ଭୁବନେଶ୍ୱର : ରାଜ୍ୟ ସଚିବାଳୟ ପାଇଁ ସହକାରୀ ସେକ୍ସନ ଅଫିସର (ଏଏସ୍ଓ) ଚୟନ ପରୀକ୍ଷା ଓଡିଶା ଲୋକସେବା ଆୟୋଗ (ଓପିଏସ୍ସି) କରିବ । ଏ ସଂକ୍ରାନ୍ତରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସ୍ଥିର ହେବାପରେ ରାଜ୍ୟ ସରକାରଙ୍କ ପକ୍ଷରୁ ପୁଣିଥରେ ଓପିଏସ୍ସିକୁ ପତ୍ର ଲେଖାଯିବା ସହିତ ଖାଲି ପଡିଥିବା ଏଏସ୍ଓ ପଦବୀ ପୂରଣ ପାଇଁ ତାଲିକା ଦିଆଯାଇଛି ।
ଏଠାରେ ଉଲ୍ଲେଖନୀୟ ଯେ ଏଏସ୍ଓ ଚୟନ ପରୀକ୍ଷା ଓପିଏସ୍ସି କରିପାରିବ ନାହିଁ ବୋଲି ଗୃହ ବିଭାଗକୁ ଅବଗତ କରିଥିଲା । ପରୀକ୍ଷା ନକରିବା ନେଇ ଓପିଏସ୍ସି ଯୁକ୍ତି ବାଢିଥିଲା ଯେ ପରୀକ୍ଷା କ୍ୟାଲେଣ୍ଡରରେ କେଉଁ ପଦବୀ ପାଇଁ କେବେ ପରୀକ୍ଷା କରାଯିବ ସେ ସଂକ୍ରାନ୍ତରେ ଆୟୋଗ ସମୟ ଧାର୍ଯ୍ୟ କରିସାରିଛନ୍ତି । ତେଣୁ ଏଏସ୍ଓ ପରୀକ୍ଷାପାଇଁ ଆୟୋଗଙ୍କ ନିକଟରେ ଆଉ ସମୟ ନାହିଁ ।
ଏଥି ସହିତ ଓପିଏସ୍ସି ଉଲ୍ଲେଖ କରିଥିଲା ଯେ ଯେଉଁ କର୍ମଚାରୀଙ୍କ ମୂଳ ଦରମା ୪୬୦୦ ଟଙ୍କା କିମ୍ବା ତଦୁର୍ଦ୍ଧ ଓପିଏସ୍ସି କେବଳ ସେହି ପଦବୀରେ ନିଯୁକ୍ତି ପାଇଁ ପରୀକ୍ଷା କରିବ । ଏଏସ୍ଓମାନଙ୍କର ମୂଳ ଦରମା ୪୨୦୦ ଟଙ୍କା ହୋଇଥିବାରୁ ଏହାର ନିଯୁକ୍ତି ପରୀକ୍ଷା କରିବା ଓପିଏସ୍ସି ପରିଧି ମଧ୍ୟରେ ଆସୁନାହିଁ । ତେଣୁ ଏହି ପରୀକ୍ଷାକୁ ରାଜ୍ୟ ସରକାର ଓଡିଶା ଷ୍ଟାଫ ସିଲେକ୍ସନ କମିଶନଙ୍କ ଦ୍ୱାରା କରାଇବାକୁ ଓପିଏସ୍ସି ପରାମର୍ଶ ଦେଇଥିଲା ।
କେବଳ ସେତିକି ନୁହେଁ କେଉଁ କେଉଁ ପଦବୀ ପାଇଁ ଓପିଏସ୍ସି ଅଗ୍ରାଧିକାର ଭିତ୍ତିରେ ପରୀକ୍ଷା କରିଥାଏ ତାହା ମଧ୍ୟ ଦର୍ଶାଇଥିଲା । ସେଗୁଡିକ ମଧ୍ୟରେ ଉଚ୍ଚଶିକ୍ଷା ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର, ଆସୋସିଏଟ ପ୍ରଫେସର, ବିଶ୍ୱବିଦ୍ୟାଳୟର ପ୍ରଫେସର, ଟିଚର ଏଜୁକେଟର ଆଦି ରହିଛନ୍ତି । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପାଇଁ ହାଇସ୍କୁଲରେ ପିଜି ଶିକ୍ଷକ ଓ ପ୍ରଧାନ ଶିକ୍ଷକ ନିଯୁକ୍ତି , ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପାଇଁ ହୋମିଓପାଥିକ ଓ ଆର୍ୟୁବେଦିକ ଡାକ୍ତର ଏବଂ ସାଧାରଣ ପ୍ରଶାସନ ବିଭାଗ ପାଇଁ ଓସିଏସ୍-୧୯ ଓ ଓସିଏସ୍-୨୦ ପଦବୀ ଆଦି ରହିଛି ।
ତେବେ ରାଜ୍ୟ ସରକାରଙ୍କ ନିକଟରେ ଏଭଳି ନାସ୍ତିବାଣୀ ସମ୍ମଳିତ ପତ୍ର ପହଞ୍ଚିବା ପରେ ଏହାକୁ ନେଇ ପ୍ରଶାସନରେ ତନାଘନା ହୋଇଥିଲା । ଏ ନେଇ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ ବସିଥିବାବେଳେ ଏଏସ୍ଓ ଚୟନ ପରୀକ୍ଷା ଓପିଏସ୍ସି କରିବ ବୋଲି ସ୍ଥିର ହୋଇଥିଲା । ତେଣୁ ଗୃହ ବିଭାଗ ପକ୍ଷରୁ ପୁଣିଥରେ ଆୟୋଗଙ୍କୁ ପତ୍ର ଲେଖାଯିବା ସହିତ ସମସ୍ତ ଆନୁଷଙ୍ଗିକ କାଗଜପତ୍ର ପଠାଇ ଦିଆଯାଇଛି । (ତଥ୍ୟ)