ଭୁବନେଶ୍ୱର : ତମାଖୁ ଭଳି ବିପଦଜନକ ନିଶା ସାମଗ୍ରୀର ନିୟନ୍ତ୍ରଣ ପାଇଁ ପ୍ରତିବର୍ଷ ମଇ ୩୧ତାରିଖରେ ବିଶ୍ୱ ତମାଖୁ ବର୍ଜନ ଦିବସ ଭାବେ ସରକାରୀ ଓ ବେସରକାରୀ ସ୍ତରରେ ପାଳନ କରାଯାଉଥିବାବେଳେ ଓଡିଶା ସମେତ ସାରା ଦେଶରେ ତମାଖୁ ଓ ଅନ୍ରାନ୍ୟ ନିଶା ବ୍ୟବହାର ଉଦ୍ବେଗଜନକ ହାରରେ ବଢି ଚାଲିଛି । ଏଥି ଯୋଗୁଁ ଅପରାଧ ବୃଦ୍ଧି ସହ ତାଳଦେଇ ରୋଗବ୍ୟାଧି ବି ବଢୁଛି ଏବଂ ପରିବାର ଓ ସରକାରର ଆର୍ଥିକ ବ୍ୟବସ୍ଥା ଉପରେ ଏହା ମଧ୍ୟ ପ୍ରତିକୂଳ ପ୍ରଭାବ ପକାଉଛି ।
ଓଡିଶା ସରକାର ପ୍ରାୟ ୧୨ବର୍ଷ ତଳେ ଗୁଟ୍ଖା ଓ ଅନ୍ୟ ବିପଦଜନକ ତମାଖୁ ସାମଗ୍ରୀର ସେବନ, ବିପ୍ପଣନ, ପରିବହନ ଓ ପ୍ରସ୍ତୁତି ଉପରେ କଡା କଟକଣା ଜାରି କରିଛନ୍ତି । ତେବେ ଏହି କଟକଣା ଯୋଗୁଁ ରାଜ୍ୟ ସରକାର ତମାଖୁ ସାମଗ୍ରୀରୁ ଶହ ଶହ କୋଟି ଟଙ୍କାର ରାଜସ୍ୱ ହରାଉଥିବାବେଳେ ଏହି ନିଷିଦ୍ଧ ସାମଗ୍ରୀର ବଜାର ଖୋଲା ମେଲାରେ ବଢିଚାଲିଛି । ପୁଲିସ୍, ଅବକାରୀ ଓ ସ୍ୱାସ୍ଥ୍ୟ ବିଭାଗ ସମେତ ପଞ୍ଚାୟତ ଓ ପୌରସଂସ୍ଥାମାନେ ଏଭଳି ବେଆଇନ୍ ନିଶା କାରବାର ପ୍ରତି ଆଖିବୁଜି ଦେଉଥିବାରୁ ଏହା ସାଂଘାତିକ ପରିସ୍ଥିତି ସୃଷ୍ଟି କରୁଛି ।
ସରକାରୀ ହିସାବ ମୁତାବକ ଗତବର୍ଷ ଓଡିଶା ପୁଲିସ୍ ମାଦକଦ୍ରବ୍ୟ ଆଇନ୍ ବଳରେ ମାତ୍ର ୧୮୯୨ଟି ମାମଲା ରୁଜୁ କରି ୨୬୦୩ଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଥିଲା । ଏହି ବର୍ଷରେ ୧୧୭୨ କୁଇଣ୍ଟାଲରୁ ଅଧିକ ଗଞ୍ଜେଇ, ୫୦ କିଲୋରୁ ଅଧିକ ବ୍ରାଉନସୁଗାର, ଅଧକିଲୋରୁ ଅଧିକ ଅଫିମ, ପ୍ରାୟ ୧୮ ହଜାର କୋଡାଇନ୍ ଆଧାରିତ କଫ୍ ସିରପ ଜବତ ହୋଇଥିଲା । ଏହି ବେଆଇନ୍ ନିଶା ସାମଗ୍ରୀ କାରବାର ଘଟଣାରେ ୭୭୨ଟି ମୋଟରଯାନ ଓ ପାଖପାଖି ଦେଢକୋଟି ଟଙ୍କା ମଧ୍ୟ ଜବତ କରାଯାଇଥିଲା ।
୨୦୨୨-୨୩ ବର୍ଷରେ ପ୍ରାୟ ୧୫ହଜାର ଏକର ଜମିରୁ ଆମ ରାଜ୍ୟରେ ଗଞ୍ଜେଇ ଚାଷ ଠାବ ହୋଇଥିଲା ଏବଂ ଏଥିରେ ପ୍ରାୟ ୧୬୯ଲକ୍ଷ ଗଞ୍ଜେଇ ଗଛ ଧ୍ୱଂସ କରାଯାଇଥିଲା । ଏହା ସତ୍ୱେ ବି ଓଡିଶାରେ ଅବାଧ ଗଞ୍ଜେଇ ବେପାର ଚାଲିବା ସଂଗେ ସଂଗେ ଅନ୍ୟ ରାଜ୍ୟକୁ ଓଡିଶାର ଚୋରା ଗଞ୍ଜେଇ ବେପାରୀମାନେ ବିପୁଳ ପରିମାଣର ଗଞ୍ଜେଇ ରପ୍ତାନି କରୁଛନ୍ତି ଏବଂ ବେଳେବେଳେ ରାଜ୍ୟ ଭିତରେ ଓ ବାହାରେ ଏହି ଚୋରା ଗଞ୍ଜେଇ ମଧ୍ୟ ଧରାପଡୁଛି । ଏଠାରେ ଉଲ୍ଲେଖନୀୟ ଯେ ଚୋରା ଗଞ୍ଜେଇ କାରବାର ଅଭିଯୋଗରେ ନିକଟରେ ସିଙ୍ଗାପୁରରେ ଜଣେ ଭାରତୀୟ ବଂଶୋଦ୍ଭବ ଯୁବକଙ୍କୁ ପ୍ରାଣଦଣ୍ଡ ଦିଆଯାଇଛି ।
ଗଞ୍ଜେଇ, କୋକେନ, ଗୁଟ୍ଖା, ସିଗାରେଟ ଆଦି ସହିତ ରାଜ୍ୟରେ ବିପୁଳ ପରିମାଣର ମଦ କାରବାର ଚାଲିଛି । ସରକାରୀ ଲାଇସେନ୍ସପ୍ରାପ୍ତ ମଦଦୋକାନଗୁଡିକରୁ ସରକାର ବାର୍ଷିକ ୬ହଜାର କୋଟି ଟଙ୍କାରୁ ଅଧିକ ରାଜସ୍ୱ ପାଉଥିବାବେଳେ ବର୍ଷକୁ ବର୍ଷ ଏହାର ପରିମାଣ ବୃଦ୍ଧି ପାଉଛି । ଏଥିସହ ତାଳଦେଇ ମଦ ବ୍ୟବହାର ପରିମାଣ ବଢିବା ସଂଗେ ସଂଗେ ମଦୁଆଙ୍କ ଉତ୍ପାତ ଯୋଗୁଁ ବିଭିନ୍ନ କିସମର ଅପରାଧ ବି ବୃଦ୍ଧି ପାଉଛି ଏବଂ ପୁଲିସ୍, କୋର୍ଟ କଚେରୀ ଓ ଜେଲ୍ ଉପରେ ଚାପା ବଢୁଛି ।
ଅବକାରୀ ବିଭାଗର ଚୋରା ନିଶା କାରବାର ବିରୁଦ୍ଧରେ ଅଭିଯାନ ବଢୁଥିଲେ ମଧ୍ୟ ଅବକାରୀ ମାମଲାରେ ରାଜ୍ୟରେ ଦଣ୍ଡବିଧାନ ହାର ଅତି ନଗଣ୍ୟ ରହୁଥିବାରୁ ନିଶା ବେପାରୀମାନେ ଏହାକୁ ଏକ ପ୍ରକାର ବେଖାତିର କରୁଛନ୍ତି । ଦେଶର ବହୁ ରାଜ୍ୟ ତୁଳନାରେ ଓଡିଶାରେ ତମାଖୁ ବ୍ୟବହାରକାରୀଙ୍କ ହାର ଅଧିକ ରହୁଛି । ତମାଖୁ ବ୍ୟବହାର କାରଣରୁ ଭାରତରେ ବିଶ୍ୱର ସବୁଠାରୁ ଅଧିକ ମୁଖଗହ୍ୱର କର୍କଟ ରୋଗୀ ଦେଖାଯାଉଛନ୍ତି । ଏହାଛଡା ଅନ୍ୟାନ୍ୟ କର୍କଟ ରୋଗ ସମେତ ଯକୃତ, ବୃକକ୍, ହୃତ୍ପିଣ୍ଡ, ସ୍ନାୟୁ ଆଦି ଜନିତ ରୋଗ ବି ବଢୁଛି । (ତଥ୍ୟ)