ଭୁବନେଶ୍ୱର : ଦେଶବ୍ୟାପୀ ‘ସାମାଜିକ ନ୍ୟାୟିକ ପକ୍ଷ’ ପାଳନ ଅବସରରେ ମୋଦି ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନାକୁ ସାଧାରଣ ଜନତାଙ୍କୁ ଅବଗତ କରାଇବା ସହ ସଚେତନ ସୃଷ୍ଟି କରୁଛନ୍ତି । ଏହି ଅବସରରେ ଅନୁନ୍ନତ ଜିଲ୍ଲା ଭାବେ ଚିହ୍ନଟ ହୋଇଥିବା ଦେଶର ଆକାଂକ୍ଷୀ ଜିଲ୍ଲାଗୁଡିକରେ କେନ୍ଦ୍ରମନ୍ତ୍ରୀମାନେ ଗସ୍ତ କରି କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନା ଏବଂ କାର୍ଯ୍ୟକ୍ରମର ବାସ୍ତବ ସ୍ଥିତି ଅନୁଧ୍ୟାନ କରୁଛନ୍ତି । ତଦନୁଯାୟୀ ଓଡିଶାକୁ ୧୦ଜଣ କେନ୍ଦ୍ରମନ୍ତ୍ରୀ ଆସି କାର୍ଯ୍ୟ ସମୀକ୍ଷା କରିବେ ବୋଲି ବିଜେପି ପକ୍ଷରୁ ସୂଚନା ଦିଆଯାଇଛି ।
କେନ୍ଦ୍ରମନ୍ତ୍ରୀ ଡ.ସଞ୍ଜୀବ କୁମାର ବାଲ୍ୟାନ ଆଜି କୋରାପୁଟ ଜିଲ୍ଲା ଗସ୍ତ କରିଛନ୍ତି । କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆସନ୍ତା ୧୩ ରୁ ୧୬ ପର୍ଯ୍ୟନ୍ତ ୪ ଦିନିଆ ଓଡିଶା ଗସ୍ତରେ ଆସି ଢେଙ୍କାନାଳ ଜିଲ୍ଲାରେ କେନ୍ଦ୍ରୀୟ ଜନକଲ୍ୟାଣ ଯୋଜନାର ସମୀକ୍ଷା କରିବେ । ସେହିପରି କେନ୍ଦ୍ରମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ – ମାଲକାନଗିରି; ଶ୍ରୀ ଅର୍ଜୁନ ମୁଣ୍ଡା – କଳାହାଣ୍ଡି; ଶ୍ରୀ ପ୍ରହ୍ଲାଦ ସିଂ ପଟେଲ – ଗଜପତି; ସାଧ୍ୱୀ ନିରଂଜନା ଜ୍ୟୋତି – ବଲାଙ୍ଗୀର; ପ୍ରଫେସର ଏସ.ବାଘେଲ – ନୂଆପଡା; ସୁଶ୍ରୀ ଶୋଭା କରନ୍ଦଲାଜେ – ନବରଙ୍ଗପୁର; ଶ୍ରୀ ସୋମ ପ୍ରକାଶ – ରାୟଗଡା ଏବଂ ଡ.ଶୁଭ ସରକାର – କନ୍ଧମାଳ ଜିଲ୍ଲା ଗସ୍ତ କରିବେ ବୋଲି ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ଗୋଲକ ମହାପାତ୍ର ସୁଚନା ଦେଇଛନ୍ତି ।
ଗସ୍ତ ଅବସରରେ କେନ୍ଦ୍ରମନ୍ତ୍ରୀମାନେ କେନ୍ଦ୍ରୀୟ ଜନକଲ୍ୟାଣ କାର୍ଯ୍ୟକ୍ରମର କାର୍ଯ୍ୟାନ୍ୱୟନ; ବାସ୍ତବ ସ୍ଥିତି ନିରୀକ୍ଷଣ; ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିବା ସହିତ ହିତାଧିକାରୀ, ସ୍ଥାନୀୟ ସାଂସଦ, ବିଧାୟକ, ଚେୟାରମ୍ୟାନ, ସରପଂଚ ଓ ଅନ୍ୟ ଜନପ୍ରତିନିଧି ଏବଂ ପାର୍ଟୀ କାର୍ଯ୍ୟକର୍ତାଙ୍କ ସହ ବିସ୍ତୃତ ଆଲୋଚନା କରିବେ । ଗସ୍ତ ଅବସରରେ କେନ୍ଦ୍ରମନ୍ତ୍ରୀମାନେ ସାମ୍ବାଦିକ ସମ୍ମିଳନୀ ଜରିଆରେ ଗସ୍ତ ସଂପର୍କରେ ଅବଗତ କରାଇବେ ବୋଲି ଶ୍ରୀ ମହାପାତ୍ର ସୁଚନା ଦେଇଛନ୍ତି ।