ଭୁବନେଶ୍ୱର : ଓଡିଶା ୨୦୨୧-୨୨ ବର୍ଷରେ ୧୬,୮୮୦ ନିୟୁତ ଆମେରିକୀୟ ଡଲାର ମୂଲ୍ୟର ସାମଗ୍ରୀ ରପ୍ତାନି କରିଛି । କେନ୍ଦ୍ର ବୈଦେଶିକ ବାଣିଜ୍ୟ ମହାନିର୍ଦ୍ଦେଶକ ସନ୍ତୋଷ ଷଡଙ୍ଗୀଙ୍କ ଆଜି ୨୦୨୧-୨୨ ବର୍ଷର ରାଜ୍ୟୱାରୀ ରପ୍ତାନି ସମୀକ୍ଷାରୁ ଏହା ଜଣାପଡିଛି ।
୨୦୨୧-୨୨ ବର୍ଷରେ ଭାରତର ବାଣିଜ୍ୟିକ ରପ୍ତାନି ପରିମାଣ ୪୧୮ ବିଲିୟନ ଆମେରିକୀୟ ଡଲାରକୁ ଛୁଇଁଛି ଯାହାକି କେନ୍ଦ୍ର ସରକାର ଧାର୍ଯ୍ୟ କରିଥିବା ଲକ୍ଷ୍ୟ ଠାରୁ ୫ ପ୍ରତିଶତ ଅଧିକ ଏବଂ ବିଗତ ବର୍ଷ ତୁଳନାରେ ପ୍ରାୟ ୪୦ ପ୍ରତିଶତ ଅଭିବୃଦ୍ଧି ଘଟିଛି । ତେବେ ଏହି ସମୟରେ ଓଡିଶାରୁ ରପ୍ତାନି ପରିମାଣ ୧୬,୮୮୩ ନିୟୁତ ଆମେରିକୀୟ ଡଲାର ହୋଇଛି ।
ଓଡିଶାରୁ ଇଞ୍ଜିନିୟରିଂ ସାମଗ୍ରୀ, ଲୁହପଥର, କୋଇଲା, ଖଣିଜ ସାମଗ୍ରୀ, ପେଟ୍ରୋଲିୟମ ଏବଂ ସାମୁଦ୍ରିକ ଉତ୍ପାଦ ଆଦି ବ୍ୟବସାୟିକ ରପ୍ତାନି ତାଲିକାର ଶୀର୍ଷରେ ରହିଛି । ୨୦୨୧-୨୨ ବର୍ଷରେ ଓଡିଶା ୧୧,୫୭୮.୩ ନିୟୁତ ଆମେରିକୀୟ ଡଲାର ମୂଲ୍ୟର ଇଞ୍ଜିନିୟରିଂ ସାମଗ୍ରୀ ରପ୍ତାନି କରିଛି । ଏଥିରେ ମୁଖ୍ୟତଃ ଆଲୁମିନିୟମ ଖଣ୍ଡ ରହିଛି ଯାହା ସର୍ବାଧିକ ଇଞ୍ଜିନିୟରିଂ ସାମଗ୍ରୀ ରପ୍ତାନି ପରିମାଣର ଅର୍ନ୍ତଭୁକ୍ତ ।
ବିଭିନ୍ନ ଦେଶକୁ ଓଡିଶାରୁ ଲୁହାପଥର ରପ୍ତାନି ମୂଲ୍ୟ ୧୮୪୦ ନିୟୁତ ଆମେରିକୀୟ ଡଲାରକୁ ଟପିଥିବାବେଳେ ପ୍ରେଟ୍ରୋଲିୟମ ସାମଗ୍ରୀ ରପ୍ତାନି ପରିମାଣ ୧୬୭୯ ନିୟୁତ ଡଲାରକୁ ଟପିଛି । ଲୁହାପଥର, ଲୁହା ଓ ଇସ୍ପାତ ପ୍ରସ୍ତୁତ ସାମଗ୍ରୀ, କୋଇଲା, ଆଲୁମିନିୟମ ଏବଂ ଆଲୁମିନିୟମ ପ୍ରସ୍ତୁତ ସାମଗ୍ରୀ ଆଦି ରାଜ୍ୟରୁ ରପ୍ତାନି ହେଉଥିବା ସାମଗ୍ରୀ ମଧ୍ୟରେ ଆଗରେ ରହିଛି ।
ସେହିଭଳି ସାମୁଦ୍ରିକ ସାମଗ୍ରୀର ରପ୍ତାନି ପରିମାଣ ୫୯୬.୬ ନିୟୁତ ଆମେରିକୀୟ ଡଲାରରେ ପହଞ୍ଚିଛି । ଏହା ବୃଦ୍ଧି ପାଇବା ସହିତ ଅଧିକରୁ ଅଧିକ ଦେଶକୁ ଏହି ସାମଗ୍ରୀ ରପ୍ତାନି ହେବାରେ ଲାଗିଛି । ସେହିଭଳି ରାଜ୍ୟରୁ ସାମୁଦ୍ରିକ ଖାଦ୍ୟ ରପ୍ତାନି ମଧ୍ୟ ବୃଦ୍ଧିପାଇ ଚାଲିଛି ।
ସେରାମିକ ଓ କାଚ ପ୍ରସ୍ତୁତ ସାମଗ୍ରୀ, ଜୈବିକ ଏବଂ ଅଣଜୈବିକ ରସାୟନିକ ସାମଗ୍ରୀ, ଖାଦ୍ୟ ସାମଗ୍ରୀ, କପଡା ଆଦି ରପ୍ତାନି ଫଳରେ ଓଡିଶାକୁ ବିବୈଶିକ ମୁଦ୍ରା ଆସିପାରୁଛି । ଓଡିଶାରୁ ପାରାଦୀପ ବନ୍ଦର ଦେଇ ପ୍ରାୟ ୨୫ ନିୟୁତ ଡଲାର ମୂଲ୍ୟର ଅଣବାସମତୀ ଚାଉଳ ବିଭିନ୍ନ ଦେଶକୁ ରପ୍ତାନି ହୋଇଛି । ଫଳ, ପନିପରିବା, ତେଲ ପିଡିଆ, ଖାଦ୍ୟ ସାମଗ୍ରୀ ଏବଂ ପ୍ରକ୍ରିୟାକରଣ ଖାଦ୍ୟ ଆଦି ଓଡିଶାରୁ ରପ୍ତାନି ହେଉଛି । ସେହିଭଳି କାଜୁ, ତୁଳାରୁ ପ୍ରସ୍ତୁତ ସୂତା, ହାତ ତିଆରି ସୂତା, ଝୋଟ ସାମଗ୍ରୀ, ରତ୍ନପଥର ଏବଂ ଅଳଙ୍କାର ଆଦେି ବି ଓଡିଶାରୁ ବାହାରକୁ ଯାଉଛି । ପୂର୍ବାଞ୍ଚଳ ରାଜ୍ୟମାନଙ୍କରୁ ଔଷଧ ରପ୍ତାନି ହେଉଥିବା ଜଣେ ଅଧିକାରୀ ଦର୍ଶାଇଛନ୍ତି ।
ହସ୍ତଶିଳ୍ପ, ହାତ ତିଆରି କାର୍ପେଟ ଆଦିର ବିଦେଶରେ ଭଲ ଖରିଦଦାର ରହିଛନ୍ତି । ସେହିଭଳି ଓଡିଶାରୁ ବିଭିନ୍ନ ପ୍ରକାର ମସଲା ବି ରପ୍ତାନି ହେଉଛି । ପ୍ଲାଷ୍ଟିକ, ଲିନୋଲିୟମ ସାମଗ୍ରୀକୁ ବହୁ ବିଦେଶୀ ରାଷ୍ଟ୍ର ଖରିଦ କରୁଛନ୍ତି । ଏପରିକି ଓଡିଶାରୁ ବିଭିନ୍ନ ଇଲେକଟ୍ରୋନିକ ସାମଗ୍ରୀ ବିଦେଶକୁ ବି ରପ୍ତାନି ହେଉଛି । ରାଜ୍ୟରୁ ବିଭିନ୍ନ ସାମଗ୍ରୀର ରପ୍ତାନି ପରିମାଣ ବଢାଇବାପାଇଁ କେନ୍ଦ୍ର ସରକାର ବହୁବିଧ ପଦକ୍ଷେପ ଗ୍ରହଣ କରୁଛନ୍ତି ।
ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ସହିତ ଯୋଡିହୋଇ ସେମାନଙ୍କ ସାମଗ୍ରୀ ରପ୍ତାନି ପାଇଁ କେନ୍ଦ୍ର ସରକାର ‘ରପ୍ତାନିବନ୍ଧୁ’ ଯୋଜନା ଆରମ୍ଭ କରିଛନ୍ତି । ଏହି ଧରଣର ଛୋଟ ଛୋଟ ଶିଳ୍ପଗୁଡିକ କିଭଳି ବିଦେଶରେ ବିକ୍ରି ହେଲାଭଳି ସାମଗ୍ରୀ ପ୍ରସ୍ତୁତ କରିବେ ସେଥିପାଇଁ ସେମାନଙ୍କୁ ସହାୟତା ଯୋଗାଇ ଦିଆଯାଉଛି । (ତଥ୍ୟ)