ଭୁବନେଶ୍ୱର : ଓଡିଶା ହାଇକୋର୍ଟ ପ୍ରତିଷ୍ଠାକୁ ଠିକ୍ ବର୍ଷ ପରେ ୭୫ବର୍ଷ ପୂରିବ । ଇତି ମଧ୍ୟରେ ଓଡିଶା ହାଇକୋର୍ଟ ବିଭିନ୍ନ କିସମର ଲକ୍ଷ ଲକ୍ଷ ମାମଲା ଫଏସଲା କରିଥିଲେ ମଧ୍ୟ ଏବେ ଏଠାରେ ପାଖାପାଖି ୨ଲକ୍ଷ ମାମଲା ବିଚାର ପ୍ରତୀକ୍ଷାରେ ରହିଛି ।
ଏଠାରେ ଉଲ୍ଲେଖନୀୟ ଯେ ୧୯୪୮ ମସିହା ଜୁଲାଇ ୨୬ତାରିଖରେ ଓଡିଶା ହାଇକୋର୍ଟ ଉଦଘାଟିତ ହୋଇଥିଲା । ସେତେବେଳର ଭାରତର ଫେଡରାଲ କୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଏଚ୍.ଜେ.କାନିଆ କଟକ ଠାରେ ଓଡିଶା ହାଇକୋର୍ଟ ଉଦଘାଟନ କରିଥିଲେ । ସେତେବେଳେ ଓଡିଶା ହାଇକୋର୍ଟର ପ୍ରଥମ ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ ବୀରକିଶୋର ରାୟ ଯୋଗ ଦେଇଥିବାବେଳେ ଜଷ୍ଟିସ ଲିଙ୍ଗରାଜ ପାଣିଗ୍ରାହୀ, ପି.ଜେ.ଦାଶ ଓ ଆର.ଏଲ. ନରସିଂହମ ଅନ୍ୟତମ ବିଚାରପତି ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ ।
ଓଡିଶାର ହାଇକୋର୍ଟ ପ୍ରତିଷ୍ଠାର ଏକ ସୁଦୀର୍ଘ ଇତିହାସ ରହିଛି । ଓଡିଶାକୁ ଖଣ୍ଡ ବିଖଣ୍ଡିତ କରାଯାଇଥିବାବେଳେ ଗୋଟିଏ ସମୟରେ ହାଇକୋର୍ଟ ସଂକ୍ରାନ୍ତୀୟ ମାମଲା କଲିକତା ଓ ମାଡ୍ରାସ ହାଇକୋର୍ଟରେ ବିଚାର ହେଉଥିଲା । ପରବର୍ତ୍ତୀ ସମୟରେ ବିହାର ଓଡିଶା ପ୍ରଦେଶ ଗଠିତ ହେବାପରେ ଓଡିଶାର ହାଇକୋର୍ଟ ସଂକ୍ରାନ୍ତୀୟ ମାମଲା ସବୁ ପାଟଣା ହାଇକୋର୍ଟରେ ବିଚାର ହେଉଥିଲା ।
ସେତେବେଳର କଟକ ବାର ଆସୋସିଏସନର ସଭାପତି ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଉଦ୍ୟମ କ୍ରମେ ୧୯୧୬ ମସିହାରେ ପାଟନା ହାଇକୋର୍ଟର ଏକ ସର୍କିଟ ବେଞ୍ଚ କଟକରେ କାର୍ଯ୍ୟାରମ୍ଭ କରିଥିଲା ଏବଂ ସେତେବେଳେ ମଧୁବାବୁ ଓଡିଶା ପାଇଁ ପୂର୍ଣ୍ଣାଙ୍ଗ ହାଇକୋର୍ଟ ଦାବି ରଖିଥିଲେ ।
୧୯୩୬ରେ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ କରାଯିବାପରେ ୧୯୩୯ ଫେବୃୟାରୀ ୧୧ତାରିଖରେ ଓଡିଶାରେ ହାଇକୋର୍ଟ ପ୍ରତିଷ୍ଠା ସଂକ୍ରାନ୍ତରେ ଏକ କମିଟି ଗଠନ କରିବାକୁ ଓଡିଶା ବିଧାନସଭାରେ ଏକ ପ୍ରସ୍ତାବ ଗୃହୀତ ହୋଇଥିଲା । ତେବେ ୧୯୪୨ ମସିହାରେ ଓଡିଶା ସରକାରଙ୍କ ଆଇନ୍ ବିଭାଗ ଏକ ବିଜ୍ଞପ୍ତି ଜାରି କରି ବୀରକିଶୋର ରାୟଙ୍କ ଅଧ୍ୟକ୍ଷତାରେ ଏକ କମିଟି ବସାଇଥିଲେ । କମିଟିର ସୁପାରିଶ୍ ମୁତାବକ ଗଡଜାତ ମିଶ୍ରଣ ପରେ ୧୯୪୮ ଜୁଲାଇ ୨୬ତାରିଖରେ କଟକ ଠାରେ ଓଡିଶା ହାଇକୋର୍ଟ କାର୍ଯ୍ୟାରମ୍ଭ କରିଥିଲା ।
ଏବେ ଓଡିଶା ହାଇକୋର୍ଟ ଲାଗି ୩୩ଟି ମଞ୍ଜୁରୀପ୍ରାପ୍ତ ବିଚାରପତି ପଦବୀ ଥିବାବେଳେ ୨୨ଜଣ ବିଚାରପତି କାର୍ଯ୍ୟରତ ଅଛନ୍ତି । ବିକଳ୍ପ ବ୍ୟବସ୍ଥା ନକରି ସ୍ୟାଟ୍କୁ ଉଚ୍ଛେଦ କରାଯିବା ଫଳରେ ଏଠାରେ ଥିବା ପ୍ରାୟ ୭୦ହଜାର ମାମଲାର ବୋଝ ଓଡିଶା ହାଇକୋର୍ଟଙ୍କ ଉପରକୁ ଆସିଛି । ପୁରୁଖା ଆଇନ୍ଜୀବୀମାନେ କହୁଛନ୍ତି ଯେ ମାମଲାର ଚାପ ଦୃଷ୍ଟିରୁ ଓଡିଶା ହାଇକୋର୍ଟ ପାଇଁ ଅତିକମ୍ରେ ୪୪ଜଣ ବିଚାରପତିଙ୍କର ଆବଶ୍ୟକତା ରହିଛି । ଯଦି ସରକାର ଏହା କରିନପାରୁଛନ୍ତି ତେବେ ତୁରନ୍ତ ସ୍ୟାଟର ପୁନରୁଦ୍ଧାର କରାଗଲେ ହାଇକୋର୍ଟ ଉପରେ ।ମଲାରା ଚାପ ହାସ ପାଇ ବିଚାର ପ୍ରକ୍ରିୟା ତ୍ୱରନ୍ୱିତ ହୋଇପାରିବ ।
ଓଡିଶା ହାଇକୋର୍ଟ ପ୍ରତିଷ୍ଠାର ଅମୃତ ମହୋତ୍ସବ ୨ବର୍ଷ ଧରି ପାଳନ କରିବାପାଇଁ ବିଭିନ୍ନ ମହଲରେ ଜାରଦାର ପ୍ରସ୍ତୁତି ଚାଲିଥିବାବେଳେ ପାଖାପାଖି ୫୦ହଜାର ଅପରାଧିକ ମାମଲା ସମେତ ପ୍ରାୟ ୨ଲକ୍ଷ ମାମଲାର ବୋଝ କଭଳି ତୁରନ୍ତ ହ୍ରାସ କରାଯାଇ ପାରିବ ତାହା ଏବେ ନ୍ୟାୟ ପ୍ରକ୍ରିୟାରେ ଥିବା ବ୍ୟକ୍ତିମାନଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ହୋଇଛି । (ତଥ୍ୟ)