ଭୁବନେଶ୍ୱର : ସାଇବର ଆକ୍ରମଣରୁ ସରକାରୀ ସଂସ୍ଥାଗୁଡିକୁ ସୁରକ୍ଷା ଦେବାପାଇଁ ରାଜ୍ୟ ସରକାର ପ୍ରତିଷ୍ଠା କରିଛନ୍ତି ସାଇବର ସୁରକ୍ଷା ପରିଚାଳନା କେନ୍ଦ୍ର । ସରକାରୀ ସ୍ତରରେ ଏଭଳି ଅତ୍ୟାଧୁନିକ ସୁରକ୍ଷା କେନ୍ଦ୍ର ପ୍ରତିଷ୍ଠା ଦେଶରେ ପ୍ରଥମ ବୋଲି ଜଣାଯାଇଛି । ଏହାଦ୍ୱାରା ସରକାରୀ ଦପ୍ତରରେ ଥିବା କମ୍ପ୍ୟୁଟରଗୁଡିକ ସାଇବ ସୁରକ୍ଷା ଯୋଗାଯିବା ସହିତ ପର୍ଯ୍ୟାୟକ୍ରମେ ଏହା ଅନ୍ୟାନ୍ୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସରକାରୀ ସଂସ୍ଥାକୁ ମଧ୍ୟ ସୁରକ୍ଷା ଯୋଗାଇବ ।
ଏହାକୁ ରାଜ୍ୟ ଇଲେକଟ୍ରୋନିକ୍ସ ଓ ଆଇଟି ବିଭାଗ ଏବଂ ଓଡିଶା କମ୍ପ୍ୟୁଟର ଆପ୍ଲିକେଶନ ସେଣ୍ଟର (ଓକାକ)ର ମିଳିତ ଉଦ୍ୟମରେ ସ୍ଥାନୀୟ ଓକାକ ଟାୱାରରେ ଏହି ଅତ୍ୟାଧୁନିକ ସାଇବର ସୁରକ୍ଷା ପରିଚାଳନା କେନ୍ଦ୍ର ପ୍ରତିଷ୍ଠା କରିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ଏହି ସାଇବର ସୁରକ୍ଷା କେନ୍ଦ୍ର ସୂଚନା ପ୍ରଯୁକ୍ତି ଭିତ୍ତିଭୂମିକୁ ସାଇବର ଆକ୍ରମଣକୁ ସୁରକ୍ଷା ଯୋଗାଇବା ସହିତ ୨୪ଘଣ୍ଟା ସାଇବର ଆକ୍ରମଣକୁ ଠାବ କରି ତାହାକୁ ପ୍ରତିହତ କରିବ ।
ଏହି ସୁରକ୍ଷା କେନ୍ଦ୍ରରେ ନିୟୋଜିତ କର୍ମଚାରୀମାନେ ସାଇବର ଆକ୍ରମଣ ଉପରେ ୨୪ଘଣ୍ଟିଆ ନଜର ରଖୁଛନ୍ତି । ଯଦି ବିଶ୍ୱର କୌଣସି ସ୍ଥାନରୁ ରାଜ୍ୟର କୌଣସି ପୋର୍ଟାଲ ଉପରେ ସାମାନ୍ୟ ଆକ୍ରମଣର ସମ୍ଭାବନା ସୃଷ୍ଟି ହେଉଛି ତେବେ ତାହାକୁ ତୁରନ୍ତ ଚିହ୍ନଟ ସହିତ ଖୋଳତାଡ ଆରମ୍ଭ କରିଦେଉଛନ୍ତି । ଏପରିକି ଯଦି କୌଣସି ଆଇପିରୁ ଏକ ନିର୍ଦ୍ଦିଷ୍ଟ ସମୟରେ କୌଣସି ଏକ ସରକାରୀ ୱେବସାଇଟ୍କୁ ବାରମ୍ବାର ଖୋଲିବାକୁ ଚେଷ୍ଟାକରେ ତେବେ ତାକୁ ମଧ୍ୟ ଚିହ୍ନଟ ସହିତ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହେଉଛି ।
ମିଳିଥିବା ସୂଚନା ଅନୁଯାୟୀ ଏହି ସାଇବର ସୁରକ୍ଷା କେନ୍ଦ୍ର ଅତ୍ୟାଧୁନିକ ସୁରକ୍ଷା ବ୍ୟବସ୍ଥା ଏବଂ ଟୁଲ୍ ବ୍ୟବହାର କରିଥିବାବେଳେ ଏଠାରେ ସବୁ ପ୍ରକାର ସାଇବର ଆକ୍ରମଣକୁ ପ୍ରତିହତ କରିବାର ବ୍ୟବସ୍ଥା ରହିଛି । କୌଣସି ପ୍ରକାର ସାଇବର ସୁରକ୍ଷା ପ୍ରୟାସକୁ ଚିହ୍ନଟ କରିବା ସହିତ ଏ ସଂକ୍ରାନ୍ତରେ ସମସ୍ତ ପ୍ରକାର ଅନୁସନ୍ଧାନ କରିପାରିବ । ସାଇବର ଧମକ ଆସୁଥିବା ଆଇପିକୁ ଚିହ୍ନଟ ପରେ ତାହା ଜରିଆରେ ସମ୍ପୃକ୍ତ କମ୍ପ୍ୟୁଟରର ଆପ୍ଲିକେସନ/ଡାଟା ଓ ଭିତ୍ତିଭୂମିକୁ ଯାଇ ସୁରକ୍ଷାମୂଳକ ପଦକ୍ଷେପ ଗ୍ରହଣ ସହିତ ଏଭଳି ଆକ୍ରମଣକୁ ପ୍ରତିହତ କରାଯାଇ ପାରୁଛି । ଭବିଷ୍ୟତରେ ସାଇବର ଆକ୍ରମଣକାରୀମାନେ ଯେଭଳି ରାଜ୍ୟ ସରକାରଙ୍କ କୌଣସି ସୂଚନାକୁ ହ୍ୟାକ କରିବାକୁ ସକ୍ଷମ ନହୁଅନ୍ତି ତାହା ଉପରେ ସାଇବର ସୁରକ୍ଷା କେନ୍ଦ୍ର କଡା ନଜର ରଖିଛି ।
ଭବିଷ୍ୟତରେ ଏହି ସାଇବର ସୁରକ୍ଷା ପରିଚାଳନା କେନ୍ଦ୍ର ସାଇବର ସୁରକ୍ଷା ଗବେଷକମାନଙ୍କ ପାଇଁ ବରଦାନ ସଦୃଶ ହେବ । ଏହା ଜରିଆରେ ସେମାନେ ବିଭିନ୍ନ ଆପ୍ଲିକେଶନକୁ ପରୀକ୍ଷା କରିବା ସହିତ ଆକ୍ରମଣ ପ୍ରତିହତ ପାଇଁ ପରାମର୍ଶ ଦେଇପାରିବେ । ଏହା ମଧ୍ୟ ଛାତ୍ରଛାତ୍ରୀମାନଙ୍କୁ ହ୍ୟାକର ଠାରୁ ଦୂରେଇ ରହିବାପାଇଁ ସହାୟତା କରିବ ।
ବର୍ତ୍ତମାନ ଏହି ସାଇବର ସୁରକ୍ଷା କେନ୍ଦ୍ର ରାଜ୍ୟ ସରକାରଙ୍କ ଡାଟା ସେଣ୍ଟର, ଷ୍ଟେଟ ୱାଇଡ୍ ଏରିଆ ନେଟୱାର୍କ (ସ୍ୱାନ) ସହିତ ଯୋଡି ହୋଇଛି । ଭବିଷ୍ୟତରେ ଅଧିକରୁ ଅଧିକ ସରକାରୀ ସଂସ୍ଥା ଓ ସଂଗଠନ ଏହା ସହିତ ଯୋଡିହେବ । ଏଥି ସହିତ ଭବିଷ୍ୟତରେ ବଗ୍ ବାଉଣ୍ଟି, ରିଅଲ ଟାଇମ ଥ୍ରେଟ ଇଣ୍ଟଲିଜେନ୍ସ ଫିଡ୍, ଇଣ୍ଡିପେଣ୍ଡେଣ୍ଟ ସ୍କାଲାବେଲ୍ ଇନଫ୍ରାଷ୍ଟ୍ରକ୍ଚର ଆଦି ଉପଲବ୍ଧ ହେବ । ଏହି ସାଇବର ସୁରକ୍ଷା କେନ୍ଦ୍ରଟି ରେକର୍ଡକାଳୀନ ୬ମାସ ମଧ୍ୟରେ ପ୍ରସ୍ତୁତ ହୋଇଥିବା ଜଣାଯାଇଛି । (ତଥ୍ୟ)