Home General ଉପଭୋକ୍ତା ଅଧିକାରର ସଶକ୍ତିକରଣ ଜରୁରୀ

ଉପଭୋକ୍ତା ଅଧିକାରର ସଶକ୍ତିକରଣ ଜରୁରୀ

ଭୁବନେଶ୍ୱର : ଖାଉଟି ଆନ୍ଦୋଳନ ଯେତେ ବ୍ୟାପକ ହେବ ଓ ଖାଉଟି ସୁରକ୍ଷା ଆଇନ ଯେତେ ଅଧିକ କାର୍ଯ୍ୟକାରୀ ହେବ, ତାହା ଦେଶ ଓ ରାଜ୍ୟ ପାଇଁ ସେତେ ମଙ୍ଗଳକର । ଉପଭୋକ୍ତା ସଶକ୍ତିକରଣ ଏବଂ ଉପଭୋକ୍ତା ଅଧିକାରର ସାର୍ବଜନୀନତା ହିଁ ଆମ ସମୟର ସବୁଠୁ ବଡ ଆବଶ୍ୟକତା । ଏହାକୁ କାର୍ଯ୍ୟକାରୀ କରିବା ଓ ଏ ସମ୍ପର୍କରେ ବ୍ୟାପକ ଜନସଚେତନତା ସୃଷ୍ଟି କରିବା ପାଇଁ ସବୁ ସ୍ତରରେ ଉଦ୍ୟମ ହେବା ଜରୁରୀ ବୋଲି ଖାଦ୍ୟଯୋଗାଣ, ଖାଉଟି କଲ୍ୟାଣ ଓ ସମବାୟ ମନ୍ତ୍ରୀ ଶ୍ରୀ ଅତନୁ ସବ୍ୟସାଚୀ ନାୟକ ମତବ୍ୟକ୍ତ କରିଛନ୍ତି ।

ଆଜି ଜୟଦେବ ଭବନଠାରେ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ଆୟୋଜିତ ଜାତୀୟ ଉପଭୋକ୍ତା ଦିବସ-୨୦୨୨ର ରାଜ୍ୟସ୍ତରୀୟ ଉତ୍ସବରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ମନ୍ତ୍ରୀ ଶ୍ରୀ ନାୟକ କହିଲେ ଯେ, ଖାଉଟିମାନଙ୍କ ଅଧିକାରର ସୁରକ୍ଷା ପ୍ରତି ସରକାର ସର୍ବଦା ସଚେତନ ଏବଂ
ପ୍ରୟାସରତ । ଏଥିପାଇଁ ଖାଉଟି ସୁରକ୍ଷା ଆଇନ ମଧ୍ୟ ପ୍ରଣୟନ କରାଯାଇଛି । ପ୍ରଚଳିତ ଆଇନ ସମ୍ପର୍କରେ ବ୍ୟାପକ ସଚେତନତା ସୃଷ୍ଟି କରିବା ହେଉଛି ଏହି ଦିବସ ପାଳନର ଲକ୍ଷ୍ୟ ଓ ଉଦ୍ଦେଶ୍ୟ । ଯଦି ଖାଉଟିମାନେ ଆଇନ ସମ୍ପର୍କରେ ନ ଜାଣିବେ, ତେବେ ଆବଶ୍ୟକବେଳେ ଉପଯୋଗ କରିପାରିବେ ନାହିଁ । ଫଳରେ ଆଇନର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସାଧିତ ହୋଇପାରିବ ନାହିଁ ।

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଦୃଢ ନିଷ୍ପତ୍ତି ବଳରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍‌ (ଏନ୍‌.ଏଫ୍‌.ଏସ୍‌.ଏ)-୨୦୨୨ ରାଙ୍କିଙ୍ଗ୍‌ ଅନୁଯାୟୀ ଖାଦ୍ୟ ନିରାପତ୍ତା ସୁନିଶ୍ଚିତ କରିବାରେ ଓଡିଶା ଦେଶରେ ଶୀର୍ଷ ସ୍ଥାନ ଅଧିକାର କରିଛି । ଟିପିଡିଏସ ମାଧ୍ୟମରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍‌ର କାର୍ଯ୍ୟକାରିତାକୁ ପ୍ରଭାବୀ ଓ ଫଳପ୍ରସୂ କରିବା ଦିଗରେ ଆମ ରାଜ୍ୟ ବଳିଷ୍ଠ ପଦକ୍ଷେପ ଗ୍ରହଣ କରିଛି ବୋଲି ମନ୍ତ୍ରୀ ଶ୍ରୀ ନାୟକ ପ୍ରକାଶ କରିଥିଲେ ।

ଖାଉଟି ଆନ୍ଦୋଳନର ପ୍ରବକ୍ତା ତଥା ଉପଭୋକ୍ତା ପରାମର୍ଶଦାତା ଶ୍ରୀ ବିଜନ ମିଶ୍ର ବିଶିଷ୍ଟ ଅତିଥି ଭାବେ ଯୋଗଦେଇ କହିଲେ ଯେ, ପିଲାମାନଙ୍କ ପାଠ୍ୟକ୍ରମରେ ଖାଉଟି ସୁରକ୍ଷା ଆଇନ ସମ୍ପର୍କରେ ବିଶେଷ ତଥ୍ୟ ରହିବା ଦରକାର । ଯାହାଫଳରେ ଛାତ୍ରଛାତ୍ରୀମାନେ ସଚେତନ ହୋଇପାରିବେ ଓ ଏହାର ସାମାଜିକ ପ୍ରଭାବ ନିଶ୍ଚିନ୍ତ ରୂପେ ଶକ୍ତିଶାଳୀ ହୋଇପାରିବ ।

ବିଶେଷ କରି ମହିଳାମାନେ ସଚେତନ ହୋଇପାରିଲେ, ଏହି ଆଇନର ସଫଳ ପ୍ରୟୋଗ ହୋଇପାରିବ । ଅନେକ ଖାଉଟି ବା ଉପଭୋକ୍ତା ପ୍ରାୟତଃ ଅଣସଙ୍ଗଠିତ । ତେଣୁ ଏହି କ୍ଷେତ୍ରରେ କାର୍ଯ୍ୟ କରୁଥିବା ଅନେକ ସେ୍ୱଚ୍ଛାସେବୀ ସଂଗଠନଗୁଡିକର ସହଯୋଗ ଓ ସଂପୃକ୍ତି ଜରୁରୀ । ସେମାନଙ୍କୁ ଏକାଠି କରି ଏକ ଶୋଷଣ ମୁକ୍ତ ସମାଜ ଗଠନ କରିବା ଆଜିର ଆହ୍ୱାନ ।

ରାଜ୍ୟ ଉପଭୋକ୍ତା ବିବାଦ ସମାଧାନ ଆୟୋଗର ସଭାପତି ଜଷ୍ଟିସ୍‌ ଡି.ପି. ଚୌଧୁରୀ ସମ୍ମାନିତ ଅତିଥିଭାବେ ଯୋଗ ଦେଇ କହିଲେ ଯେ, ମଣିଷ ବଞ୍ଚିବା ପାଇଁ ବିଭିନ୍ନ ଦ୍ରବ୍ୟ ଓ ସେବା ଲୋଡେ । ଅନ୍ୟଠୁଁ ସେବା ବା ଦ୍ରବ୍ୟ ଗ୍ରହଣ ପ୍ରତିବଦଳରେ ତାକୁ କିଛି ମୂଲ୍ୟ ଦେବାକୁ ହୁଏ । ମୂଲ୍ୟ ପ୍ରତିବଦଳରେ ଆବଶ୍ୟକ ମୁତାବକ ମାନର ସେବା ଓ ଦ୍ରବ୍ୟ ପାଇପାରିବା ହେଉଛି ତା’ର ଅଧିକାର । ଏ ଅଧିକାରକୁ ଖାଉଟି ଯେଭଳି ସାବ୍ୟସ୍ତ କରିପାରିବ ଏବଂ ତା’ର ଅଧିକାର ସୁରକ୍ଷିତ ରହିପାରିବ ସେଥିପାଇଁ ଅନେକ ବିଚାରବିମର୍ଶ ହୋଇଛି । ଏ ସବୁକୁ ଆଧାର କରି ଖାଉଟି ସୁରକ୍ଷା ଆଇନ ପ୍ରଣୟନ କରାଯାଇଛି ।

ମୁନାଫାଖୋର ବ୍ୟବସାୟୀ, ଅସାଧୁ ବିକ୍ରେତା, ସେବା ପ୍ରଦାନରେ ଅବହେଳା ପ୍ରଦର୍ଶନ କରୁଥିବା ବ୍ୟକ୍ତି, ଗୋଷ୍ଠୀ ସଂସ୍ଥାମାନଙ୍କ ଶୋଷଣରୁ ଅସହାୟ ଖାଉଟି ଓ ଉପଭୋକ୍ତାମାନଙ୍କୁ ସୁରକ୍ଷା ପ୍ରଦାନ, ଏପରି ଆଇନ ପ୍ରଣୟନର ମୁଖ୍ୟ ଉଦ୍ଦେଶ୍ୟ । ଖାଉଟି ଅଧିକାର ଆଇନରେ ଖାଉଟିଙ୍କ ଅଧିକାର ସମ୍ପର୍କରେ ବ୍ୟାପକ ବ୍ୟବସ୍ଥା କରାଯାଇଛି । ତା’ ମଧ୍ୟରେ ନିରାପତ୍ତା ଅଧିକାର, ଜାଣିବାର ଅଧିକାର, ପସନ୍ଦ କରିବାକୁ ଅଧିକାର, ଆପତ୍ତି ଅଭିଯୋଗ କରିବାର ଅଧିକାର, ବିଚାରର ଅଧିକାର ଓ ଶିକ୍ଷାର ଅଧିକାର ବିଶେଷ ଉଲ୍ଲେଖଯୋଗ୍ୟ ବୋଲି ସେ ପ୍ରକାଶ କରିଥିଲେ ।

ଏହି ଉତ୍ସବରେ ଅତିରିକ୍ତ ଶାସନ ସଚିବ ଶ୍ରୀ ଜ୍ୟୋତି କୁମାର ଲାକ୍ରା ସ୍ୱାଗତ ଭାଷଣ ଦେଇଥିଲେ ଓ ଅତିରିକ୍ତ ଶାସନ ସଚିବ ଶ୍ରୀ ସନ୍ତୋଷ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଜାଗ୍ରତ ଖାଉଟି ସମ୍ବନ୍ଧୀୟ ଏକ ନାଟକ ପରିବେଷିତ ହୋଇଥିଲା ।