Home Agriculture ଏବର୍ଷ ୫ଟି ସ୍ଥାନରେ ଇକୋ ରି ଟ୍ରିଟ୍‍

ଏବର୍ଷ ୫ଟି ସ୍ଥାନରେ ଇକୋ ରି ଟ୍ରିଟ୍‍

କୋଣାର୍କ ଠାରେ ସଫଳତାର ସହ ଆୟୋଜିତ ହୋଇଥିବା ଇକୋ ରିଟ୍ରିଟ୍‍ ଢାଞ୍ଚାରେ ଆସନ୍ତା ଡିସେମ୍ବର ମାସରେ ରାଜ୍ୟର ୫ଟି ସ୍ଥାନରେ ଅନୁରୂପ ପର୍ଯ୍ୟଟନ ମେଳା ଆୟୋଜନ ହେବ । କୋଣାର୍କ ସହିତ ଭତରକନିକା, ଦାରିଙ୍ଗିବାଡି, ହୀରାକୁଦ ଓ ସାତକୋଶିଆରେ ଏହା ଅନୁଷ୍ଠିତ ହେବବୋଲି ସୂଚନା ମିଳିଛି ।

ରାଜ୍ୟ କ୍ରୀଡା ଓ ପର୍ଯ୍ୟଟନ ସଚିବ ବିଶାଳ ଦେବ ଇକୋ ରି ଟ୍ରିଟ ସଂକ୍ରାନ୍ତରେ ସମୀକ୍ଷା କରିଛନ୍ତି । ୨୦୧୯-୨୦ ବର୍ଷରେ କୋଣାର୍କ ବେଳାଭୂମିରେ ରାଜ୍ୟ ସରକାର ସଫଳତାର ସହ ରିଟ୍ରିଟ୍‍ ଆୟୋଜନ କରିଥିବାବେଳେ ଏହା ଉଭୟ ଘରୋଇ ଓ ବିଦେଶୀ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥିଲା । ଓଡିଶା ପର୍ଯ୍ୟଟନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଇକୋ ରିଟ୍ରିଟ ଭଳି କାର୍ଯ୍ୟକ୍ରମମାନ ଆୟୋଜନ କରି ରାଜ୍ୟରେ ଥିବା ବିଭିନ୍ନ ପର୍ଯ୍ୟଟନସ୍ଥଳୀ ସଂକ୍ରାନ୍ତରେ ପର୍ଯ୍ୟଟକମାନଙ୍କୁ ଅବଗତ କରିବା ।

ଇକୋ ରି ଟ୍ରିିଟ୍‍ ସଂକ୍ରାନ୍ତରେ ପର୍ଯ୍ୟଟନ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଏଭଳି କାର୍ଯ୍ୟକ୍ରମ ଆୟୋଜନ ମାଧ୍ୟମରେ ଓଡିଶା ଜାତୀୟ ସ୍ତରରେ ନିଜର ପର୍ଯ୍ୟଟନର ବିକାଶ ସହିତ ପର୍ଯ୍ୟଟକମାନଙ୍କ ମଧ୍ୟରେ ଏଠାକୁ ଆସିବାପାଇଁ ବିଶ୍ୱାସ ଜନ୍ମାଇ ପାରିବ । ଇକୋ ରିଟ୍ରିଟ ପ୍ରକଳ୍ପ ଭିଜିଏଫ୍‍ ମଡେଲରେ ଆୟୋଜନ ହେବାକୁ ଥିବାବେଳେ ଏଠାରେ ଘରୋଇ ସଂସ୍ଥା ଦ୍ୱାରା ସେବା ଯୋଗାଇ ଦିଆଯିବ ଯେଉଁମାନଙ୍କୁ ଟେଣ୍ଡର ମାଧ୍ୟମରେ ଚୟନ କରାଯିବ ।

ଇକୋ ରିଟ୍ରିଟର ମୁଖ୍ୟ ଭିତ୍ତିଭୂମି ରାଜ୍ୟ ସରକାର ଯୋଗାଇଦେବେ ଯାହାକି କୋଭଡି ପରିବର୍ତ୍ତୀ ସମୟରେ ପର୍ଯ୍ୟଟନର ବିକାଶ କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିବ । ରାଜ୍ୟ ସରକାର ଇକୋ ରିଟ୍ରିଟ୍‍ ନେଇ ସକରାତ୍ମକ ପଦକ୍ଷେପ ଗ୍ରହଣ କରୁଥିବାବେଳେ ଆୟୋଜନ ହେବାକୁ ଥିବା ୫ଟି ଜିଲ୍ଲାର ଜିଲ୍ଲାପାଳମାନେ ଏହି ପର୍ଯ୍ୟଟନ ପ୍ରକଳ୍ପ କାର୍ଯ୍ୟକାରୀ କ୍ଷେତ୍ରରେ ପ୍ରମୁଖ ଭୂମିକା ନିର୍ବାହ କରିବେ । ନିକଟରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଏ ସଂକ୍ରାନ୍ତରେ ସମୀକ୍ଷା କରିବାବେଳେ ସ୍ଥାନୀୟ ସଂସ୍ଥାଗୁଡିକର ସହଯୋଗରେ ଏହି ପର୍ଯ୍ୟଟନ ପ୍ରକଳ୍ପକୁ ସୂଚାରୁ ରୂପେ କାର୍ଯ୍ୟକାରୀ ଲାଗି ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦେଇଛନ୍ତି ।

ଅଧିକାରୀମାନେ କହିଛନ୍ତି ଯେ ଇକୋ ରି ଟ୍ରିଟ୍‍ ପାଇଁ ପ୍ରାକୃତିକ ସ୍ଥାନଗୁଡିକୁ ଚୟନ କରାଯାଇଥିବାରୁ ଏହା ଅଧିକରୁ ଅଧିକ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବ । ଇକୋ ରି ଟ୍ରିଟ୍‍ ସହିତ ଜଙ୍ଗଲ, ପାହାଡଚଢା, ଜଙ୍ଗଲ ସଫାରୀ, ନୌଚାଳନା ଏବଂ ଅନ୍ୟାନ୍ୟ ପରିବେଶ ଅନୁକୂଳ କାର୍ଯ୍ୟକ୍ରମକୁ ଯୋଡାଯାଇଥିବାରୁ ଏଥିପ୍ରତି ପର୍ଯ୍ୟଟକମାନେ ଅଧିକ ଆକୃଷ୍ଟ ହେବେ । ପର୍ଯ୍ୟଟକ ବିଶେଷକରି ଯୁବବର୍ଗ ଏଥିପ୍ରତି ଅଧିକ ଆଗ୍ରହ ଦେଖାଇବେ । ତେଣୁ ଉଭୟ ଜିଲ୍ଲା ପ୍ରଶାସନ ଓ ଜଙ୍ଗଲ ପ୍ରଶାସନ ଅନୁମତିପ୍ରାପ୍ତ ଅଞ୍ଚଳରେ କାର୍ଯ୍ୟ ଆରମ୍ଭ କରିବାକୁ ଯାଉଥିବା ସୂଚନା ମିଳିଛି । ଏହାଦ୍ୱାରା ଅଧିକରୁ ଅଧିକ ପର୍ଯ୍ୟଟକ ଓଡିଶାକୁ ଆସିବେ ବୋଲି ବିଶେଷଜ୍ଞମାନେ ଆକଳନ କରୁଛନ୍ତି । ଘରୋଇ ପର୍ଯ୍ୟଟକ ଓ ଘରୋଇ ବଜାରକୁ ଦୃଷ୍ଟିରେ ରଖି ଓଡିଶା ପର୍ଯ୍ୟଟନ ପକ୍ଷରୁ ନୂତନ ପଦକ୍ଷେପ ସ୍ୱରୂପ ହାଉସ୍‍ବୋଟ୍‍, ନଦୀରେ କ୍ରୁଜ୍‍ ଚଳାଚଳ ଓ ପଥପାଶ୍ୱର୍ ପର୍ଯ୍ୟଟନ ଭିତ୍ତିଭୂମି ଉପରେ ଜୋର ଦିଆଯାଉଛି ।