Home Election ଉପନିର୍ବାଚନ ପାଇଁ ପ୍ରସ୍ତୁତି ଚୂଡାନ୍ତ

ଉପନିର୍ବାଚନ ପାଇଁ ପ୍ରସ୍ତୁତି ଚୂଡାନ୍ତ

ଭୁବନେଶ୍ୱର : ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ ପ୍ରସ୍ତୁତି ସଂପର୍କରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ ଆଜି ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ସୂଚନା ପ୍ରଦାନ କରିଛନ୍ତି । ଆସନ୍ତା ମଇ ୩୧ ତାରିଖରେ ଭୋଟଗ୍ରହଣ କରାଯାଇ ଜୁନ ୩ ତାରିଖରେ ଭୋଟ ଗଣନା କରାଯିବା ପାଇଁ ସମସ୍ତ ପ୍ରକାରର ପ୍ରସ୍ତୁତି ଶେଷ ହୋଇଛି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରକାଶ କରିଛନ୍ତି ।

ଉପନିର୍ବାଚନ ନିମନ୍ତେ ସାଧାରଣ ପର୍ଯ୍ୟବେକ୍ଷକ ଭାବେ ପଞ୍ଜାବ କ୍ୟାଡରର ୨୦୧୦ ବ୍ୟାଚ୍‌ର ଆଇଏଏସ୍‌ ଅଧିକାରୀ ଶ୍ରୀମତୀ ମାଧବୀ କଟାରିଆ(ମୋ:୯୮୮୮୭୧୯୬୫୩) ଏବଂ ନିର୍ବାଚନ ଖର୍ଚ୍ଚ ପର୍ଯ୍ୟବେକ୍ଷକ ଭାବେ ୨୦୦୮ ବ୍ୟାଚ୍‌ର ବରିଷ୍ଠ ଆଇଆର୍‌ଏସ୍‌ ଅଧିକାରୀ ଶ୍ରୀ ଏନ୍‌. ଅଶୋକ ବାବୁ (ମୋ:୯୫୯୩୯୧୫୯୭୫)ଜିଲ୍ଲାରେ ପହଞ୍ଚି ସ୍ୱଚ୍ଛ ଓ ମୁକ୍ତ ନିର୍ବାଚନ ଲାଗି କାର୍ଯ୍ୟ ଆରମ୍ଭ କରିଛନ୍ତି । ୦୬- ବ୍ରଜରାଜନଗର ଉପନିର୍ବାଚନରେ ସମୁଦାୟ ୨୧୫୮୭୮ ଜଣ ଭୋଟର ସେମାନଙ୍କର ମତଦାନ ସାବ୍ୟସ୍ତ କରିବେ । ତନ୍ମଧ୍ୟରେ ୧୧୦୦୫୦ ଜଣ ପୁରୁଷ, ୧୦୪୮୧୧ ଜଣ ମହିଳା ଓ ୧୭ ଜଣ ତୃତୀୟ ଲିଙ୍ଗ ଭୋଟର ଅଛନ୍ତି ।

ଭୋଟଗ୍ରହଣ ନିମନ୍ତେ ଆବଶ୍ୟକ ହେଉଥିବା ୩୧୯ ବାଲାଟ୍‌ ୟୁନିଟ୍‌, ୩୧୯ କଣ୍ଟ୍ରୋଲ ୟୁନିଟ୍‌ ଏବଂ ୪୧୯ ଭିଭିପ୍ୟାଟ୍‌ ମହଜୁଦ୍‌ ହୋଇରହିଛି । କୋଭିଡ୍‌-୧୯ ଦୃଷ୍ଟିକୋଣରୁ ପ୍ରତ୍ୟେକ ବୁଥ୍‌ରେ ସର୍ବାଧିକ ୧୨୫୦ ଜଣ ଭୋଟର ରହିବା କାରଣରୁ ମୂଳବୁଥ୍‌ ବାଦ୍‌ ଅତିରିକ୍ତ ୨୨ ଗୋଟି ବୁଥ୍‌ ସ୍ଥାପନ ହୋଇ ସମୁଦାୟ ବୁଥ୍‌ (୨୫୭ ଣ୍ଟ ୨୨ ଣ୍ଠ୨୭୯) ରହିଛି । ଦିବ୍ୟାଙ୍ଗ ଓ ୮୦ ବର୍ଷରୁ ଊଦ୍ଧ୍ୱର୍ ଭୋଟରମାନଙ୍କ ନିମନ୍ତେ ପୋଷ୍ଟାଲ ବାଲାଟ ମାଧ୍ୟମରେ ଭୋଟଦେବାର ବ୍ୟବସ୍ଥା କରାଯାଇଛି ।

ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶାନୁସାରେ ପୋଷ୍ଟାଲ ବାଲାଟ୍‌ ନିମନ୍ତେ ୫୨୫ ଜଣଙ୍କ ତାଲିକା ପ୍ରସ୍ତୁତି କରାଯାଇଥିଲା, ଯେଉଁଥିରୁ ୩୨୫ ଜଣ ଭୋଟର ପୋଷ୍ଟାଲ ବାଲାଟ ମାଧ୍ୟମରେ ଭୋଟ ଦେବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ପୋଲିଙ୍ଗ କର୍ମଚାରୀଙ୍କ ସହ ପୋଲିସ୍‌, ମାଇକ୍ରୋ ଅବଜର୍‌ବର, ଭିଡ଼ିଓଗ୍ରାଫର ଏବଂ ପ୍ରାର୍ଥୀଙ୍କ ଏଜେଣ୍ଟ ଘରକୁ ଘର ବୁଲି ପୋଷ୍ଟାଲ ବାଲାଟ୍‌ ଭୋଟ ଆଣିବେ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରକାଶ କରିଛନ୍ତି ।

ବ୍ରଜରାଜନଗର ବିଧାନସଭା ଉପନିର୍ବାଚନରେ ସଂରକ୍ଷିତ ପୋଲିଂ କର୍ମଚାରୀଙ୍କୁ ମିଶାଇ ମୋଟରେ ୧୩୯୬ ଜଣ ପୋଲିଙ୍ଗ କର୍ମଚାରୀ ନିୟୋଜିତ ହୋଇଛନ୍ତି । ପୂର୍ବରୁ ସେମାନଙ୍କୁ ଭୋଟଗ୍ରହଣ ସଂପର୍କରେ ବିସ୍ତୃତ ତାଲିମ ପ୍ରଦାନ କରାଯାଇଛି । ଗୋଟିଏ ବୁଥ୍‌ ପାଇଁ ପୁଲିଙ୍ଗ ଦଳରେ ଜଣେ ପ୍ରଜାଇଡିଂ ଅଫିସରଙ୍କ ସହ ତିନିଜଣ ପୁଲିଙ୍ଗ ଅଫିସର ରହି ସୁରୁଖୁରୁରେ ମତଦାନ ଗ୍ରହଣ କରିବେ । ଝାରସୁଗୁଡ଼ା ଇଂଜିନିୟରିଂ ସ୍କୁଲଠାରେ ଭୋଟଗ୍ରହଣ ନିମନ୍ତେ ନିର୍ବାଚନ ସାମଗ୍ରୀ ବିତରଣ କେନ୍ଦ୍ର ଓ ମତଦାନ ପରେ ଇଭିଏମ୍‌ ଏବଂ ଭିଭିପ୍ୟାଟ୍‌ ଗ୍ରହଣ କେନ୍ଦ୍ର ସହ ଷ୍ଟ୍ରଙ୍ଗରୁମ୍‌ ସ୍ଥାପନା ଓ ଭୋଟଗଣତି କେନ୍ଦ୍ର କରାଯାଇଛି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଲୋହାନୀ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ।

ଉପନିର୍ବାଚନକୁ ଅବାଧ, ମୁକ୍ତ ଓ ସ୍ୱଚ୍ଛ କରିବା ନିମନ୍ତେ ପ୍ରଶାସନ ତରଫରୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ଲାଇସେନ୍ସପ୍ରାପ୍ତ ୧୭୦ ଗୋଟି ଅସ୍ତ୍ରଶସ୍ତ୍ର ଜବତ କରାଯିବା ସହ ଭାରତୀୟ ପିଙ୍ଗଳକୋର୍ଡ ଧାରା ୧୦୭ ଓ ୧୧୬ ଅନୁସାରେ ୧୦୪୮ ଜଣଙ୍କୁ ଅଟକ ରଖାଯାଇଛି, ୭୧ ଜଣ ବ୍ୟକ୍ତିଙ୍କ ନାମରେ ଜାମିନବିହୀନ ୱାରେଣ୍ଟ ଜାରି କରାଯାଇଛି ଓ ୮୩୫ ଲିଟର ମଦ ଜବତ କରାଯାଇଛି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରକାଶ କରିଛନ୍ତି । ଉପନିର୍ବାଚନରେ ପ୍ରାର୍ଥୀମାନଙ୍କ ଦ୍ୱାରା ନିର୍ବାଚନୀ ଖର୍ଚ୍ଚର ତଦାରଖ କରିବା ପାଇଁ ସହକାରୀ ଖର୍ଚ୍ଚ ପର୍ଯ୍ୟବେକ୍ଷକଙ୍କ ବିଭିନ୍ନ ସର୍ଭିଲାନ୍ସ ଟିମ୍‌ ଯଥା-୨ଟି ଭିଏସ୍‌ଟିଏସ୍‌, ୫ଟି ଏସ୍‌ଏସ୍‌ଟି, ଗୋଟିଏ ଭିଭିଟି, ୬ ଟି ଫ୍ଲାଇଙ୍ଗ୍‌ ସ୍କ୍ୱାର୍ଡ ଟିମ୍‌ ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ମୁତୟନ ହୋଇଛନ୍ତି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଲୋହାନୀ ପ୍ରକାଶ କରିଛନ୍ତି ।

ବ୍ରଜରାଜନଗର ଉପନିର୍ବାଚନ ନିମନ୍ତେ ଜିଲ୍ଲା ପ୍ରଶାସନ ଦ୍ୱାରା ୬୧ ଜଣ ମାଇକ୍ରୋ ଅବଜରଭରଙ୍କୁ ନିଯୁକ୍ତ କରାଯାଇଛି ଓ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶାନୁସାରେ ମତଦାନ ଦିନ ୫୦ ପ୍ରତିଶତ ବୁଥ୍‌ରେ େୱବ୍‌କାଷ୍ଟିଂ କରାଯିବା ପାଇଁ ସ୍ଥିର କରାଯାଇଛି । ଏତଦ୍‌ବ୍ୟତୀତ ଦରକାର ପଡ଼ିଲେ ବୁଥ୍‌ରେ ଭିଡ଼ିଓଗ୍ରାଫି କରାଯିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରକାଶ କରିଛନ୍ତି । ଉପନିର୍ବାଚନରେ ସମଗ୍ର ଜିଲ୍ଲାରେ ଶାନ୍ତିଶୃଙ୍ଖଳା ବଜାୟ ରଖିବା ନିମନ୍ତେ ତିନି କମ୍ପାନୀ କେନ୍ଦ୍ରୀୟ ପୋଲିସବଳ (ସିପିଏଫ୍‌) ଜିଲ୍ଲାରେ ଉପସ୍ଥିତ ଅଛନ୍ତି ।

ଜିଲ୍ଲା ପ୍ରଶାସନଠାରୁ ନିର୍ବାଚନ ସଂପର୍କିତ ତଥ୍ୟ ଜାଣିବା ପାଇଁ ଜନସାଧାରଣଙ୍କ ପାଇଁ ଜିଲ୍ଲାରେ ନିଶୁÂ ଟେଲିଫୋନ୍‌ ନଂ-୧୯୫୦ କାର୍ଯ୍ୟକରୁଛି । ମତଦାନ କମ୍‌ ହେଉଥିବା ଅଞ୍ଚଳଗୁଡ଼ିକରେ ମତଦାନ ହାର ବଢ଼ାଇବା ନିମନ୍ତେ ଜିଲ୍ଲା ପ୍ରଶାସନ ଦ୍ୱାରା ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ‘ମୁଁ ବି ଭୋଟ ଦେବି’ ଚାଲୁରହିଛି । ଏହି କାର୍ଯ୍ୟକ୍ରମ ଜରିଆରେ ସେ ଅଞ୍ଚଳରେ ରହୁଥିବା ଭୋଟରମାନଙ୍କୁ ମତଦାନ ସଂପର୍କରେ ସଚେତନ କରାଯିବା ସହ ଅଧିକ ସଂଖ୍ୟାରେ ଯାଇ ବୁଥ୍‌ରେ ମତଦାନ କରିବାକୁ ଭୋଟରମାନଙ୍କୁ ସଚେତନ କରାଯାଉଛି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରକାଶ କରିଛନ୍ତି ।

ଉପନିର୍ବାଚନ ଭୋଟଗ୍ରହଣ ପୂର୍ବରୁ ପ୍ରତ୍ୟେକ ବୁଥ୍‌ସ୍ତରୀୟ ଅଧିକାରୀମାନେ ଘରକୁ ଘର ବୁଲି ଭୋଟରମାନଙ୍କୁ ମତଦାନ କେନ୍ଦ୍ର ଓ ଭୋଟର ତାଲିକାର କ୍ରମିକ ସଂଖ୍ୟା ଥିବା ଭୋଟର ସ୍ଲିପ୍‌ ପ୍ରଦାନ କରିବେ । ଫଳରେ ଅଧିକ ସଂଖ୍ୟକ ଭୋଟରମାନେ ମତଦାନ କେନ୍ଦ୍ରକୁ ଆସି ମତଦାନ କରିବେ । ଦିବ୍ୟାଙ୍ଗ ଭୋଟରମାନଙ୍କ ମତଦାନ ନିମନ୍ତେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ସେମାନଙ୍କୁ ସେମାନଙ୍କ ଘରଠାରୁ ମତଦାନ କେନ୍ଦ୍ରକୁ ନେବା ଆଣିବା ସହ ହ୍ୱିଲ୍‌ଚେୟାରର ବ୍ୟବସ୍ଥା କରାଯାଇଛି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ।

ଦୃଷ୍ଟିବାଧିତ ଭୋଟରମାନଙ୍କ ମତଦାନ ପାଇଁ ବ୍ରେଲିଡମୀ ବାଲାଟ୍‌ ପେପରର ବ୍ୟବସ୍ଥା କରାଯାଇଛି । ସେମାନଙ୍କୁ ମତଦାନବେଳେ ସହାୟତା କରିବା ପାଇଁ ସେ୍ୱଚ୍ଛାସେବକମାନଙ୍କୁ ନିଯୁକ୍ତି କରାଯାଇଛି । ୦୬-ବ୍ରଜରାଜନଗର ବିଧାନସଭା ଉପନିର୍ବାଚନରେ ୩୦ଟି ବୁଥ୍‌କୁ ‘ମଡେଲ୍‌ ବୁଥ୍‌’ କରାଯାଇଛି, ଯେଉଁଠି ଭୋଟରମାନଙ୍କ ପାଇଁ ମତଦାନ ନିମନ୍ତେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ଓ ୫ଟି ବୁଥ୍‌ରେ ପିଙ୍କ ବୁଥ୍‌ କରାଯାଇଛି, ଯେଉଁଠାରେ ଭୋଟଗ୍ରହଣ ନିମନ୍ତେ ନିୟୋଜିତ ହୋଇଥିବା ସମସ୍ତ କର୍ମଚାରୀ ମହିଳା ଅଟନ୍ତି । ସମସ୍ତ ମତଦାନ କେନ୍ଦ୍ରରେ ଭୋଟରମାନଙ୍କ ନିମନ୍ତେ ଛାମୁଣ୍ଡିଆ ଓ ପାନୀୟ ଜଳ ବ୍ୟବସ୍ଥା କରିବାକୁ ଜିଲ୍ଲା ପ୍ରଶାସନ ତରଫରୁ ଅର୍ଥ ଯୋଗାଇ ଦିଆଯାଇଛି ।

ବର୍ତ୍ତମାନ ପ୍ରବଳ ଖରା ହେଉଥିବାରୁ ମତଦାନ ସମୟରେ ଭୋଟରମାନଙ୍କୁ ସମ୍ଭାବ୍ୟ ଅଂଶୁଘାତରୁ ରକ୍ଷା କରିବା ପାଇଁ ସ୍ୱାସ୍ଥ୍ୟ ବିଭାଗକୁ ସଜାଗ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସରକାରୀ କର୍ମଚାରୀ ଓ ବେସରକାରୀ କର୍ମଚାରୀମାନଙ୍କ ପାଇଁ ଭୋଟଗ୍ରହଣ ଦିନଟିକୁ ସବୈତନିକ ଛୁଟିଦିବସ ରୂପେ ଘୋଷଣା କରାଯାଇଛି ଓ ଭୋଟଗ୍ରହଣ ଦିନ ସମସ୍ତ ଭୋଟରଙ୍କ ପାଇଁ କୋଭିଡ୍‌-୧୯ ଦୃଷ୍ଟିରୁ ଥର୍ମାଲ ସ୍କାନିଂ, ହାତ ସାନିଟାଇଜ, ସାମାଜିକ ଦୂରତା ରକ୍ଷା ସହ ମାସ୍କ ପରିଧାନ ପ୍ରତି ବିଶେଷ ଧ୍ୟାନ ଦିଆଯିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଲୋହାନୀ ପ୍ରକାଶ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଶତ୍ରୁଘ୍ନ କର ଓ ଯୁଗ୍ମ ନିର୍ବାଚନ ଅଧିକାରୀ ପ୍ରମୋଧ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।