Home Industry ଓଡ଼ିଶାକୁ ଜାତୀୟ ଏମ୍‌ଏସ୍‌ଏମ୍‌ଇ ପୁରସ୍କାର

ଓଡ଼ିଶାକୁ ଜାତୀୟ ଏମ୍‌ଏସ୍‌ଏମ୍‌ଇ ପୁରସ୍କାର

ଭୁବନେଶ୍ୱର : ଭାରତ ସରକାର ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ରକୁ ପ୍ରୋତ୍ସାହିତ କରିବା ପାଇଁ ଉତ୍ପାଦନ ଉଦ୍ୟୋଗ, ସେବା ଉଦ୍ୟୋଗ, ସ୍ୱତନ୍ତ୍ର ଉଦ୍ୟୋଗ ଏବଂ ପ୍ରତିଷ୍ଠାନ ସହାୟତା କ୍ଷେତ୍ର ଭଳି ସର୍ବମୋଟ ୪୪ ଗୋଟି କ୍ଷେତ୍ରରେ ପୁରସ୍କାର ନିମନ୍ତେ ବିବେଚିତ ହୋଇଛନ୍ତି । ଏଥିରେ ଓଡ଼ିଶା ଜାତୀୟ ଏମ୍‌ଏସ୍‌ଏମ୍‌ଇ ଆୱାର୍ଡ-୨୦୨୨ ପୁରସ୍କାର ପାଇ ଦେଶରେ ପ୍ରଥମ ରାଜ୍ୟ ଭାବେ ବିବେଚିତ ହୋଇଛି । ଏହା ରାଜ୍ୟର ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ରକୁ ପ୍ରୋତ୍ସାହିତ କରିବା ଦିଗରେ ନେଇଥିବା ପଦକ୍ଷେପ ପାଇଁ ପୁରସ୍କୃତ କରାଯିବ ।

ସେହିଭଳି ଆକାଂକ୍ଷୀ ଜିଲ୍ଲାମାନଙ୍କ ମଧ୍ୟରେ କଳାହାଣ୍ଡି ଜିଲ୍ଲାକୁ ତୃତୀୟ ଜିଲ୍ଲା ଭାବେ ବିବେଚିତ ହୋଇଛି । ଏଥି ସହିତ ସେବା ଉଦ୍ୟୋଗ ବର୍ଗରେ ଭୁବନେଶ୍ୱରର ମେସର୍ସ ସେଫେରିକ୍‌ ଇନ୍‌ସୁରାନ୍ସ ବ୍ରୋକରସ୍‌ ପ୍ରାଇଭେଟ୍‌ ଲିମିଟେଡ୍‌କୁ ପ୍ରଥମ ପୁରସ୍କାର ଏବଂ କଟକର ମେସର୍ସ ଅମରନାଥ ପେଷ୍ଟ ମ୍ୟାନେଜ୍‌ମେଣ୍ଟ ଟେକ୍‌ନୋଲୋଜିକୁ ତୃତୀୟ ପୁରସ୍କାର ପାଇଁ ମନୋନୀତ କରାଯାଇଛି ।

ଏହି ପୁରସ୍କାର ରାଜ୍ୟ ସରକାରଙ୍କର ଏମ୍‌ଏସ୍‌ଏମ୍‌ଇ ବିଭାଗ ଦ୍ୱାରା ନିଆଯାଉଥିବା ବିଭିନ୍ନ ପଦକ୍ଷେପ ଯଥା ନୂଆ ଉଦ୍ୟୋଗକୁ ସୁଯୋଗ ପ୍ରଦାନ କରିବା, ଅଭିଯୋଗ ଶୁଣାଣି, ବଜେଟ୍‌ ବୃଦ୍ଧି, ଋଣ ପ୍ରଦାନ ଅଭିବୃଦ୍ଧି, କ୍ଳଷ୍ଟର ଆପ୍ରୋଚ୍‌ କାର୍ଯ୍ୟକାରିତା, ଉଦ୍ୟମ ପଂଜୀକରଣ, ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ ଏବଂ ସଚେତନତା ସୃଷ୍ଟି ଭଳି କ୍ଷେତ୍ର ଅନ୍ତର୍ଭୁକ୍ତ ।

ଏହି ପୁରସ୍କାର ପାଇଁ ଉଦ୍ୟୋଗଗୁଡ଼ିକଠାରୁ ଦରଖାସ୍ତ ଆହ୍ୱାନ କରାଯାଇ ପ୍ରଥମେ ରାଜ୍ୟସ୍ତରରେ ଓ ପରେ ଜାତୀୟ ସ୍ତରୀୟ କମିଟି ଦ୍ୱାରା ଉଦ୍ୟୋଗରେ ବିନିଯୋଗ ଅର୍ଥ ଏବଂ ଯନ୍ତ୍ରପାତି, ବାର୍ଷିକ ସରଞ୍ଜାମ, ଆସେଟ୍‌ ଓ ଲାଏବିଲିଟି, ବେତନ ଖର୍ଚ୍ଚ ଏବଂ କର୍ମଚାରୀ କଲ୍ୟାଣ ଇତ୍ୟାଦି ମାନଦଣ୍ଡ ପ୍ରଭୃତିର ତର୍ଜମା କରାଯାଇ ପୁରସ୍କାର ପ୍ରଦାନ କରାଯାଇଛି ।