Home Judiciary ଏନ୍‍ଆର୍‍ଆଇ ନାମାଙ୍କନ ଅସାମ୍ବିଧାନିକ

ଏନ୍‍ଆର୍‍ଆଇ ନାମାଙ୍କନ ଅସାମ୍ବିଧାନିକ

ପ୍ରବାସୀ ଭାରତୀୟ କୋଟା ନାମରେ ଆଇନ୍‍ ବିଶ୍ୱବିଦ୍ୟାଳୟଗୁଡ଼ିକ ପାଇଁ କରାଯାଉଥିବା ଛାତ୍ର ଚୟନ ସମାନତାର ଅଧିକାରକୁ କ୍ଷୂର୍ଣ୍ଣ କରୁଛି । ଏହି ସଂରକ୍ଷଣ ପାଇଁ କମ୍‍ ମେଧା ସମ୍ପନ୍ନ କିଛି ପ୍ରାର୍ଥୀ ଯୋଗ୍ୟ ବିବେଚିତ ହେଉଥିବା ବେଳେ ଅଣସଂରକ୍ଷିତ ବର୍ଗର ଅଧିକ ପ୍ରତିଭା ସମ୍ପନ୍ନ ଅନେକ ପ୍ରାର୍ଥୀ ନାମାଙ୍କନ ସୁଯୋଗରୁ ବଞ୍ଚିତ ହେଉଛନ୍ତି । ପ୍ରବାସୀ ଭାରତୀୟ କୋଟାରେ ଅଧିକ ଅର୍ଥ ବଦଳରେ ସମ୍ପନ୍ନ ବର୍ଗଙ୍କୁ ନାମାଙ୍କନ ସୁଯୋଗ ଦିଆଯିବା ଏକ ଖରାପ ପରମ୍ପରା ଓ ଅସାମ୍ବିଧାନିକ ବୋଲି ଓଡ଼ିଶା ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ କହିଛନ୍ତି ।

ଅନ୍ୟତମ ବିଚାରପତି ସଞ୍ଜୁ ପଣ୍ଡା ଓ ଏସ୍‍.କେ ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏଭଳି ବ୍ୟାପାରରେ ଉଦ୍‍ବେଗ ପ୍ରକାଶ କରିବା ସଙ୍ଗେ ସଙ୍ଗେ ବାର୍‍ କାଉନ୍‍ସିଲ୍‍ ଅଫ୍‍ ଇଣ୍ଡିଆ ଏବଂ ଜାତୀୟ ଆଇନ୍‍ ବିଶ୍ୱବିଦ୍ୟାଳୟରେ ନାମାଙ୍କନ ପାଇଁ ଥିବା ଚୟନକାରୀ ସଂସ୍ଥା ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଛନ୍ତି ।

କ୍ଲାଟ୍‍ ମାଧ୍ୟମରେ ହେଉଥିବା ନାମାଙ୍କନ ପ୍ରକ୍ରିୟାରେ ଯୋଗ୍ୟ ଓ ଅଧିକ ମେଧା ସମ୍ପନ୍ନ ଛାତ୍ରଛାତ୍ରୀମାନେ ସୁଯୋଗ ପାଇବା ଆବଶ୍ୟକ । କିନ୍ତୁ ଆଇନ୍‍ ବିଶ୍ୱବିଦ୍ୟାଳୟରେ ନାମାଙ୍କନ ପାଇଁ ଏନ୍‍ଆର୍‍ଆଇ କୋଟାରେ ଅଧିକ ଅର୍ଥ ପୈଠ କରିପାରୁଥିବା କମ୍‍ ମେଧାସମ୍ପନ୍ନ ପ୍ରାର୍ଥୀଙ୍କୁ ସୁଯୋଗ ଦିଆଯିବା ବାସ୍ତବରେ ମେଧାବୀ ପ୍ରାର୍ଥୀମାନଙ୍କ ପାଇଁ ଗୁରୁତର ଅନ୍ୟାୟ । ତେଣୁ କର୍ତ୍ତୃପକ୍ଷ ଏ ଦିଗରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଓଡ଼ିଶା ହାଇକୋର୍ଟର ଖଣ୍ଡପୀଠ କହିଛନ୍ତି ।

ଏ ପ୍ରସଙ୍ଗରେ ପୂର୍ବରୁ ପି.ଏ ଇନାମ୍‍ଦାର୍‍ ମାମଲାରେ ସୁପ୍ରିମ୍‍କୋର୍ଟ ସ୍ପଷ୍ଟ ନିର୍ଦ୍ଦେଶ ଦେଇସାରିଥିବା ପରିପ୍ରେକ୍ଷୀରେ କର୍ତ୍ତୃପକ୍ଷଙ୍କୁ ହାଇକୋର୍ଟ ଚେତାଇ ଦେଇଛନ୍ତି । ଅଧିକ ଅର୍ଥ ବଳରେ କମ୍‍ ମେଧା ସମ୍ପନ୍ନ ଛାତ୍ରଛାତ୍ରୀଙ୍କୁ ଏନ୍‍ଆର୍‍ଆଇ କୋଟାରେ ନାମାଙ୍କନ ସୁଯୋଗ ଦିଆଯିବା ସମ୍ପନ୍ନ ବର୍ଗଙ୍କ ପାଇଁ ଏକ ସ୍ୱତନ୍ତ୍ର ସଂରକ୍ଷଣ ସୃଷ୍ଟି ଭଳି । ଏଭଳି ସଂରକ୍ଷଣ ସମ୍ବିଧାନ ସମ୍ମତ ନୁହେଁ ଏବଂ ଏହି ଆଧାରରେ ସୁବିଧା ସୁଯୋଗ ଦିଆଯିବା ସମ୍ପୂର୍ଣ୍ଣ ବେଆଇନ୍‍ ଓ ସ୍ୱେଚ୍ଛାଚାରିତାର ନିଦର୍ଶନ ବୋଲି ହାଇକୋର୍ଟ ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି ।

ଏଠାରେ ଉଲ୍ଲେଖନୀୟ ଯେ ଇସିକା ପଟ୍ଟନାୟକ ନାମ୍ନୀ ଜଣେ ଛାତ୍ରୀ ଏନ୍‍ଆର୍‍ଆଇ ସ୍ପୋନ୍‍ସର୍‍ କୋଟାରେ କ୍ଲାଟ୍‍ ପାଇଁ ଆବେଦନ କରିବାକୁ ଚାହିଁଥିଲେ । ତେବେ ବିଭିନ୍ନ କାରଣରୁ ସେ ତାଙ୍କ ଆବେଦନ ପତ୍ରରେ ଏନ୍‍ଆର୍‍ଆଇ କିମ୍ବା ଏନ୍‍ଆର୍‍ଆଇଏସ୍‍ ଲେଖିବା ପରିବର୍ତ୍ତେ ଜେନେରାଲ କ୍ୟାଟେଗୋରୀ ବୋଲି ଉଲ୍ଲେଖ କରିଥିଲେ । ଇଣ୍ଟରନେଟ୍‍ର ବୈଷୟିକ ସମସ୍ୟା ଯୋଗୁ ସେ ତାଙ୍କ ତ୍ରୁଟି ସଂଶୋଧନ କରିପାରିନଥିଲେ ମଧ୍ୟ ଓଡ଼ିଶା ଜାତୀୟ ଆଇନ୍‍ ବିଶ୍ୱବିଦ୍ୟାଳୟର କୁଳପତିଙ୍କୁ ଅନୁରୋଧ ପତ୍ର ଲେଖି ତାଙ୍କ ପ୍ରାର୍ଥୀତ୍ୱକୁ ଏନ୍‍ଆର୍‍ଆଇଏସ୍‍ ବର୍ଗରେ ବିଚାର କରିବାକୁ କହିଥିଲେ ।

କିନ୍ତୁ ଯୋଗ୍ୟ ପ୍ରାର୍ଥୀଙ୍କ ତାଲିକାରେ ଏନ୍‍ଆର୍‍ଆଇଏସ୍‍ ବର୍ଗରେ ତାଙ୍କର ନାମ ନ ଥିଲା । କିନ୍ତୁ ତାଙ୍କଠାରୁ ଢେର୍‍ କମ୍‍ ନମ୍ବର ରଖିଥିବା କେତେକ ପ୍ରାର୍ଥୀଙ୍କ ନାମ ଏହି ବର୍ଗର ଯୋଗ୍ୟତା ତାଲିକାରେ ସ୍ଥାନ ପାଇଥିବାରୁ ସେ ତାଙ୍କ ନାମ ମଧ୍ୟ ଯୋଡ଼ିବା ପାଇଁ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିବା ପରେ ହାଇକୋର୍ଟରେ ରିଟ୍‍ ଆବେଦନ କରିଥିଲେ ।

ଜଷ୍ଟିସ୍‍ ପଣ୍ଡା ଓ ଜଷ୍ଟିସ୍‍ ପାଣିଗ୍ରାହୀଙ୍କୁ ନେଇ ଗଠିତ ଓଡ଼ିଶା ହାଇକୋର୍ଟର ଖଣ୍ଡପୀଠ ଇସିକା ପଟ୍ଟନାୟକଙ୍କ ରିଟ୍‍ ଆବେଦନକୁ ଖାରଜ କରିଦେବା ସହ ବାର୍‍ କାଉନ୍‍ସିଲ୍‍ ଅଫ୍‍ ଇଣ୍ଡିଆର ଅଧ୍ୟକ୍ଷ ଏବଂ ଜାତୀୟ ଆଇନ୍‍ ବିଶ୍ୱବିଦ୍ୟାଳୟଗୁଡ଼ିକରେ ନାମାଙ୍କନ ପାଇଁ ଗଠିତ କନ୍‍ସୋର୍ଟିୟମ୍‍ର ଆବାହକଙ୍କୁ ଉପରୋକ୍ତ ନିର୍ଦ୍ଦେଶ ଦେଇଛନ୍ତି ।