Home General ଓଡିଶାକୁ ମିଳିବନି ସ୍ୱତନ୍ତ୍ର ପାହ୍ୟା

ଓଡିଶାକୁ ମିଳିବନି ସ୍ୱତନ୍ତ୍ର ପାହ୍ୟା

ଭୁବନେଶ୍ୱର : ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମିଳିବ ନାହିଁ । ଆଉ କୌଣସି ରାଜ୍ୟକୁ ସ୍ୱତନ୍ତ୍ର ପାହ୍ୟା ମାନ୍ୟତା ପ୍ରଦାନକୁ ଅର୍ଥ କମିଶନ ଅଗ୍ରାହ୍ୟ କରିଥିବା ସ୍ପଷ୍ଟ କରିଛନ୍ତି କେନ୍ଦ୍ର ଅର୍ଥ ମନ୍ତ୍ରୀ ର୍ନିମଳା ସୀଥାରମଣ । ଆଜି ଏଠାରେ ଗଣମାଧ୍ୟମ ସହିତ ବଜେଟ୍‍ ପରବର୍ତ୍ତୀ ଆଲୋଚନା ସମୟରେ ସେ ଏହା କହିଛନ୍ତି ।

ସେହିଭଳି କେନ୍ଦ୍ର ଅର୍ଥମନ୍ତ୍ରୀ ଦୋହରାଇଛନ୍ତି ଯେ ଏମଜିଏନଆରଇଜିଏ ପାଇଁ ପାଣ୍ଠି ଆବଣ୍ଟନ କଟାଯାଇ ନାହିଁ । ଏମଜିଏନଆରଇଜିଏ ଏକ ଚାହିଦା ଯୋଜନା ହୋଇଥିବାରୁ ସରକାର ସେହି ଅନୁଯାୟୀ ବ୍ୟବସ୍ଥା ଜାରି ରଖିବେ । ସେ କହିଛନ୍ତି ଯେ ସରକାରଙ୍କ ଧ୍ୟାନ କେବଳ ପାଣ୍ଠି ଆବଣ୍ଟନ କରିବା ନୁହେଁ ବରଂ ଏହି ଯୋଜନା ପାଇଁ ଆବଣ୍ଟିତ ପାଣ୍ଠିର ସମ୍ପୂର୍ଣ୍ଣ ଉପଯୋଗକୁ ସୁନିଶ୍ଚିତ କରିବା ।

ଚାଉଳ ଏବଂ ଅନ୍ୟାନ୍ୟ ଖାଦ୍ୟ ଶସ୍ୟ କ୍ରୟ ଉପରେ ଏକ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି ଯେ କୃଷକମାନଙ୍କଠାରୁ କିଣାଯାଇଥିବା ଖାଦ୍ୟ ଶସ୍ୟର ପରିମାଣ ଗତ ଆଠ ବର୍ଷ ମଧ୍ୟରେ ପ୍ରଦାନ କରାଯାଇଥିବା ଏମଏସପି ପରିମାଣ ସହିତ ବୃଦ୍ଧି ପାଇଛି । ସେ କହିଛନ୍ତି ଯେ ଏହା ମଧ୍ୟ ସୁନିଶ୍ଚିତ ହୋଇଛି ଯେ ସମୁଦାୟ ପରିମାଣର ଏମଏସପି ଚାଷୀଙ୍କ ଆକାଉଣ୍ଟରେ ରଖାଯିବ ଏବଂ ଏହାଦ୍ୱାରା ଯେକୌଣସି ଚୋରା କାରବାର ଏବଂ ମଧ୍ୟସ୍ଥିଙ୍କ ସମ୍ପୃକ୍ତି ଦୂର ହୋଇପାରିବ ।

ପେଟ୍ରୋଲି ଓ ଡିଜେଲକୁ ଜିଏସ୍‍ଟିରେ ଅର୍ନ୍ତଭୁକ୍ତ ପାଇଁ ପଚରା ଯାଇଥିବା ପ୍ରଶ୍ନର ଉତ୍ତରରେ ଅର୍ଥମନ୍ତ୍ରୀ କହିଛନ୍ତି ଯେ ଏହା ଉପରେ ନିଷ୍ପତ୍ତି ନେବା ଜିଏସଟି ପରିଷଦର ଡୋମେନରେ ଅଛି । ନୂତନ ବ୍ୟବସ୍ଥାରେ ଆୟକର ହାରକୁ ହ୍ରାସ କରାଯାଇଛି ବୋଲି ଦର୍ଶାଇ ସେ କହିଛନ୍ତି ଯେ ପୁରୁଣା ବ୍ୟବସ୍ଥା ଅଧୀନରେ ୮୦ ସି ଏବଂ ୮୦ ଡି ଭଳି ସେକ୍ସନ ଅଧୀନରେ ଥିବା ସୁବିଧା ଉପଲବ୍ଧ ରହିବ । ଓଡିଶାକୁ ସ୍ୱତନ୍ତ୍ର ପାହ୍ୟାର ରାଜ୍ୟ ମାନ୍ୟତା ପ୍ରଦାନ ପ୍ରସଙ୍ଗରେ ଅର୍ଥମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ ଅର୍ଥ କମିଶନ ଆଉ ଅଧିକ ଭାବେ କୌଣସି ରାଜ୍ୟକୁ ସ୍ୱତନ୍ତ୍ର ପାହ୍ୟା ମାନ୍ୟତା ପ୍ରଦାନକୁ ଅଗ୍ରାହ୍ୟ କରିଛନ୍ତି ।

ଉଜ୍ୱଳା ଯୋଜନାକୁ ଏକ ଭଲ ଯୋଜନା ଭାବରେ ପ୍ରଶଂସା କରି ଅର୍ଥମନ୍ତ୍ରୀ କହିଛନ୍ତି ଯେ ଏହାକୁ ବିଶେଷ କରି ଗରିବ ଲୋକ ଗ୍ରହଣ କରିଛନ୍ତି । ସେ କହିଛନ୍ତି ଯେ ଗ୍ୟାସ ଏବଂ ସାର ଭଳି ସାମଗ୍ରୀର ମୂଲ୍ୟରେ ଗରିବଙ୍କ ଉପରେ ଆର୍ନ୍ତଜାତୀୟ ମୂଲ୍ୟ ବୃଦ୍ଧିର ବୋଝ ନଲଦିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱକୁ ଉପଲବ୍ଧି କରି ସରକାର ସିଲିଣ୍ଡର ପିଛା ଦୁଇଶହ ଟଙ୍କା ସବସିଡି ଦେଉଛନ୍ତି ଯାହା ଦ୍ୱାରା ଗରିବମାନେ ସେମାନଙ୍କ ଗ୍ୟାସ ସିଲିଣ୍ଡର ନିୟମିତ ଭାବେ ଭରି ପାରିବେ । ସେ କହିଛନ୍ତି ଯେ ଆମଦାନୀ ହୋଇଥିବା ସାମଗ୍ରୀର ମୂଲ୍ୟ ବୃଦ୍ଧିର ପ୍ରଭାବ ଲୋକମାନେ ବୁଝନ୍ତି ଏବଂ ସେହି ଅନୁଯାୟୀ ସେମାନଙ୍କ ଖର୍ଚ୍ଚକୁ ନିୟନ୍ତ୍ରଣ କରନ୍ତି ।

ବଜେଟରେ ଘୋଷଣା ହୋଇଥିବା ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା କୌଶଳ ସମ୍ମାନ (ପିଏମ୍‍-ବିକାଶ) ଯୋଜନା ଉପରେ ଆଲୋକପତା କରି ଶ୍ରୀମତୀ ସୀଥାରମଣ କହିଛନ୍ତି ଯେ ଏହା ଓଡ଼ିଶାର କାରିଗର ବିଶେଷକରି ଯେଉଁମାନେ ପଟ୍ଟଚିତ୍ର ଏବଂ ପଥର କାମ ଇତ୍ୟାଦି କରୁଛନ୍ତି ସେମାନଙ୍କ ପାଇଁ ଏହା ବହୁତ ଲାଭଦାୟକ ହେବ ।

ଏହା ପୂର୍ବରୁ ଭୁବନେଶ୍ୱର ଠାରେ ହିତାଧିକାରୀଙ୍କ ସହ ବଜେଟ୍ ପରବର୍ତ୍ତୀ ଆଲୋଚନାରେ ଅଂଶଗ୍ରହଣ କରି ମନ୍ତ୍ରୀ କହିଛନ୍ତି ଯେ ଅର୍ଥନୀତିର ଅଭିବୃଦ୍ଧି ବଜାୟ ରଖିବା ପାଇଁ ବଜେଟ୍ କେବଳ ପୁଞ୍ଜି ବ୍ୟୟ ପାଇଁ ୧୦ ଲକ୍ଷ କୋଟି ଟଙ୍କା ଆବଣ୍ଟନ କରିନାହାନ୍ତି ବରଂ ସେମାନଙ୍କର ମୂଳ ପୁଞ୍ଜି ଗଠନ ପାଇଁ ରାଜ୍ୟଗୁଡିକ ଲାଗି ଅଧିକ ପାଣ୍ଠି ଆବଣ୍ଟନନ କରିଛନ୍ତି ।

ବଜେଟର ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ ବର୍ଣ୍ଣନା କରି ସେ କହିଛନ୍ତି ଯେ ବିକାଶ ଯାତ୍ରାରେ ପଛୁଆ ତଥା ଆଦିମ ଲୋକମାନଙ୍କ ପରି ବଞ୍ଚିତ ଜନସଂଖ୍ୟାର ବିଭିନ୍ନ ବିଭାଗକୁ ଅନ୍ତର୍ଭୁକ୍ତ କରିବା ଉପରେ ଗୁରୁତ୍ୱ ଦିଆଯାଇଛି । ଅନ୍ତର୍ଭୂକ୍ତି ପ୍ରକ୍ରିୟାରେ ‘ସଂତୃପ୍ତି’ ପ୍ରମୁଖ ଶବ୍ଦ ବୋଲି ଦର୍ଶାଇ ସେ କହିଥଲେ ଯେ ବିକାଶର ମୌଳିକ ଲାଭ ପହଞ୍ଚିବା ପରିପ୍ରେକ୍ଷୀରେ ସଂତୃପ୍ତି ହାସଲ କରାଯିବା ଆବଶ୍ୟକ । ଏହାକୁ ଆଧାର କରି ସରକାର ବର୍ତ୍ତମାନର ୧୧୪ ଟି ଆଙ୍କାକ୍ଷୀ ଜିଲ୍ଲା ବ୍ୟତୀତ ଦେଶରେ ଆଉ ୫୦୦ ଟି ଆଙ୍କାକ୍ଷୀ ବ୍ଲକ ଚିହ୍ନଟ କରିବାକୁ ଚିନ୍ତା କରିଛନ୍ତି । ଅର୍ଥମନ୍ତ୍ରୀ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ ମଧ୍ୟ ସୂଚନା ଦେଇଛନ୍ତି ଯେପରିକି ଏମଏସଏମଇର, ଯୁବକ ଏବଂ ଶ୍ରମିକଙ୍କ ଦକ୍ଷତା ଏବଂ ଭବିଷ୍ୟତକୁ ପ୍ରସ୍ତୁତ କରିବା ଏବଂ ସବୁଜ ଶକ୍ତି ଉପରେ ଗୁରୁତ୍ୱ ଦେବା ।

କେନ୍ଦ୍ର ଅର୍ଥମନ୍ତ୍ରୀ ର୍ନିମଳା ସୀତାରମଣ କହିଛନ୍ତି ଯେ କେନ୍ଦ୍ର ବଜେଟ୍ ୨୦୨୩-୨୪ ନିଶ୍ଚିତ କରିଛି ଯେ ଅର୍ଥନୀତି ପୂର୍ବରୁ ହାସଲ କରିଥିବା ଅଭିବୃଦ୍ଧି ହ୍ରାସ ପାଇବ ନାହିଁ ।