Home News in Odia ଉପକୂଳ ସୁରକ୍ଷାରେ କର୍ମଚାରୀ ସଙ୍କଟ

ଉପକୂଳ ସୁରକ୍ଷାରେ କର୍ମଚାରୀ ସଙ୍କଟ

ଭୁବନେଶ୍ୱର : ଉପକୂଳର ସୁରକ୍ଷା ପାଇଁ ରାଜ୍ୟ ସରକାର ୧୮ଟି ଥାନା ପ୍ରତିଷ୍ଠା କରିଥିବାବେଳେ ଏଠାରେ ଅଧିକାଂଶ ପୁଲିସ୍‍ ପଦବୀ କିନ୍ତୁ ଫାଙ୍କା ପଡିଛି । ଏଗୁଡିକ ପୂରଣ ନହେଲେ ସମୁଦ୍ରପଥରେ ଅନୁପ୍ରବେଶକୁ ରୋକିବା ସହଜ ହେବନାହିଁ ବୋଲି ସୁରକ୍ଷା ବିଶେଷଜ୍ଞମାନେ ମତ ଦେଉଛନ୍ତି ।

ବାଲେଶ୍ୱରରୁ ଗଞ୍ଜାମ ପର୍ଯ୍ୟନ୍ତ ରାଜ୍ୟର ୪୮୦ କିଲୋମିଟର ସମୁଦ୍ର କୂଳ ରହିଛି । ଏଠାରେ ମୁଖ୍ୟତଃ ବାଲେଶ୍ୱରରୁ ପୁରୀ ପର୍ଯ୍ୟନ୍ତ ବଙ୍ଗଳାଦେଶୀ ଅନୁପ୍ରବେଶକାରୀମାନେ ପଶି ଆସିବାର ସମ୍ଭାବନା ରହିଛି । ସେହଭଳି ଗଞ୍ଜାମ ଉପକୂଳରେ ଆନ୍ଧ୍ରପ୍ରଦେଶର ମତ୍ସ୍ୟଜୀବୀମାନେ କଟକଣା ନମାନି ପ୍ରବେଶ କରିବାର ନଜିର ରହିଛି । ସମୁଦ୍ର ପଥରେ ଅନୁପ୍ରବେଶକାରୀମାନେ ଆସିଗଲେ ସେମାନଙ୍କୁ କିଭଳି ମୁକାବିଲା କରାଯାଇ ପାରିବ ସେଥିପାଇଁ ସୁରକ୍ଷା କର୍ମୀମାନେ ନିୟମିତ ଭାବେ ପୁରୀ ଭଳି ସମ୍ବେଦନଶୀଳ ସ୍ଥାନରେ ମକ୍‍ ଡ୍ରିଲ କରିଥାନ୍ତି ।

ତେବେ ସମୁଦ୍ରକୂଳକୁ ଜଗିବାପାଇଁ ଯେଉଁ ୧୮ଟି ଥାନା ରହିଛି ସେଠାରେ ଶତାଧିକ ପଦ ପଦବୀ ଖାଲି ପଡିଥିବାରୁ ଉପକୂଳ ସୁରକ୍ଷା କିଭଳି ମଜବୁତ ହେବ ତାହା ଏବେ ପ୍ରଶ୍ନବାଚୀ ହୋଇଛି । ଯଦିଓ ୧୮ଟି ଥାନାରେ ଥିବା ସମସ୍ତ ୧୮ଟି ଇନ୍ସପେକ୍ଟର ପଦବୀ ପୂରଣ ହୋଇଛି କିନ୍ତୁ କିନ୍ତୁ ୫୪ଟି ସବଇନ୍ସପେକ୍ଟର ପଦବୀରେ ମାତ୍ର ୫ଜଣ କାର୍ଯ୍ୟ କରୁଛନ୍ତି । ସେହିଭଳି ୫୪ଟି ଏଏସ୍‍ଆଇ ପଦବୀରେ ୩୫ଜଣ କାର୍ଯ୍ୟରତ ଥିବାବେଳେ ୧୪୪ଟି ହାବିଲଦାର ପଦବୀରେ କାର୍ଯ୍ୟକରୁଛନ୍ତି ମାତ୍ର ୧୨ ଜଣ । ଥାନାର ବଳ କୁହାଯାଉଥିବା ୪୩୨ଟି କନେଷ୍ଟବଳ ପଦବୀରେ ୧୨୮ଜଣ କାର୍ଯ୍ୟରତ ଥିବାବେଳେ ୩୬ଟି ଡ୍ରାଇଭର ପଦବୀରେ ୨ଜଣ, ୨୭୦ ଗୃହରକ୍ଷୀ ପଦବୀରେ ୧୫୬ ଜଣ ଏବଂ ୨୮୦ ବୈଷୟିକ କର୍ମଚାରୀଙ୍କ ପଦବୀରେ ଅଛନ୍ତି ମାତ୍ର ୧୨୪ ଜଣ ।

ଏସ୍‍ଆଇ ଓ ଏଏସ୍‍ଆଇ ସମେତ ହାବିଲଦାର ଓ କନେଷ୍ଟବଳ ପଦବୀରେ କର୍ମଚାରୀ ସଙ୍କଟ ଯୋଗୁଁ ଉପକୂଳ ଅଞ୍ଚଳରେ ଯେଭଳି ସୁରକ୍ଷାକୁ କଡାକଡି କରାଯିବା କଥା ତାହା ହୋଇପାରୁ ନାହିଁ । ବିଶେଷକରି ସମୁଦ୍ର ଭିତରେ ନିୟମିତ ପହରା ଦେବା କାଠିକରପାଠ ହେଉଥିବା କୁହାଯାଉଛି । ଉପକୂଳ ଥାନାରେ ବୋଟ୍‍ ମୁତୟନ ହୋଇଥିବାରୁ ଏହାକୁ ଚଳାଚଳ ଓ ରକ୍ଷଣାବେକ୍ଷଣ ପାଇଁ ବୈଷୟିକ କର୍ମଚାରୀଙ୍କର ଆବଶ୍ୟକ ଥିବାବେଳେ ସେହି ପଦବୀ ମଧ୍ୟ ଅଧାରୁ ଅଧିକ ଖାଲି ପଡିଛି ।

ତେବେ ସାମୁଦ୍ରିକ ଥାନା କେବଳ ଆଖପାଖ ଅଞ୍ଚଳର ଲୋକଙ୍କ ଅଭିଯୋଗ ରଖୁଥିବାବେଳେ ଏହାର ପ୍ରକୃତ ଉଦ୍ଦେଶ୍ୟ ପୂରଣ ହୋଇପାରୁନାହିଁ । ବିଶେଷକରି ଓଡିଶା ସୀମାରେ ସମୁଦ୍ର ଭିତରେ ଅନ୍ୟ ଦେଶ କିମ୍ବା ରାଜ୍ୟର ମାଛଧରା ଟ୍ରଲରମାନେ କଟକଣା ସମୟରେ ଅନୁପ୍ରବେଶ କଲେ ସେମାନଙ୍କୁ ଘଉଡାଇବା, ସମୁଦ୍ର ପଥରେ ନିଶା ଓ ଅସ୍ତ୍ରଶସ୍ତ୍ର କାରବାର ଉପରେ ନଜର ରଖିବା ଆଦି ସହଜ ହେଉନାହିଁ ।

ବର୍ତ୍ତମାନ ପଶ୍ଚିମବଙ୍ଗରେ ବେଆଇନ୍‍ ଅନୁପ୍ରବେଶକାରୀଙ୍କୁ ତଡିବାପାଇଁ ଜୋରଦାର ଅଭିଯାନ ଚଳାଯାଉଥିବାବେଳେ ସେମାନେ ଓଡିଶାକୁ ପଳାଇ ଆସିବାର ସମ୍ଭାବନା ରହିଛି । ସ୍ଥଳପଥରେ ଏମାନଙ୍କ ଉପରେ କଡା ନଜର ରହିଥିବାରୁ ଜଳପଥରେ ପ୍ରବେଶ କରିବାକୁ ଏମାନେ ଉଦ୍ୟମ କରିପାରନ୍ତି । ତେଣୁ ଏହି ସମୟରେ ଉପକୂଳ ଅଞ୍ଚଳରେ ଜଳପଥରେ ପାଟ୍ରୋଲିଂ ବଢାଇବା ଜରୁରୀ ହୋଇପଡିଥିବାବେଳେ ସାମୁଦ୍ରିକ ଥାନାଗୁଡିକରେ କର୍ମଚାରୀ ସଙ୍କଟ ଏ ଦିଗରେ ବଡ ବାଧକ ହୋଇଛି । ତେବେ ଇତି ମଧ୍ୟରେ ରାଜ୍ୟ ସରକାର ଥାନାଗୁଡିକ ପାଇଁ ବିଭନ୍ନ ବର୍ଗର ୭୩୮ଟି ପଦବୀ ସମେତ ୨୭୦ ଗୃହରକ୍ଷୀ ପଦବୀ ଏବଂ ବୋଟ୍‍ ଚାଳନା ନିମନ୍ତେ ୨୮୦ଟି ବୈଷୟିକ ପଦବୀକୁ ମଞ୍ଜୁର କରିଛନ୍ତି । ଏହିସବୁ ପଦବୀ ପୂରଣ ହେଲେ ଉପକୂଳ ଅଞ୍ଚଳର ସୁରକ୍ଷା କଡାକଡି ହୋଇପାରିବ ।(ତଥ୍ୟ)