Home Health ଆଉ ହଜାରେ ବଢିବ ଆଇସିୟୁ ଶଯ୍ୟା

ଆଉ ହଜାରେ ବଢିବ ଆଇସିୟୁ ଶଯ୍ୟା

ଭୁବନେଶ୍ୱର : ରାଜ୍ୟର ୨୦ଟି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୧୮୦ ଟି ଆଇସିୟୁ ଶଯ୍ୟା ଥିବାବେଳେ ଚଳିତ ଆର୍ଥିକ ବର୍ଷରେ ଆଉ ହଜାରେ ଆଇସିୟୁ ଶଯ୍ୟା ପାଇଁ ପ୍ରସ୍ତାବ ରହିଛି । ଏହିସବୁ ଶଯ୍ୟା ପ୍ରତିଷ୍ଠା ହେଲେ ଆଇସିୟୁ ଆବଶ୍ୟକ କରୁଥିବା ରୋଗୀମାନେ ଘରୋଇ ଚିକିତ୍ସାଳୟର ଶୋଷଣରୁ କିଛିଟା ମୁକ୍ତି ପାଇପାରିବେ ।

ଗୁରୁତର ରୋଗୀମାନଙ୍କ ପାଇଁ ଆଇସିୟୁ ଶଯ୍ୟା ଅତି ଜରୁରୀ ହୋଇପଡିଥିବାବେଳେ ଏବେ ବି ୧୦ଟି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏହି ସୁବିଧା ନାହିଁ । ଏଠାରେ ଆଇସିୟୁ ଆବଶ୍ୟକ କରୁଥିବା ରୋଗୀମାନେ ସାଧାରଣତଃ ନିକଟସ୍ଥ ସରକାରୀ ମେଡକାଲ କଲେଜ କିମ୍ବା ଘରୋଇ ଡାକ୍ତରଖ।।ନାକୁ ଯାଇଥାନ୍ତି । କାରଣ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ବ୍ୟତିତ ସରକାରୀ ମେଡିକାଲ କଲେଜଗୁଡିକରେ ଆଇସିୟୁ ଶଯ୍ୟା ରହିଛି ।

ତେବେ ଲକ୍ଷ୍ୟ କରାଯାଉଛି ଯେ ସରକାରୀ ଡାକ୍ତରଖାନାରେ ଥିବା ଆଇସିୟୁ ଶଯ୍ୟା ଆବଶ୍ୟକ ତୁଳନାରେ ପର୍ଯ୍ୟାପ୍ତ ହୋଇପାରୁନାହିଁ । ଫଳରେ ଗୁରୁତର ରୋଗୀମାନେ ବାଧ୍ୟହୋଇ ଘରୋଇ ଚିକିତ୍ସାଳୟ ଯିବାକୁ ବାଧ୍ୟ ହେଉଛନ୍ତି । ସେଠାରେ ଆଇସିୟୁ ଭଡା ଦିନକୁ ୩ରୁ ୧୦ହଜାର ଟଙ୍କା ପର୍ଯ୍ୟନ୍ତ ରହୁଛି । ଏହାବାଦ୍‍ ଔଷଧ ଓ ଅନ୍ୟାନ୍ୟ ସାଜ ସରଞ୍ଜାମ ବାବଦରେ ଅର୍ଥ ବ୍ୟୟ କରିବାକୁ ପଡୁଛି । ଅବସ୍ଥା ଏଭଳି ହୋଇଛି ଯେ ଘରୋଇ ଚିକିତ୍ସାଳୟର ଆଇସିୟୁରେ ରହୁଥିବା ରୋଗୀମାନଙ୍କ ଆୟୁଷ୍ମାନ କାର୍ଡ ଅର୍ଥ ଅଳ୍ପ କେଇ ଦିନରେ ପାଣିଭଳି ଖର୍ଚ୍ଚ ହୋଇ ଯାଉଛି ।

ଅନ୍ୟ ପକ୍ଷରେ ସବଡିଭିଜନ ସ୍ତରରେ ଆଇସିୟୁ ଆବଶ୍ୟକ କରୁଥିବା ରୋଗୀମାନେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏହି ସୁବିଧା ନପାଇବା ଦୂର ଦୂରାନ୍ତକୁ ଯିବା ସମ୍ଭବପର ହେଉନାହିଁ । ଫଳରେ ସେମାନେ ବାଧ୍ୟହୋଇ ସାଧାରଣ ରୋଗୀମାନେ ଚିକିତ୍ସିତ ହେଉଛନ୍ତି । ଏମାନଙ୍କ ମଧ୍ୟରୁ କେତେକ ଗୁରୁତର ହେଲାପରେ ଘରୋଇ ଡାକ୍ତରଖାନାକୁ ଯାଉଛନ୍ତି ନହେଲେ ମୃତ୍ୟୁମୁଖରେ ପଡୁଛନ୍ତି । ଅନ୍ୟ ପକ୍ଷରେ ଯେଉଁସବୁ ଜିଲ୍ଲାସ୍ତରୀୟ ଡାକ୍ତରଖାନାରେ ଅପରେସନର ସୁବିଧା ରହିଛି ସେଠାରେ ଆଇସିୟୁ ଶଯ୍ୟା ଅଭାବରୁ ରୋଗୀମାନଙ୍କୁ ମେଡିକାଲ କଲେଜକୁ ରେଫର କରାଯାଉଛି । ଏଥିଯୋଗୁଁ ରୋଗୀମାନେ ବ୍ୟାପକ ଖର୍ଚ୍ଚାନ୍ତ ହେଉଛନ୍ତି ।

ଚଳିତ ଆର୍ଥିକବର୍ଷରେ ଭେଣ୍ଟିଲେଟର ଓ କେନ୍ଦ୍ରୀୟ ତଦାରଖ ସୁବିଧା ଥିବା ହଜାରେ ଉନ୍ନତ ଆଇସିୟୁ ଶଯ୍ୟା ସହିତ ୫୦୦ ଏଚଡିୟୁ ଶଯ୍ୟା ସ୍ଥାପନ ନିମନ୍ତେ ପ୍ରସ୍ତାବ ରହିଛି । ଏଗୁଡିକ ପର୍ଯ୍ୟାୟକ୍ରମେ ପ୍ରତିଷ୍ଠା କରାଯିବ । କାରଣ ଆଇସିୟୁ ପାଇଁ ସ୍ୱତନ୍ତ୍ର ଭାବେ ଡାକ୍ତର, ନର୍ସ ଓ ଅନ୍ୟ କର୍ମଚାରୀଙ୍କର ଆବଶ୍ୟକ ଥିବାରୁ ଏକକାଳୀନ ଏତେ ସଂଖ୍ୟକ ଶଯ୍ୟା ପ୍ରତିଷ୍ଠା କରିବା ସମ୍ଭବପର ହେବନାହିଁ । ତେବେ ପ୍ରଥମେ ରାଜ୍ୟର ସମସ୍ତ ଜିଲ୍ଲା ସଦର ମହୁକୁମା ଡାକ୍ତରଖାନାରେ ଆଇସିୟୁ ସୁବିଧା ଉପଲବ୍ଧ ପାଇଁ ପଦକ୍ଷେପ ନିଆଯାଉଥିବା ଜଣାଯାଇଛି । (ତଥ୍ୟ)