Home General ଓଡିଶାରୁ ୧୫ ଦେଶକୁ ଉଡିବ ବିମାନ

ଓଡିଶାରୁ ୧୫ ଦେଶକୁ ଉଡିବ ବିମାନ

ଭୁବନେଶ୍ୱର : ବିଜୁ ପଟ୍ଟନାୟକ ଆର୍ନ୍ତଜାତୀୟ ବିମାନବନ୍ଦରରୁ ୧୫ଟି ଦେଶକୁ ବିମାନ ଚଳାଚଳ କରିବାର ସୁଯୋଗ ରହିଛି । ସମ୍ପୃକ୍ତ ଦେଶର ୧୮ଟି ସ୍ଥାନକୁ ଭୁବନେଶ୍ୱରରୁ ବିମାନ ଚଳାଚଳ କରିବ ।

ଏହିସବୁ ଦେଶଗୁଡିକ ମଧ୍ୟରେ ବଙ୍ଗଳାଦେଶ, ଭୁଟାନ, ନେପାଳ, ମାଳଦ୍ୱୀପ, ଶ୍ରୀଲଙ୍କା, ସିଙ୍ଗାପୁର, ମାଲେସିୟା, ଥାଇଲ୍ୟାଣ୍ଡ, ବ୍ରୁନେଇ, ଭିଏତନାମ, ଇଣ୍ଡୋନେସିଆ, ମିଆଁମାର, କାମ୍ବୋଡିଆ, ଫିଲିପାଇନ୍ସ ଓ ଲାଓସକୁ ଭୁବନେଶ୍ୱରରୁ ବିମାନ ଚଳାଚଳ ହେବାର ଅଛି । ସଦ୍ୟ ସମାପ୍ତ ସଂସଦ ଅଧିବେଶନରେ ବେସାମରିକ ବିମାନ ଚଳାଚଳ ରାଷ୍ଟ୍ରମନ୍ତ୍ରୀ ଭି.କେ.ସିଂହ ଦେଇଥିବା ସୂଚନାରୁ ଏହା ଜଣାପଡିଛି । କେନ୍ଦ୍ରମନ୍ତ୍ରୀ ପୁଣି କହିଛନ୍ତି ଯେ କେଉଁ ଆର୍ନ୍ତଜାତିକ ବିମାନବନ୍ଦରରୁ କେଉଁ ଦେଶକୁ ବିମାନ ଯାତାୟତ କରିବ ସେ ସମ୍ପର୍କରେ ନିଷ୍ପତ୍ତି କେନ୍ଦ୍ର ସରକାର ନେଇଥାନ୍ତି । ତେବେ କେଉଁ ଏୟାରଲାଇନ୍ସ କେଉଁଠାକୁ ବିମାନ ଚଳାଇବ କି ନଚଳାଇବ ସେ ସଂକ୍ରାନ୍ତରେ କେନ୍ଦ୍ର ସରକାର ହସ୍ତକ୍ଷେପ କରନ୍ତିନାହିଁ ।

ଯାତ୍ରୀଙ୍କ ସଂଖ୍ୟା ସହିତ ବ୍ୟବସାୟିକ ସ୍ଥିତିକୁ ଆଖିଆଗରେ ରଖି ଏୟାରଲାଇନ୍ସମାନେ ନିର୍ଦ୍ଦିଷ୍ଟ ରୁଟ୍‍ରେ ବିମାନ ଚଳାଚଳ ପାଇଁ ଆଗ୍ରହ ପ୍ରକାଶ କରିଥାନ୍ତି । କିନ୍ତୁ ସେମାନଙ୍କୁ ଏଥିଲାଗି ସରକାର ବାଧ୍ୟ କରିପାରିବେ ନାହିଁ । ଭୁବନେଶ୍ୱର ବିଜୁ ଆର୍ନ୍ତଜାତୀୟ ବିମାନବନ୍ଦରର ସମାନ୍ତରାଳ ଟ୍ୟାକ୍ସି ଟ୍ରାକ, ନୂଆକଣ୍ଟ୍ରୋଲ ଟାୱାର, ଟେକ୍ନିକାଲ ବ୍ଲକ ଆଦିର ନିର୍ମାଣ କାମ ଚାଲିଛି ଏବଂ ଏଥିଲାଗି ପ୍ରାୟ ୨୮୯କୋଟି ୫୭ଲକ୍ଷ ଟଙ୍କା ବ୍ୟୟ ଅଟକଳ ହୋଇଛି ।

କେନ୍ଦ୍ରମନ୍ତ୍ରୀ ପୁଣି ସୂଚାଇଛନ୍ତି ଯେ ଉଡାନ୍‍ କାର୍ଯ୍ୟକ୍ରମର ରିଜିଓନାଲ କନେକ୍ଟିଭିଟି ସ୍କିମ୍‍ ଅନୁଯାୟୀ ଓଡିଶାର ଜୟପୁର ଓ ଉତ୍‍କେଲାରୁ ବିମାନ ଚଳାଚଳ ଲାଗି ପ୍ରକ୍ରିୟା ଚୂଡାନ୍ତ ହୋଇଥିବାବେଳେ କେଉଁ ଏୟାରଲାଇନ୍ସ ଏଥିପାଇଁ ଆଗେଇ ଆସିବେ ସେ ଦିଗରେ ମଧ୍ୟ ପଦକ୍ଷେପ ନିଆଯାଉଛି । ଯେଉଁ ଏୟାରଲାଇନ୍ସମାନେ ଉଡାନ୍‍ରେ ବିମାନ ଚଳାଚଳ କରନ୍ତି ସେମାନେ କର୍ତ୍ତୃପକ୍ଷଙ୍କ ସହିତ ବୁଝାମଣାପତ୍ର ସ୍ୱାକ୍ଷର କରିଥାନ୍ତି । ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସମ୍ପୃକ୍ତ ସଂସ୍ଥା ବିମାନ ଚଳାଚଳ ନକଲେ କିମ୍ବା ସମୟ ବୃଦ୍ଧିପାଇଁ ଅନୁମତି ପାଇନଥିଲେ ବିମାନ ଚଳାଚଳ ଲାଗି ଏମାନଙ୍କୁ ଦିଆଯାଇଥିବା ଅନୁମତି ପ୍ରତ୍ୟାହାର କରାଯାଇଥାଏ ।

ଓଡିଶାର ଝାରସୁଗୁଡା ବିମାନବନ୍ଦରରୁ ଉଡାନ୍‍ କାର୍ଯ୍ୟକ୍ରମରେ ସଫଳତାର ସହ ବିମାନ ଚଳାଚଳ କରୁଛି । ତେବେ ରାଜ୍ୟରେ ଥିବା ଆଉ କେତେକ ବିମାନବନ୍ଦରର ବିକାଶ କରି ଏହାକୁ ଉଡାନ୍‍ ଯୋଜନାରେ ସାମିଲ ଲାଗି ମଧ୍ୟ କାର୍ଯ୍ୟକ୍ରମ ଜାରି ରହିଛି । (ତଥ୍ୟ)