ଭୁବନେଶ୍ୱର : ଅବସର ପରେ ଓଏସ୍ଡି ଭାବେ ନିଯୁକ୍ତି ପାଇଥିବା ଜଣେ ଅଧିକାରୀଙ୍କ ଦୁଇ ଦୁଇଥର ଚାକିରି ଅବଧି ବୃଦ୍ଧି ଓ ତାଙ୍କ କାର୍ଯ୍ୟକଳାପକୁ ନେଇ ଲୋକସେବାଭବନରେ ଦେଖାଦେଇଛି ଅସନ୍ତୋଷ । ସମ୍ପୃକ୍ତ ଅଧିକାରୀଙ୍କ କାର୍ଯ୍ୟ ବିରୁଦ୍ଧରେ ସଚିବାଳୟ ସେବା ସଂଘର ସଦସ୍ୟମାନେ ମୁଖ୍ୟ ଶାସନ ସଚିବଙ୍କ ନିକଟରେ ଫେରାଦ ହୋଇଛନ୍ତି ।
ଗୃହ ବିଭାଗର ଅତିରିକ୍ତ ସଚିବ ପାହ୍ୟାର ଜଣେ ଅଧିକାରୀ ୨୦୨୦ ମସିହାରେ ଅବସର ଗ୍ରହଣ କରିବାପରେ ରାଜ୍ୟ ସରକାର ତାଙ୍କୁ ସେହି ବିଭାଗରେ ଓଏସ୍ଡି ଭାବେ ନିଯୁକ୍ତି ଦେଇଥିଲେ । ବର୍ତ୍ତମାନ ତାଙ୍କର ଗୋଟିଏ ବର୍ଷର ଅବଧି ସରିବାରୁ ତାଙ୍କୁ ଆଉ ଗୋଟିଏ ବର୍ଷ ପାଇଁ ପୁନଃ ନିଯୁକ୍ତି ଦିଆଯାଇଛି । ତେବେ ସମ୍ପୃକ୍ତ ଅଧିକାରୀଙ୍କୁ ଦିଆଯାଇଥିବା ଦାୟିତ୍ୱ ବିରୁଦ୍ଧରେ କର୍ମଚାରୀମାନେ ମେଳି ହୋଇ ମୁଖ୍ୟ ସଚିବଙ୍କୁ ଫେରାଦ ହୋଇଛନ୍ତି ।
କର୍ମଚାରୀମାନେ ଦେଇଥିବା ଅଭିଯୋଗପତ୍ରରେ ଦର୍ଶାଇଛନ୍ତି ଯେ ଅତିତରେ ସମ୍ପୃକ୍ତ କର୍ମଚାରୀ ବିଧି ଅଧିକାରୀଙ୍କ ସପକ୍ଷରେ ଅନୁକମ୍ପା ଦେଖାଇବାରୁ ସଚିବାଳୟ ସେବା ବର୍ଗର କର୍ମଚାରୀମାନେ କ୍ଷତିଗ୍ରସ୍ତ ହୋଇଛନ୍ତି । ସମ୍ପୃକ୍ତ ଅଧିକାରୀ ଗ୍ରେଡେସନ ଲିଷ୍ଟ ପ୍ରସ୍ତୁତିରେ ମୁଖ୍ୟ ଭୂମିକା ତୁଲାଇଥିବାବେଳେ ତାହା ଅନେକ କର୍ମଚାରୀଙ୍କ ବିରୁଦ୍ଧରେ ଯିବା ସହିତ ବାଧ୍ୟହୋଇ କେତେଜଣ କର୍ମଚାରୀ ଅନିଚ୍ଛା ସତ୍ୱେ ସରକାରଙ୍କ ବିରୁଦ୍ଧରେ ମାମଲା ରୁଜୁ କରିଥିଲେ । ଗ୍ରେଡେସନ ଲିଷ୍ଟ ପ୍ରସ୍ତୁତ ସମୟରେ ଅଧିକାରୀ ଜଣଙ୍କ ଅଦାଲତଙ୍କ ନିର୍ଦ୍ଦେଶ ମାନିନଥିବା କୁହାଯାଇଛି ।
ଗୃହ ବିଭାଗର ସମ୍ପୃକ୍ତ ଅଧିକାରୀଙ୍କ ସଂକ୍ରାନ୍ତରେ ଗତବର୍ଷ ସେପ୍ଟେମ୍ବର ମାସରେ ସଚିବାଳୟ ସେବା ସଂଘର କର୍ମକର୍ତ୍ତାମାନେ ଗୃହ ସଚିବଙ୍କୁ ଅବଗତ କରିଥିଲେ । ହେଲେ କର୍ତ୍ତୃପକ୍ଷ ଏଥି ପ୍ରତି ଦୃଷ୍ଟି ଦେଲେନାହିଁ । ଏହାପରେ ଗତବର୍ଷ ଜୁଲାଇମାସରେ ସମ୍ପୃକ୍ତ ଅଧିକାରୀ ପୁନଃ ନିଯୁକ୍ତି ପାଇଥିଲେ । ସେହି ସମୟରେ ବିଧି ଅଧିକାରୀମାନଙ୍କୁ ସଚିବାଳୟ ସେବା ବର୍ଗରେ ସାମିଲ ପାଇଁ ଆଇନରେ ଥିବା ବ୍ୟବସ୍ଥାକୁ କୋହଳ କରିଥିଲେ । ଏହାକୁ ନେଇ କର୍ମଚାରୀମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଥିଲା ।
ତେବେ ମୁଖ୍ୟ ଶାସନ ସଚିବଙ୍କୁ ଦେଇଥିବା ପତ୍ରରେ କର୍ମଚାରୀମାନେ ଦର୍ଶାଇଛନ୍ତି ଯେ ଗୃହ ବିଭାଗର ସମ୍ପୃକ୍ତ ଅଧିକାରୀଙ୍କୁ ସରକାର ପୁନଃ ନିଯୁକ୍ତି ଦେବାରେ ସେମାନଙ୍କର କୌଣସି ଆପତ୍ତି ନଥିବାବେଳେ ତାଙ୍କ ବଦଳରେ ଜଣେ ନିୟମିତ ଅଧିକାରୀ ଯିଏକି ଚାକିରି ସମ୍ବନ୍ଧୀୟ ବିଷୟ ଭଲଭାବେ ଜାଣିଥିବେ ତାଙ୍କୁ ନିଯୁକ୍ତି ଦିଆଯାଉ । ତେବେ ଓଏସ୍ଡି ଭାବେ ପୁନଃ ନିଯୁକ୍ତି ପାଇଥିବା ଜଣେ ଅଧିକାରୀଙ୍କ ବିରୁଦ୍ଧରେ ସଚିବାଳୟ ସେବା ସଂଘର ସଦସ୍ୟମାନେ ଏକଜୁଟ ହୋଇ ଫେରାଦ ହେବା ଏହା ପ୍ରଥମ ବୋଲି କୁହାଯାଉଛି । (ତଥ୍ୟ)