍କ ବିତ୍ତୀୟ ଆହ୍ୱାନ ପରିଚାଳନା କାର୍ଯ୍ୟକ୍ରମରୁ ଅଧିକ ସୁଫଳ ମିଳିବ ବୋଲି ଆଶା କରାଯାଉଛି । ଏ ଦିଗରେ ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି ଯୋଗାଉଥିବା ବୈଷୟିକ ସହାୟତା ବେଶ୍‍ ଫଳପ୍ରଦ ହେଉଥିବା ଜଣାପଡ଼ିଛି ।

ଓଡ଼ିଶା ପାଇଁ ଲଗାତର ଭାବେ ପ୍ରାକୃତିକ ବିତ୍ପତ୍ତି ମୁଣ୍ଡବ୍ୟଥାରେ କାରଣ ହୋଇଆସୁଥିବା ବେଳେ ଏହାର ନିରାକରଣ ପାଇଁ ଗଢ଼ା ଯାଇଥିବା ଷ୍ଟେଟ୍‍ ଡିଜାଷ୍ଟର ରେସ୍ପନ୍ସ ଆଣ୍ଡ ମିଟିଗେସନ୍‍ ଫଣ୍ଡ (ଏସ୍‍ଡିଆର୍‍ଏମ୍‍ଏଫ୍‍) ମାଧ୍ୟମରେ ବିପର୍ଯ୍ୟୟଜନିତ କ୍ଷତି ପରିମାଣ ହ୍ରାସ କରିବା ଓ କ୍ଷତିଗ୍ରସ୍ତ ବ୍ୟବସ୍ଥାକୁ ସୀମିତ ସମୟ ମଧ୍ୟରେ ସୁଧୁରାଯାଇପାରୁଛି ବୋଲି ଅର୍ଥନୀତି ବିଶେଷଜ୍ଞମାନେ ମଧ୍ୟ ସ୍ୱୀକାର କରୁଛନ୍ତି ।