ଭୁବନେଶ୍ୱର : ଦୁଗ୍ଧ ଉତ୍ପାଦନ କ୍ଷେତ୍ରରେ ସମଗ୍ର ଦେଶରେ ୨ଲକ୍ଷରୁ ଅଧିକ ସମବାୟ ସମିତି ରହିଥିବାବେଳେ ଓଡିଶାରେ ଏହି ସଂଖ୍ୟା ଛଅ ହଜାରରୁ ଅଧିକ ରହିଛି । ତେବେ ଆନ୍ଧ୍ରପଦେଶକୁ ବାଦ୍ ଦେଲେ ଅନ୍ୟ ପଡୋଶୀ ରାଜ୍ୟର ଦୁଗ୍ଧ ସମବାୟ ସମିତି ସଂଖ୍ୟା ଓଡିଶା ଠାରୁ ଢେର କମ୍ ।
କେନ୍ଦ୍ର ମତ୍ସ୍ୟ, ପଶୁପାଳନ ଓ ଦୁଗ୍ଧ ବିଭାଗର ସର୍ବଶେଷ ତଥ୍ୟରୁ ଜଣାଯାଇଛି ଦୁଗ୍ଧ ଉତ୍ପାଦନ କ୍ଷେତ୍ରରେ ସମଗ୍ର ଦେଶରେ ୨,୨୮,୩୭୪ଟି ସମବାୟ ସମିତି କାର୍ଯ୍ୟରତ ଥିବାବେଳେ ଓଡିଶାରେ ଏହି ସଂଖ୍ୟା ୬୭୧୩ ରହିଛି । ତେବେ ପଡୋଶୀ ଆନ୍ଧ୍ରପ୍ରଦେଶରେ ଦୁଗ୍ଧ ସମବାୟ ସମିତି ସଂଖ୍ୟା ୭୬୧୧ ଅଛି । କିନ୍ତୁ ଛତିଶଗଡରେ ଦୁଗ୍ଧ ସମବାୟ ସମିତି ସଂଖ୍ୟା ୧୦୯୮ ଥିବାବେଳେ ଝାଡଖଣ୍ଡରେ ୮୫୯ ଏବଂ ପଶ୍ଚିମବଙ୍ଗରେ ଏହି ସଂଖ୍ୟା ୩୯୮୫ ରହିଛି । ଦେଶରେ ସର୍ବାଧିକ ୪୨,୩୮୯ ଦୁଗ୍ଧ ସମବାୟ ସମିତି ଉତ୍ତରପ୍ରଦେଶରେ ଥିବାବେଳେ ବିହାରରେ ୨୭,୪୮୨, ରାଜସ୍ଥାନରେ ୨୩,୨୮୦, ଗୁଜୁରାଟରେ ୨୨,୧୯୨, ମହାରାଷ୍ଟ୍ରରେ ୧୯,୪୪୨ ଟି ସମବାୟ ସମିତି ରହିଛି ।
କେନ୍ଦ୍ରୀୟ ସୂଚନା ଅନୁଯାୟୀ ଦେଶରେ ଦୁଗ୍ଧ ଉତ୍ପାଦନ ବୃଦ୍ଧିପାଇଁ କେନ୍ଦ୍ର ସରକାର କେତେଗୁଡିଏ ଯୋଜନା କାର୍ଯ୍ୟକାରୀ କରୁଛନ୍ତି । ସେଥି ମଧ୍ୟରେ ଉନ୍ନତ ପ୍ରଜାତିର ଗୋବଂଶ ସୃଷ୍ଟି ପାଇଁ ହବ୍ ଆଣ୍ଡ ସ୍ପୋକ୍ ମଡେଲରେ ରାଷ୍ଟ୍ରୀୟ ଗୋକୁଳ ମିଶନ କାର୍ଯ୍ୟକାରୀ ହେଉଛି । ଏହି ଯୋଜନାରେ କେନ୍ଦ୍ର ସରକାର ୫୦ ପ୍ରତିଶତ ଏବଂ ସର୍ବାଧିକ ୨କୋଟି ଟଙ୍କାର ସବସିଡ୍ ପ୍ରଦାନ କରୁଛନ୍ତି । ଏଥି ସହିତ ଉଦ୍ୟୋଗୀମାନଙ୍କୁ ପଶୁ ସମ୍ପଦ ଭିତ୍ତିଭୂମି ବିକାଶ ପାଣ୍ଠିରୁ ସୁଧ ଛାଡ ପାଇଁ ଅର୍ଥ ଯୋଗାଇ ଦିଆଯାଉଛି ।
ସେହିଭଳି ଦୁଗ୍ଧ ପ୍ରକ୍ରିୟାକରଣ, ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ ଏବଂ ଶୀତଳୀକରଣ ପାଇଁ ଦୁଗ୍ଧ ପ୍ରକ୍ରିୟାକରଣ ଏବଂ ଭିତ୍ତିଭୂମି ଉନ୍ନୟନ ପାଣ୍ଠି (ଡିଆଇଡିଏଫ୍) କାର୍ଯ୍ୟକାରୀ ହେଉଛି । ଏହି ଯୋଜନାରେ ନାବାର୍ଡ ପାଣ୍ଠି ସଂଗ୍ରହ କରିବା ସହିତ ଦୁଗ୍ଧ ସମବାୟ ସମିତିଗୁଡିକର ଋଣର ସୁଧ ଉପରେ ୨.୫ ପ୍ରତିଶତ ରିହାତି ଅର୍ଥ ପ୍ରଦାନ କରୁଛନ୍ତି । ଏହି ସୁଧ ରିହାତି ଅର୍ଥ ବ୍ୟାଙ୍କ୍ଗୁଡିକୁ ପ୍ରଦାନ କରାଯାଉଛି ।
ଯେଉଁ ଉଦ୍ୟୋଗୀମାନେ ଦୁଗ୍ଧ ପ୍ରକ୍ରିୟାକରଣ ଉଦ୍ୟୋଗ ପ୍ରତିଷ୍ଠା ସହିତ ଦୁଗ୍ଧରୁ ବିଭିନ୍ନ ପ୍ରକାର ସାମଗ୍ରୀ ପ୍ରସ୍ତୁତ କରୁଛନ୍ତି ସେମାନଙ୍କୁ ପଶୁ ସମ୍ପଦ ଭିତ୍ତିଭୂମି ବିକାଶ ପାଣ୍ଠି (ଏଏଚ୍ଆଇଡିଏଫ୍)ରୁ ସୁଧ ରିହାତି ବାବଦରେ ୩ ପ୍ରତିଶତ ଅର୍ଥ ପ୍ରଦାନ କରାଯାଉଛି । ସେହିଭଳି ରାଜ୍ୟ ଦୁଗ୍ଧ ସମବାୟ ସମିତି ଏବଂ କୃଷକ ଉତ୍ପାଦକ ସଂଘ (ଏସ୍ଡିସିଏଫ୍ପିଓ) ଯୋଜନରେ ମୁଳ ପୁଞ୍ଜିର ସୁଧ ଉପରେ ଏକକାଳୀନ ରିହାତି ପ୍ରଦାନ କରାଯାଉଛି । ଏହି ଯୋଜନା ୨୦୨୦-୨୧ ବର୍ଷରୁ କାର୍ଯ୍ୟକାରୀ ହେଉଛି ।
ସେହଭଳି ପ୍ରଥମଥର ପାଇଁ କିଷାନ କ୍ରେଡିର୍ଟ କାର୍ଡ (କେସିସି)କୁ କେନ୍ଦ୍ର ସରକାର ପଶୁ ସମ୍ପଦ ଏବଂ ମତ୍ସ୍ୟଚାଷ କ୍ଷେତ୍ରକୁ ସମ୍ପ୍ରସାରିତ କରିଛନ୍ତି । ଯାହା ଫଳରେ ସେମାନେ ଏକାକୀ କିମ୍ବା ମିଳିତ ଭାବେ ନିଜର କାର୍ଯ୍ୟକାରୀ ପୁଞ୍ଜି ସହଜରେ ସଂଗ୍ରହ କରିପାରିବେ । ଏହି ଯୋଜନାରେ ସ୍ୱୟଂ ସହାୟକ ଗୋଷ୍ଠିମାନେ ମଧ୍ୟ ଲାଭବାନ ହୋଇପାରିବେ । (ତଥ୍ୟ)