ଭୁବନେଶ୍ୱର : କମିଶନି ଅର୍ଥ ବନ୍ଦ ଯୋଗୁଁ ଓମ୍ଫେଡ୍ର ଦୁଗ୍ଧ ସଂଗ୍ରହ ଏବେ ସଙ୍କଟରେ । ଘରୋଇ ଦୁଗ୍ଧ କମ୍ପାନୀମାନେ ଓମ୍ଫେଡ୍ ଠାରୁ ୫ରୁ ୬ଗୁଣ ଅଧିକ କମିଶନି ଦେଇ କ୍ଷୀର ସଂଗ୍ରହ ବଢାଇ ଚାଲିଥିବାବେଳେ ଓମ୍ଫେଡ୍ର କମିଶନି ଅର୍ଥ ଲିଟର ପିଛା ୫ପଇସା ବଢିଥିଲେ ମଧ୍ୟ ତାହା ବି ନିୟମିତ ପ୍ରଦାନ କରାଯାଉନାହିଁ ।
ଓମ୍ଫେଡ୍ କର୍ତ୍ତୃପକ୍ଷ ଗାଁ ଗହଳରେ ଦୁଗ୍ଧ ସଂଗ୍ରହ କରୁଥିବା ସମିତିର ସମ୍ପାଦକମାନଙ୍କୁ ଲିଟର ପିଛା ୧୦ ପଇସା କମିଶନି ପ୍ରଦାନ କରୁଥିଲେ । ଏହି ଅର୍ଥ ହେଉଛି ସମ୍ପାଦକଙ୍କର ମୁଖ୍ୟ ଆୟ । ତେବେ ରାଜ୍ୟରେ ଦୁଗ୍ଧ ଓ ଦୁଗ୍ଧଜାତ ସାମଗ୍ରୀ ବ୍ୟବସାୟ କରୁଥିବା ଘରୋଇ କମ୍ପାନୀମାନେ ଏହି ସମୟରେ ସଂଗ୍ରହ ହେଉଥିବା କ୍ଷୀର ଲିଟର ପାଇଁ ୮୦ ପଇସା ଦେଉଥିଲେ । ଦୁଗ୍ଧ ସମବାୟ ସମିତିର ସମ୍ପାଦକମାନେ ସେମାନଙ୍କ ପାଇଁ ଥିବା କମିଶନି ଅର୍ଥ ବଢାଇବାପାଇଁ ଦାବି କରିଥିଲେ । ବାରମ୍ବାର ଦାବି ପରେ ଏହି ରାଶି ଲିଟର ପ୍ରତି ୧୦ ପଇସାରୁ ୧୫ପଇସାକୁ ବଢିଥିଲେ ମଧ୍ୟ ତାହା ଆଉ ନିୟମିତ ପ୍ରଦାନ କରାଯାଉ ନାହିଁ । ଆର୍ଥିକ ବର୍ଷ ଶେଷରେ ଏକାଥରକେ ଏହା ମିଳିବ ବୋଲି କୁହାଯାଉଛି ।
ଅନ୍ୟ ପକ୍ଷରେ ଘରୋଇ ସଂସ୍ଥାମାନେ ଲିଟର ପ୍ରତି ଥିବା କମିଶନ ରାଶିକୁ ୮୦ ପଇସାରୁ ଏକ ଟଙ୍କାକୁ ବୃଦ୍ଧି କରିଛନ୍ତି । ଫଳରେ ଗାଁ ଗହଳରେ ଓମ୍ଫେଡ୍ ପାଇଁ ଦୁଗ୍ଧ ସଂଗ୍ରହ କରୁଥିବା ବ୍ୟକ୍ତି ଘରୋଇ କମ୍ପାନୀ ପ୍ରତି ଆକୃଷ୍ଟ ହେବାରେ ଲାଗିଛନ୍ତି । ଏପରିକି କେତେକ ବ୍ୟକ୍ତି ଓମ୍ଫେଡ୍ ଦୁଗ୍ଧ ସଂଗ୍ରହ ପ୍ରକ୍ରିୟାରୁ ନିଜକୁ ଦୂରେଇ ଘରୋଇ ସଂସ୍ଥା ପାଇଁ କାମ କରୁଥିବାବେଳେ ଆଉ କେତେଜଣ ନିଜ ପୁଅ ପୁତରାଙ୍କ ନାଁରେ ଘରୋଇ କମ୍ପାନୀ ପାଇଁ ଦୁଗ୍ଧ ସଂଗ୍ରହ କେନ୍ଦ୍ର ଖୋଲି ଚାଷୀମାନଙ୍କୁ ସେଠକୁ ପଠାଉଛନ୍ତି । ଫଳରେ ଘରୋଇ କମ୍ପାନୀର ଦୁଗ୍ଧ ସଂଗ୍ରହ ଦିନକୁ ଦିନ ବୃଦ୍ଧି ପାଇବା ସହିତ କାରବାର ବି ବଢି ଚାଲିଛି ।
ଓମ୍ଫେଡ୍ କର୍ତ୍ତୃପକ୍ଷଙ୍କ ଏଭଳି ମନୋଭାବ ଜାରି ରହିଲେ ରାଜ୍ୟର ଏହି ପ୍ରତିଷ୍ଠିତ ଦୁଗ୍ଧ ସମବାୟ ସମିତି ବୁଡିଯିବ ବୋଲି ଓଡିଶା ଦୁଗ୍ଧଚାଷୀ ମହାସଂଘର ସଭାପତି ରବି ବେହେରା ଆଶଙ୍କା ପ୍ରକାଶ କରିଛନ୍ତି । ଶ୍ରୀ ବେହେରା କହିଛନ୍ତି ଯେ ଘରୋଇ କମ୍ପାନୀମାନେ ଅଧିକ କମିଶନି ଦେଇ ଦୁଗ୍ଧ ସଂଗ୍ରହ କରୁଥିବାବେଳେ ଓମ୍ଫେଡ୍ କର୍ତ୍ତୃପକ୍ଷ ଦେଉଥିବା ନଗଣ୍ୟ କମିଶନ ଅର୍ଥକୁ ଆଦୌ ପ୍ରଦାନ ନକରିବା ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ ।
ଗୋଟିଏ ପଟେ ବାରମ୍ବାର ଦାବି ସତ୍ୱେ ଅତି ନଗଣ୍ୟ କମିଶନି ଅର୍ଥ ବୃଦ୍ଧି କରିବା ଓ ଏହାକୁ ନିୟମିତ ନଦେବା ଆଗାମୀ ଦିନରେ ରାଜ୍ୟର ପ୍ରାୟ ୧୦ଲକ୍ଷ ଦୁଗ୍ଧଚାଷୀଙ୍କ ପାଇଁ ବିପତ୍ତି ଡାକି ଆଣିବ । ଯଦି ଦୁଗ୍ଧ ସଂଗ୍ରହ ବ୍ୟବସ୍ଥା ଘରୋଇ ସଂସ୍ଥା ହାତକୁ ଚାଲିଯିବ ତେବେ ଏଥିପାଇଁ ଓମ୍ଫେଡ୍ କର୍ତ୍ତୃପକ୍ଷ ସମ୍ପୂର୍ଣ୍ଣ ଦାୟୀ ରହିବେ ବୋଲି ଶ୍ରୀ ବେହେରା କହିଛନ୍ତି ।