Home Culture ଓଡ଼ିଶା ମନସ୍କର ୧୦ମ ସଂସ୍କରଣ ଆଲୋଚନା

ଓଡ଼ିଶା ମନସ୍କର ୧୦ମ ସଂସ୍କରଣ ଆଲୋଚନା

ଭୁବନେଶ୍ୱର : ଅଲ୍ ଥୀଙ୍ଗସ ଓଡ଼ିଶା ଦ୍ଵାରା ଆୟୋଜିତ ମାସିକ ଆଲୋଚନା ଚକ୍ର ଓଡ଼ିଶା ମନସ୍କର ଦଶମ ସଂସ୍କରଣ ଆଜି ସନ୍ଧ୍ୟାରେ ସହିଦନଗର ସ୍ଥିତ ଏକ୍ସ୍ଟ୍ରାଓଡିନାରୀ ଓ ସେଫ୍ ଓଡ଼ିଶା ଫର୍ ହାର୍ କ୍ୟାମ୍ପସରେ ଅନୁଷ୍ଠିତ ହୋଇଯାଇଛି। ଏହି ମଇ ସଂସ୍କରଣରେ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟରତ ସମାଜର ବିଭିନ୍ନ ସ୍ତରରୁ ଅନେକ ବ୍ୟକ୍ତି ବିଶେଷ ଯୋଗ ଦେଇ “ପରଦାରେ ଆମ ଅସ୍ତିତ୍ବ: ଓଡ଼ିଆ ସିନେମା ପରିବର୍ତ୍ତନଶୀଳ ଆମ ଓଡ଼ିଆ ପରିଚୟକୁ ଗଢି ତୋଳିବା ଓ ପ୍ରତିଫଳିତ କରିବାରେ ସଫଳ ହୋଇପାରୁଛି କି?” ଶୀର୍ଷକ ଉପରେ ଆଲୋଚନା କରିଥିଲେ।

ଏହି ଆଲୋଚନା ଚକ୍ରରେ ମୁଖ୍ୟ ଆକର୍ଷଣ ଥିଲେ ପ୍ରଖ୍ୟାତ ଓଡ଼ିଆ ଚଳଚ୍ଚିତ୍ର ସାମ୍ବାଦିକ, ଫିଲ୍ମ ଐତିହାସିକ, ଗବେଷକ, ସଂରକ୍ଷକ ତଥା ସିନେମା ଉପରେ ଉତ୍କୃଷ୍ଠ ଲେଖା ପାଇଁ ଜାତୀୟ ପୁରସ୍କାର ପ୍ରାପ୍ତ ସୂର୍ଯ୍ୟ ଦେଓ ଏବଂ ଯୁବ ଅଭିନେତା, ଇଣ୍ଡି ଚଳଚ୍ଚିତ୍ର ପ୍ରସ୍ତୁତକର୍ତ୍ତା ତଥା ଅନେକ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ପୁରସ୍କାର ପ୍ରାପ୍ତ ଚଳଚ୍ଚିତ୍ର ନିର୍ମାତା ସ୍ଵସ୍ତିକ ଚୌଧୁରୀ।

 ଓଡ଼ିଶା ମନସ୍କର ପରମ୍ପରା ଅନୁଯାୟୀ ଏହି ଆଲୋଚନା ଚକ୍ରରେ ଏକତ୍ରିତ ହେଇଥିବା ପ୍ରତ୍ୟେକ ବ୍ୟକ୍ତି ନିଜ ଜୀବନର ଅନୁଭୂତି ଓ ଅଙ୍ଗେ ନିଭାଇଥିବା ଘଟଣାବଳୀକୁ ନେଇ ଏହି ସାର୍କଲରେ ପ୍ରତ୍ୟକ୍ଷ ଭାବରେ ଅଂଶଗ୍ରହଣ କରିଥିଲେ।

ଓଡ଼ିଆ ସିନେମାର ବିଭିନ୍ନ ଇଣ୍ଟେଲେକ୍ଚୁଆଲ କ୍ଷେତ୍ର ଉପରେ ଆଲୋଚନା କରିଥିଲେ। ଏହି ଆଲୋଚନା ଚକ୍ରକୁ ପରିଚାଳନା କରିଥିଲେ ସନ୍ଦିପ ବଳ, ସୋନାଲି ପ୍ରୀୟଦର୍ଶୀନି। ଏହି କାର୍ଯ୍ୟକ୍ରମରେ ପ୍ରଫେସର ବାଣିକାନ୍ତ ମିଶ୍ର, ଋତୁ ପଟ୍ଟନାୟକ, ତରଣୀସେନ ପଟ୍ଟନାୟକ, ସୋନାଲି ସେନାପତି, ସବ୍ୟସାଚୀ ଜାନା, ଅଳକା ସବ୍ୟସାଚୀ ମିଶ୍ର, ସତଧା ନାୟକ, ଅନିତା କନ୍ହର ଆଦି ଅଂଶଗ୍ରହଣ କରିଥିଲେ।

ଓଡ଼ିଶା ମନସ୍କ (ଓଡ଼ିଶା ଅନ୍ ମାଇଁ ମାଇଣ୍ଡ) ସାର୍କଲ ଅଲ୍ ଥୀଙ୍ଗସ ଓଡ଼ିଶା ଦ୍ଵାରା ପରିଚାଳିତ ଏକ ପ୍ରତ୍ୟକ୍ଷ ଆଲୋଚନା ଚକ୍ର ଯାହା ପ୍ରତି ମାସରେ ଅନୁଷ୍ଠିତ ହୋଇଥାଏ। ଏହି ଆଲୋଚନା ଚକ୍ରର ମୁଖ୍ୟ ଲକ୍ଷ୍ୟ ହେଲା ଯୋଗଦାନକାରୀଙ୍କ ଠାରୁ ସାମୁହିକ ବୋଧିକଜ୍ଞାନ ଏକତ୍ରିତ କରି ତାହାକୁ ଏକ ବୃହତ୍ତର କାର୍ଯ୍ୟରେ ନିୟୋଜିତ କରିବା ଓ ଏକ ସୁସ୍ଥ ଉନ୍ନତ ବିକଶିତ ଓଡ଼ିଶା ଓ ମାନବ ସମାଜର ଗଠନ କରିବାପାଇଁ ଏକ ମୂଳଦୁଆ ପକେଇବା ନିମନ୍ତେ ଏକ ସମୁଦାୟ ଗଢି ତୋଳିବା। ଏହି ଆଲୋଚନା ଚକ୍ର ସମାଜର ସବୁ ବର୍ଗର ଲୋକମାନଙ୍କୁ ଆମନ୍ତ୍ରଣ କରିଥାଏ ଏବଂ ଏହା ଏକ ଗଣତାନ୍ତ୍ରିକ ପଦ୍ଧତିରେ ସମସ୍ତଙ୍କୁ ନିଜର ମତାମତ ରଖିବାର ସୁଯୋଗ ପ୍ରଦାନ କରିଥାଏ। ବିଗତ ନଅ ଗୋଟି ଅଧ୍ୟାୟରେ ଓଡ଼ିଶା ସମ୍ବନ୍ଧୀୟ ଅନେକ ବିଷୟ ଉପରେ ଆଲୋଚନା କରାଯାଇଅଛି। ଓଡ଼ିଆ ପରିଚୟ, ଓଡ଼ିଆ ପର୍ବପର୍ବାଣୀ, ଲୁପ୍ତ ପ୍ରାୟ ପ୍ରଥା, ଓଡ଼ିଆ ଖାଦ୍ୟ, ପ୍ରବାସୀ ଓଡିଆ, ନୈବାଣିଜ୍ୟ ଇତିହାସ, ପ୍ରେମ ଓ ପରିଚୟ, ଓଡ଼ିଶାର ନଦୀ ଏବଂ ଓଡ଼ିଶାର ଆଞ୍ଚଳିକ ତାରତମ୍ୟ ଆଦି ବିଷୟ ଉପରେ ବିଗତ ସେସନ୍ ଗୁଡ଼ିକରେ ଆଲୋଚନା କରାଯାଇଅଛି ।